ହର୍ମୁଜରେ ଭାରତ ପାଇଁ ଚିନ୍ତାଜନକ ଖବର, ବିପଦରେ ୯ ଜାହାଜ: ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଆଲର୍ଟ

Nov 20, 2026 - 14:58
ହର୍ମୁଜରେ ଭାରତ ପାଇଁ ଚିନ୍ତାଜନକ ଖବର, ବିପଦରେ ୯ ଜାହାଜ: ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଆଲର୍ଟ

ହର୍ମୁଜ ପ୍ରଣାଳୀ ନିକଟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। ଏହି ଅଞ୍ଚଳରେ ଭାରତୀୟ ପତାକା ବହନ କରୁଥିବା ନଅଟି ଜାହାଜ ଉପରେ କଡ଼ା ନଜର ରଖାଯାଇଛି। 

ହର୍ମୁଜ ପ୍ରଣାଳୀ ନିକଟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। ଏହି ଅଞ୍ଚଳରେ ଭାରତୀୟ ପତାକା ବହନ କରୁଥିବା ନଅଟି ଜାହାଜ ଉପରେ କଡ଼ା ନଜର ରଖାଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ ​​କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋନୋୱାଲ ଗୁରୁବାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଭାରତୀୟ ଜାହାଜ ଓ ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ସେ ସମ୍ବେଦନଶୀଳ ସାମୁଦ୍ରିକ କ୍ଷେତ୍ରରେ ନଜର ରଖିବା ଓ ସୁରକ୍ଷା ସମ୍ବନ୍ଧୀୟ ସୂଚନାର ସମୟୋଚିତ ଆଦାନପ୍ରଦାନ ସୁନିଶ୍ଚିତ କରିବାକୁ ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ (ଡିଜିଏମ୍‌ଏ)କୁ ନିର୍ଦ୍ଦେଶ ଦେଇଥିଲେ। 

ଭାରତୀୟ ନାବିକଙ୍କୁ ସଚେତନତା ନିର୍ଦ୍ଦେଶ
ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସୋନୋୱାଲ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ମଧ୍ୟରେ ସମ୍ବେଦନଶୀଳ ଓ ଦୁର୍ବଳ ସାମୁଦ୍ରିକ ଅଞ୍ଚଳରେ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା। ସୁରକ୍ଷା ସମ୍ବନ୍ଧୀୟ ଚେତାବନୀ ଓ ପରାମର୍ଶ ସମୟରେ ଜାହାଜଗୁଡ଼ିକୁ ପ୍ରଦାନ କରିବା। ଜାହାଜ କମ୍ପାନି ଓ ଜାହାଜ ପରିଚାଳକଙ୍କ ସହିତ ନିୟମିତ ଯୋଗାଯୋଗ ବଜାୟ ରଖିବା। ସମ୍ଭାବ୍ୟ ବିପଦ ଓ ସେଗୁଡ଼ିକୁ ରୋକିବା ପାଇଁ ପଦକ୍ଷେପ ବିଷୟରେ ଭାରତୀୟ ନାବିକମାନଙ୍କୁ ସଚେତନ କରିବା।

ଭାରତୀୟ ନାବିକମାନଙ୍କୁ ଟାର୍ଗେଟ
ବିଶ୍ୱର ବିଭିନ୍ନ ସ୍ଥାନରେ ବାଣିଜ୍ୟ ଜାହାଜ ଉପରେ ବାରମ୍ବାର ଆକ୍ରମଣକୁ ସୋନୋୱାଲ ଦୃଢ଼ ନିନ୍ଦା କରିଛନ୍ତି। ସେ ବିଶେଷକରି ଭାରତୀୟ ନାବିକମାନଙ୍କୁ ଟାର୍ଗେଟ କରି ଘଟୁଥିବା ଘଟଣା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏପରି ଘଟଣା ନାବିକମାନଙ୍କ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି, ସାମୁଦ୍ରିକ ବାଣିଜ୍ୟକୁ ପ୍ରଭାବିତ କରୁଛି ଓ ବିଶ୍ୱ ଯୋଗାଣ ଶୃଙ୍ଖଳାର ସ୍ଥିରତାକୁ ଦୁର୍ବଳ କରୁଛି।

କେନ୍ଦ୍ରମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟ, ଭାରତୀୟ କୂଟନୈତିକ ମିଶନ, ସାମୁଦ୍ରିକ କ୍ଷେତ୍ରର ଅଂଶୀଦାର ଓ ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ପତାକା ବହନ କରୁଥିବା ଜାହାଜ କିମ୍ବା ଭାରତକୁ ସାମଗ୍ରୀ ପରିବହନ କରୁଥିବା ଜାହାଜ ଏପର୍ଯ୍ୟନ୍ତ ୮୬ ଥର ହର୍ମୁଜ୍ ପ୍ରଣାଳୀ ଦେଇ ଗମନ କରିଛନ୍ତି। ଏଥିରେ ଆହୁରି କୁହାଯାଇଛି ଯେ, ମନ୍ତ୍ରଣାଳୟର ଇ-ନାଭିକ୍ ସିଫେରର୍ ଟ୍ରାକିଂ ମଡ୍ୟୁଲ୍ ହର୍ମୁୂଜ ପ୍ରଣାଳୀର ପଶ୍ଚିମରେ ପାରସ୍ୟ ଉପସାଗରରେ ୮୦୦ ରୁ ଅଧିକ ଜାହାଜ ଓ ପୂର୍ବରେ ଓମାନ ଉପସାଗରରେ ୨୦୦ ରୁ ଅଧିକ ଜାହାଜକୁ ଟ୍ରାକ୍ କରୁଛି।

What's Your Reaction?

like

dislike

love

funny

angry

sad

wow