ପୁରୁଣା ନୋଟ୍ ବଦଳାଇ ଠକେଇ ଉଦ୍ୟମ : କାଜିପେଟରୁ ୧.୩୮ କୋଟି ଟଙ୍କାର ଅଚଳ ନୋଟ୍ ସହ ୮ ଗିରଫ
ତେଲେଙ୍ଗାନାର କାଜିପେଟ ପୁଲିସ ଏକ ବଡ଼ ଧରଣର ନୋଟ୍ ବଦଳ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ୨୦୧୬ ମସିହାରେ ବନ୍ଦ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ ଦେଖାଇ ଲୋକଙ୍କୁ ଠକିବା ସହ ସେମାନଙ୍କଠାରୁ ଅସଲି ନଗଦ ଟଙ୍କା ହଡ଼ପ
ତେଲେଙ୍ଗାନାର କାଜିପେଟ ପୁଲିସ ଏକ ବଡ଼ ଧରଣର ନୋଟ୍ ବଦଳ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ୨୦୧୬ ମସିହାରେ ବନ୍ଦ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ ଦେଖାଇ ଲୋକଙ୍କୁ ଠକିବା ସହ ସେମାନଙ୍କଠାରୁ ଅସଲି ନଗଦ ଟଙ୍କା ହଡ଼ପ କରିବାକୁ ଯୋଜନା କରୁଥିବା ଅଭିଯୋଗରେ ପୁଲିସ ୮ ଜଣ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ୧.୩୮ କୋଟି ଟଙ୍କାର ଅଚଳ ନୋଟ୍ ଜବତ କରାଯାଇଛି ।
କାଜିପେଟ ଚୌରସ୍ତା ନିକଟରେ ଚାଲିଥିବା ଗାଡ଼ି ଯାଞ୍ଚ ସମୟରେ ପୁଲିସ ଇନ୍ସପେକ୍ଟର ଜାକ୍କୁଲା ଶ୍ୟାମ ସୁନ୍ଦରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏକ ସନ୍ଦିଗ୍ଧ କାରକୁ ଅଟକାଇ ତଲାସି ନେଇଥିଲେ। ଚେକିଂ ସମୟରେ କାର୍ ଭିତରୁ ବିପୁଳ ପରିମାଣର ପୁରୁଣା ନୋଟ୍ ଜବତ ହୋଇଥିଲା । ପୁଲିସ ସଂପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ୧,୩୮,୫୦,୦୦୦ ଟଙ୍କାର ଅଚଳ ନୋଟ୍ ସମେତ ୬ ହଜାର ଟଙ୍କାର ଚାଲୁ ନଗଦ ରାଶି, ୧୦ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ କାର୍ ଜବତ କରିଛି। ଏହି ଘଟଣାରେ ସମସ୍ତ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କାଜିପେଟ ଏସିପି ପିଙ୍ଗଳି ପ୍ରଶାନ୍ତ ରେଡ୍ଡୀ ସୂଚନା ଦେଇଛନ୍ତି ।
ଏହି ବେଆଇନ କାରବାର ଓ ଠକେଇ ରାକେଟରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଜବତ ହୋଇଥିବା ସମସ୍ତ ନୋଟ୍ ୨୦୧୬ ନୋଟବନ୍ଦୀ ସମୟରେ ସରକାରଙ୍କ ଦ୍ୱାରା ପ୍ରତ୍ୟାହୃତ ହୋଇଥିବା ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା କରେନ୍ସି ବୋଲି ଜଣାପଡ଼ିଛି।
What's Your Reaction?