ସ୍କୁଲ୍ ମିଡ୍-ଡେ ମିଲ୍‌ରେ ଚିକେନ୍ ବିରିୟାନୀ! ଆସିଲା ବଡ଼ ଖବର

Sep 19, 2026 - 11:22
ସ୍କୁଲ୍ ମିଡ୍-ଡେ ମିଲ୍‌ରେ ଚିକେନ୍ ବିରିୟାନୀ! ଆସିଲା ବଡ଼ ଖବର

ତାମିଲନାଡୁର ସରକାରୀ ସ୍କୁଲ୍‌ର ମିଡ୍-ଡେ ମିଲ୍‌ରେ ଚିକେନ୍ ବିରିୟାନୀ ସାମିଲ କରିବାକୁ ସରକାର ବିଚାର କରୁଛି। ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ କରାଯାଇ ହାଇଜିନ୍, ଫୁଡ୍ ସେଫ୍ଟି ଓ ଲଜିଷ୍ଟିକ୍ସ ପରୀକ୍ଷା କରାଯିବ। ନନ୍-ଭେଜ୍ ନଖାଉଥିବା ପିଲାଙ୍କ ପାଇଁ ଭେଜ୍ ମିଲ୍‌ର ବିକଳ୍ପ ରହିବ। 

ସ୍କୁଲ୍ ପିଲାଙ୍କ ଥାଳିରେ ଏଣିକି ମିଳିପାରେ ଚିକେନ୍ ବିରିୟାନୀ । ମିଡ୍-ଡେ ମିଲ୍‌କୁ ନେଇ ତାମିଲନାଡୁ ସରକାରଙ୍କ ଏହି ପ୍ରସ୍ତାବ ଏବେ ଚର୍ଚ୍ଚାରେ। ସରକାରୀ ସ୍କୁଲ୍‌ରେ ପଢୁଥିବା ପିଲାମାନଙ୍କୁ ସପ୍ତାହକୁ ଥରେ ଚିକେନ୍ ବିରିୟାନୀ ଦେବା ନେଇ ବିଚାର କରାଯାଉଛି । ତେବେ ଏହାକୁ ତୁରନ୍ତ ସବୁ ସ୍କୁଲ୍‌ରେ ଲାଗୁ କରାଯିବ ନାହିଁ । ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ କରାଯିବ ଏବଂ ଏହାପରେ ବ୍ୟବସ୍ଥା ସଫଳ ହେଲେ ବିସ୍ତାର କରାଯିବ । ତାମିଲନାଡୁର ସ୍କୁଲ୍ ଶିକ୍ଷାମନ୍ତ୍ରୀ ରାଜ ମୋହନ କହିଛନ୍ତି, ସରକାରୀ ସ୍କୁଲ୍‌ର ସମସ୍ତ ପିଲାଙ୍କୁ ଚିକେନ୍ ବିରିୟାନୀ ଦେବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା । କିନ୍ତୁ ଏହି ଯୋଜନାକୁ ଲାଗୁ କରିବା ପୂର୍ବରୁ ଅନେକ ଦିଗ ଉପରେ ପରୀକ୍ଷା କରାଯିବ । ବିଶେଷକରି ଖାଦ୍ୟର ଗୁଣବତ୍ତା, ସ୍ୱଚ୍ଛତା, ଖାଦ୍ୟ ସୁରକ୍ଷା ଏବଂ ଏତେ ବଡ଼ ସଂଖ୍ୟାରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣର ବ୍ୟବସ୍ଥା କିପରି ହେବ, ତାହା ଉପରେ ନଜର ରହିବ ।

ଏହି ପ୍ରସ୍ତାବ ପ୍ରଥମେ ଜୁଲାଇ ମାସରେ ସାମ୍ନାକୁ ଆସିଥିଲା । ସେତେବେଳେ ସରକାରୀ ସ୍କୁଲ୍‌ର ମିଡ୍-ଡେ ମିଲ୍‌ରେ ସପ୍ତାହକୁ ଥରେ ଚିକେନ୍ ବିରିୟାନୀ ସାମିଲ କରିବା ନେଇ ବିଚାର ଚାଲିଥିବା ଜଣାପଡ଼ିଥିଲା । ମନ୍ତ୍ରୀଙ୍କ କହିବା ଅନୁସାରେ, ବଢ଼ୁଥିବା ପିଲାଙ୍କ ଶରୀର ପାଇଁ ପ୍ରୋଟିନ୍‌ର ଆବଶ୍ୟକତା ରହିଛି । ତେଣୁ ସ୍କୁଲ୍ ଭୋଜନରେ ପୌଷ୍ଟିକ ଖାଦ୍ୟକୁ ଗୁରୁତ୍ୱ ଦେବା ଏହି ପ୍ରସ୍ତାବର ଏକ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।

ଏହି ପ୍ରସ୍ତାବକୁ ନେଇ ମନ୍ତ୍ରୀ ଏକ ଉଦାହରଣ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ପୁଝଲ ଜେଲ୍‌ରେ ଯଦି କଏଦୀମାନଙ୍କୁ ଚିକେନ୍ ବିରିୟାନୀ ଦିଆଯାଉଛି, ତେବେ ସ୍କୁଲ୍ ପିଲାମାନଙ୍କୁ ଏହା ଦେବାରେ ଅସୁବିଧା କ’ଣ? ତେବେ ଏହା ଏକ ପ୍ରସ୍ତାବ ହୋଇଥିବାରୁ ଏପର୍ଯ୍ୟନ୍ତ ଏହାକୁ ସବୁ ସ୍କୁଲ୍‌ରେ ଲାଗୁ କରାଯାଇନାହିଁ ।

ଅନ୍ୟପଟେ, ଯେଉଁ ପିଲାମାନେ ନନ୍-ଭେଜ୍ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ ଭେଜିଟେରିଆନ୍ ଭୋଜନ ଜାରି ରହିବ ବୋଲି କୁହାଯାଇଛି। ଅର୍ଥାତ୍ ଚିକେନ୍ ବିରିୟାନୀ ଏକ ବିକଳ୍ପ ଭାବେ ରହିପାରେ । ତେବେ ଏବେ ନଜର ରହିଛି ପାଇଲଟ୍ ପ୍ରୋଜେକ୍ଟ ଉପରେ। ପାଇଲଟ୍ ପରୀକ୍ଷାରେ ଖାଦ୍ୟ ପ୍ରସ୍ତୁତି, ସ୍ୱଚ୍ଛତା, ଗୁଣବତ୍ତା ଓ ବଣ୍ଟନ ବ୍ୟବସ୍ଥାକୁ ପରଖାଯିବ । ଏହାପରେ ହିଁ ସମଗ୍ର ତାମିଲନାଡୁର ସରକାରୀ ସ୍କୁଲ୍‌ରେ ଏହି ଯୋଜନା ଲାଗୁ ହେବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ। 

What's Your Reaction?

like

dislike

love

funny

angry

sad

wow