ବିଲକିସ୍ ବାନୋ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଆଜୀବନ କାରାଦଣ୍ଡାଦେଶରେ ରୋକ, ଜାମିନ ମଞ୍ଜୁର
ବିଲକିସ୍ ବାନୋ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ଦୋଷୀ ବିପିନଚନ୍ଦ୍ର କନୈୟାଲାଲ ଯୋଶୀ ଏବଂ ପ୍ରଦୀପ ରାମଲାଲ ମୋଧିୟାଙ୍କ ଆଜୀବନ କାରାଦଣ୍ଡ ଉପରେ ରୋକ ଲଗାଇ ସୁପ୍ରିମକୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ବିଲକିସ୍ ବାନୋ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ଦୋଷୀଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ଦୋଷୀ ବିପିନଚନ୍ଦ୍ର କନୈୟାଲାଲ ଯୋଶୀ ଏବଂ ପ୍ରଦୀପ ରାମଲାଲ ମୋଧିୟାଙ୍କ ଆଜୀବନ କାରାଦଣ୍ଡ ଉପରେ ରୋକ ଲଗାଇ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଉଭୟ ଦୋଷୀ ୧୭ ବର୍ଷରୁ ଅଧିକ ସମୟ ଜେଲ୍ରେ ବିତାଇଛନ୍ତି।
ତେବେ ସେମାନଙ୍କ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ଦାୟର ଆବେଦନର ଶୁଣାଣି ଜାରି ରହିବ। ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ବିଚାରପତି ପ୍ରସନ୍ନ ବି ଭାରାଲଙ୍କ ଖଣ୍ଡପୀଠ ୨୮ ଅକ୍ଟୋବରରେ ଦୁଇ ଦୋଷୀଙ୍କ ଦ୍ୱାରା ଦାୟର ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନଗୁଡ଼ିକରେ ବମ୍ବେ ହାଇକୋର୍ଟଙ୍କର ୨୦୧୭ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ହାଇକୋର୍ଟ ଟ୍ରାଏଲ୍ କୋର୍ଟ ଦ୍ୱାରା ଦିଆଯାଇଥିବା ଦୋଷୀ ସାବ୍ୟସ୍ତ ଏବଂ ଆଜୀବନ କାରାଦଣ୍ଡାଦେଶକୁ ବଜାୟ ରଖିଥିଲା।
ଦୋଷୀଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ
ଶୁଣାଣି ସମୟରେ ଦୋଷୀଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ଯୁକ୍ତି ଦର୍ଶାଇଥିଲେ ଯେ, ଉଭୟ ୧୭ ବର୍ଷରୁ ଅଧିକ ସମୟ ଜେଲ୍ରେ ବିତାଇଛନ୍ତି। ସେ ଏହା ମଧ୍ୟ ଦର୍ଶାଇଥିଲେ, ଦୋଷୀଙ୍କ ମଧ୍ୟରୁ ଜଣେ ଗୁରୁତର ଭାବରେ ଦିବ୍ୟାଙ୍ଗ। ପ୍ରତିରକ୍ଷା ପକ୍ଷ ଯୁକ୍ତି ଦର୍ଶାଇଥିଲେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେଙ୍କ ନାମ ପ୍ରାରମ୍ଭିକ ଏଫଆଇଆରରେ ନଥିଲେ ଏବଂ ଘଟଣାର ପ୍ରାୟ ତିନି ବର୍ଷ ପରେ ତାଙ୍କୁ ମାମଲାରେ ଅଭିଯୁକ୍ତ କରାଯାଇଥିଲା।
ଆଇନ ଆଧାରରେ କରାଯିବ ବିଚାର
ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି, ଉଭୟ ଦୋଷୀଙ୍କ ଆବେଦନ ଏପରି ପ୍ରସଙ୍ଗ ଉଠାଇଛି ଯାହାକୁ ତଥ୍ୟ ଏବଂ ଆଇନ ଆଧାରରେ ବିଚାର କରାଯିବା ଆବଶ୍ୟକ। କୋର୍ଟ ସେମାନଙ୍କର ଦୀର୍ଘ ଜେଲ ଦଣ୍ଡ ଏବଂ ଦୋଷୀଙ୍କ ମଧ୍ୟରୁ ଜଣଙ୍କର ଗୁରୁତର ଦିବ୍ୟାଙ୍ଗତାକୁ ଦୃଷ୍ଟିରେ ରଖି ଆଶ୍ୱସ୍ତି ପ୍ରଦାନ କରି ଏହାକୁ ପ୍ରାସଙ୍ଗିକ ପରିସ୍ଥିତି ଭାବରେ ବିଚାର କରିଛନ୍ତି।
ମାମଲାର ସରିଛି ପ୍ରମାଣ ବିଚାର
ଅତିରିକ୍ତ ସଲିସିଟର ଜେନେରାଲ ରାଜା ଠାକରେ ଦୋଷୀଙ୍କ ଜାମିନ ଆବେଦନର ଦୃଢ଼ ବିରୋଧ କରି ଯୁକ୍ତି ଦେଇଥିଲେ ଯେ, ନିମ୍ନ ଅଦାଲତ ଏବଂ ବମ୍ବେ ହାଇକୋର୍ଟ ଉଭୟ ମାମଲାର ପ୍ରମାଣ ବିଚାର କରିସାରିଛନ୍ତି। ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଦୋଷୀଙ୍କୁ କୌଣସି ଆଶ୍ୱସ୍ତି ଦିଆଯିବା ଉଚିତ୍ ନୁହେଁ।
ପାଞ୍ଚ ମାସର ଗର୍ଭବତୀ
ତେବେ ସୁପ୍ରିମକୋର୍ଟ ଅପିଲରେ ବିଚାର କରାଯିବା ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ପରିସ୍ଥିତିକୁ ବିଚାରକୁ ନେଇ ସେମାନଙ୍କ ଦଣ୍ଡାଦେଶ ସ୍ଥଗିତ ରଖି ଜାମିନ ସର୍ତ୍ତାବଳୀ ନିର୍ଣ୍ଣୟ କରିବାର ଦାୟିତ୍ୱ ଟ୍ରାଏଲ୍ କୋର୍ଟକୁ ଦେଇଛନ୍ତି। ଏହି ମାମଲା ୨୦୦୨ ଗୁଜରାଟ ହିଂସା ସହିତ ଜଡିତ। ବିଲକିସ୍ ବାନୋ ଜଣେ ୨୧ ବର୍ଷୀୟା ମହିଳା। ସେତେବେଳେ ପାଞ୍ଚ ମାସର ଗର୍ଭବତୀ ଥିଲେ। ହିଂସା ସମୟରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା, ଏବଂ ତାଙ୍କ ପରିବାରର ସାତ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ନିହତଙ୍କ ମଧ୍ୟରେ ତାଙ୍କ ତିନି ବର୍ଷର ଝିଅ ମଧ୍ୟ ଥିଲେ।
୨୦୦୮ ମସିହାରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ବମ୍ବେ ହାଇକୋର୍ଟ ସେମାନଙ୍କ ଦଣ୍ଡକୁ ବଜାୟ ରଖିଥିଲେ। ଗୁଜରାଟ ସରକାର ୧୫ ଅଗଷ୍ଟ ୨୦୨୨ରେ ଏହି ୧୧ ଜଣ ଦୋଷୀଙ୍କୁ କ୍ଷମା ପ୍ରଦାନ କରିସେମାନଙ୍କୁ ମୁକ୍ତ କରିଥିଲେ। ତେବେ ୮ ଜାନୁଆରି ୨୦୨୪ରେ ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରିଦେଇଥିଲେ। କୋର୍ଟ ରାୟ ଦେଇଥିଲେ ଯେ, ଗୁଜରାଟ ସରକାରଙ୍କ ପାଖରେ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବାର ଅଧିକାର ନାହିଁ। ଫଳସ୍ୱରୂପ, ସମସ୍ତ ଦୋଷୀଙ୍କୁ ଜେଲ୍କୁ ଫେରିବାକୁ ବାଧ୍ୟ କରାଯାଇଥିଲା।
What's Your Reaction?