ସୁନା ମୂର୍ତ୍ତି ଲୋଭରେ ତାନ୍ତ୍ରିକଙ୍କୁ ହତ୍ୟା ! ପ୍ରେମ ସମ୍ପର୍କ ଭାଙ୍ଗିବାକୁ ଦେଇଥିଲେ ୧୯ ହଜାର, ୩ ଗିରଫ !

Aug 25, 2026 - 11:58
 0  0
ସୁନା ମୂର୍ତ୍ତି ଲୋଭରେ ତାନ୍ତ୍ରିକଙ୍କୁ ହତ୍ୟା ! ପ୍ରେମ ସମ୍ପର୍କ ଭାଙ୍ଗିବାକୁ ଦେଇଥିଲେ ୧୯ ହଜାର, ୩ ଗିରଫ !

ପର୍ଶୁରାମ ପ୍ରଧାନ ଘରେ ଦେବୀଙ୍କ ମନ୍ଦିର କରି ପୂଜାପାଠ କରୁଥିଲେ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାର ଦାବି କରି ସେ ଟଙ୍କା ନେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା । ହଠାତ୍‌ ତାଙ୍କ ଘରୁ ଅଧାପୋଡ଼ା ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

ପୁଣି ସୁନା ମୂର୍ତ୍ତିକୁ ନେଇ ହତ୍ୟାକାଣ୍ଡ । ପୁରୀ କଣାସ ଅଞ୍ଚଳରେ ଜଣେ ତାନ୍ତ୍ରିକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ପ୍ରେମ ସମ୍ପର୍କ ଓ ସୁନା ମୂର୍ତ୍ତିର ଲୋଭକୁ ନେଇ ତାନ୍ତ୍ରିକ ପର୍ଶୁରାମ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

କଣାସ ମନ୍ଦାରବସ୍ତା ଅଞ୍ଚଳର ପର୍ଶୁରାମ ପ୍ରଧାନ ଘରେ ଦେବୀଙ୍କ ମନ୍ଦିର କରି ପୂଜାପାଠ କରୁଥିଲେ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାର ଦାବି କରି ସେ ଟଙ୍କା ନେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା । ହଠାତ୍‌ ତାଙ୍କ ଘରୁ ଅଧାପୋଡ଼ା ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଘଟଣାର ତଦନ୍ତ କରି ପୁଲିସ ଏହା ପଛରେ ଥିବା ଷଡ଼ଯନ୍ତ୍ରର ସୁରାକ୍‌ ପାଇଥିଲା । ସୁରେଶ ସାହୁଙ୍କ ଭାଇ ରାକେଶଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଏହି ସମ୍ପର୍କ ଭାଙ୍ଗିବା ପାଇଁ ସୁରେଶ ତାନ୍ତ୍ରିକ ପର୍ଶୁରାମଙ୍କ ସହ ଯୋଗାଯୋଗ କରି ୧୯ ହଜାର ଟଙ୍କା ଦେଇଥିବା ପୁଲିସ କହିଛି ।

ପରେ ପର୍ଶୁରାମ ସୁନା ମୂର୍ତ୍ତିର ଲୋଭ ଦେଖାଇଥିବା ଅଭିଯୋଗ ହୋଇଛି । ରାଜକିଶୋରଙ୍କ ଜମିରେ ୧୭୦ ଗ୍ରାମ ଓଜନର ସୁନା ଦୁର୍ଗାମୂର୍ତ୍ତି ଓ ସୁନା ଅଳଙ୍କାର ଭର୍ତ୍ତି ହାଣ୍ଡି ପୋତା ହୋଇଥିବା ସେ କହିଥିବା ତଦନ୍ତରୁ ଜଣାପଡ଼ିଛି । ଏହାକୁ ଖୋଳି ବାହାର କରିବା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ସୁନା ମୂର୍ତ୍ତି ଓ ଅଳଙ୍କାର ମିଳିବା ନେଇ ପର୍ଶୁରାମଙ୍କ କଥା ଅନୁସାରେ କାମ ଆଗକୁ ବଢ଼ିଥିଲେ ବି ଶେଷରେ କିଛି ମିଳିନଥିଲା। ଏହାକୁ ନେଇ ଅଭିଯୁକ୍ତମାନେ ପର୍ଶୁରାମଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ପ୍ରମାଣ ନଷ୍ଟ କରିବାକୁ ଘରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ କରାଯାଇଥିବା ମଧ୍ୟ ତଦନ୍ତରୁ ସାମ୍ନାକୁ ଆସିଛି ।

ଘଟଣାରେ ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳର ରାଜକିଶୋର ସାହୁ, ସୁରେଶ ସାହୁ ଏବଂ କେନ୍ଦ୍ରାପଡ଼ା ଭିତରବାମ୍ପୁ ଅଞ୍ଚଳର ସତ୍ୟବ୍ରତ ମଲ୍ଲିକଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ମୋବାଇଲ୍‌ ଫୋନ୍‌, ଏକ ଛୁରି ଓ ଗୋଟିଏ ବାଇକ୍‌ ଜବତ ହୋଇଛି । ଦୁଇ ଦିନ ତଳେ ପୁରୀ ରାମଚଣ୍ଡୀ ଥାନା ଅଞ୍ଚଳରେ ମୂର୍ତ୍ତି ତସ୍କରୀ ଡିଲ୍‌କୁ ନେଇ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ଏବେ ପୁଣି କଣାସରେ ସୁନା ମୂର୍ତ୍ତିକୁ ନେଇ ହତ୍ୟା ଘଟଣା ପୁରୀରେ ଚର୍ଚ୍ଚା ବଢ଼ାଇଛି ।

What's Your Reaction?

like

dislike

love

funny

angry

sad

wow