ସିଇସି ନା ନିର୍ବାଚନ କମିସନର? କାହା ପାଖରେ କେତେ କ୍ଷମତା, ୧୯୯୫ ରାୟରେ ହୋଇଥିଲା ସ୍ପଷ୍ଟ

Sep 24, 2026 - 11:52
ସିଇସି ନା ନିର୍ବାଚନ କମିସନର? କାହା ପାଖରେ କେତେ କ୍ଷମତା, ୧୯୯୫ ରାୟରେ ହୋଇଥିଲା ସ୍ପଷ୍ଟ

ନିର୍ବାଚନ କମିସନରେ CEC ଓ ଅନ୍ୟ କମିସନରଙ୍କ କ୍ଷମତାକୁ ନେଇ ୧୯୯୫ର ଟି.ଏନ୍. ଶେଷନ ବନାମ ୟୁନିୟନ ଅଫ ଇଣ୍ଡିଆ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। 

ଭାରତୀୟ ନିର୍ବାଚନ କମିସନରେ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ କ୍ଷମତାକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି । ଏହାର ପଛରେ ରହିଛି ୧୯୯୫ ମସିହାର ଟି.ଏନ୍. ଶେଷନ ବନାମ ୟୁନିୟନ ଅଫ ଇଣ୍ଡିଆ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ।

୧୯୯୩ରେ ନିର୍ବାଚନ କମିସନକୁ ବହୁ-ସଦସ୍ୟ କରାଯାଇଥିଲା । ସେତେବେଳେ ଟି.ଏନ୍. ଶେଷନ ମୁଖ୍ୟ ନିର୍ବାଚନ କମିସନର ଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଶେଷନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଯୁକ୍ତି ଥିଲା, ନିର୍ବାଚନ କମିସନରେ ସିଇସିଙ୍କ ଭୂମିକା ଅନ୍ୟ କମିସନରଙ୍କଠାରୁ ଅଧିକ ଏବଂ ଶେଷ ନିଷ୍ପତ୍ତି ନେବାର କ୍ଷମତା ସିଇସିଙ୍କ ପାଖରେ ରହିବା ଉଚିତ । କିନ୍ତୁ ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ । କୋର୍ଟ କହିଥିଲେ, ଯେତେବେଳେ ନିର୍ବାଚନ କମିସନ ବହୁ-ସଦସ୍ୟ ସଂସ୍ଥା ଭାବେ କାର୍ଯ୍ୟ କରେ, ସେତେବେଳେ ଅନ୍ୟ ନିର୍ବାଚନ କମିସନରମାନେ କେବଳ ସିଇସିଙ୍କ ପରାମର୍ଶଦାତା ନୁହନ୍ତି । ସେମାନଙ୍କର ମଧ୍ୟ ନିଷ୍ପତ୍ତି ନେବାର ଅଧିକାର ରହିଛି । ସିଇସିଙ୍କ ପାଖରେ ଏକତରଫା ଭିଟୋ କ୍ଷମତା ନାହିଁ।

ସମ୍ବିଧାନର ଧାରା ୩୨୪ ଅନୁସାରେ ନିର୍ବାଚନର ତଦାରଖ, ନିର୍ଦ୍ଦେଶ ଓ ନିୟନ୍ତ୍ରଣ ନିର୍ବାଚନ କମିସନ ହାତରେ ରହିଛି । ବହୁ-ସଦସ୍ୟ କମିସନରେ ସିଇସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି, କିନ୍ତୁ ଏହାର ଅର୍ଥ ଅନ୍ୟ କମିସନରଙ୍କ ଭୂମିକା ଗୌଣ ନୁହେଁ । ୧୯୯୫ର ଏହି ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ବହୁ-ସଦସ୍ୟ ନିର୍ବାଚନ କମିସନରେ ସମସ୍ତ ସଦସ୍ୟଙ୍କ ମତର ଗୁରୁତ୍ୱ ରହିଛି। ମତଭେଦ ହେଲେ ନିୟମ ଅନୁଯାୟୀ ନିଷ୍ପତ୍ତି ନିଆଯାଏ ।

ନିର୍ବାଚନ କମିସନରେ ସିଇସିଙ୍କ ଅଧ୍ୟକ୍ଷତା ଥିଲେ ମଧ୍ୟ, “CEC is first among equals” ବୋଲି ଯେଉଁ ଧାରଣା ପ୍ରଚଳିତ, ତାହାର ଅର୍ଥ ସିଇସିଙ୍କ ପାଖରେ ସମସ୍ତ ନିଷ୍ପତ୍ତିର ଏକଚାଟିଆ କ୍ଷମତା ନୁହେଁ । ବର୍ତ୍ତମାନର ନିର୍ବାଚନ କମିସନକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ୧୯୯୫ର ଏହି ରାୟ ପୁଣିଥରେ ଗୁରୁତ୍ୱପୂର୍ଣ୍ଣ ହୋଇଛି । 

What's Your Reaction?

like

dislike

love

funny

angry

sad

wow