୨୨ ବର୍ଷ ଧରି ଅସମାହିତ ମା’ ବିରଜାଙ୍କ ମୂର୍ତ୍ତି ବଦଳ ରହସ୍ୟ, ୧୫ ଦିନର ମହଲତ

Sep 22, 2026 - 12:00
୨୨ ବର୍ଷ ଧରି ଅସମାହିତ ମା’ ବିରଜାଙ୍କ ମୂର୍ତ୍ତି ବଦଳ ରହସ୍ୟ, ୧୫ ଦିନର ମହଲତ

୨୦୦୪ରେ ମା’ ବିରଜାଙ୍କ ମୂର୍ତ୍ତି ବଦଳ ନେଇ ଉଠିଥିବା ବିବାଦର ତଦନ୍ତ ୨୦୦୬ରେ ଶେଷ ହୋଇଥିବା କୁହାଯାଉଛି । ତେବେ ଦୀର୍ଘ ବର୍ଷ ପରେ ମଧ୍ୟ ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇନଥିବା ଅଭିଯୋଗ ହୋଇଛି । ରିପୋର୍ଟ ପ୍ରକାଶ ଦାବିରେ ସାମାଜିକ କର୍ମୀ ହରେକୃଷ୍ଣ ଦାସ ସରକାରଙ୍କୁ ୧୫ ଦିନର ସମୟ ଦେଇଛନ୍ତି । 

 ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମୂର୍ତ୍ତି ବଦଳ ଘଟଣାକୁ ପ୍ରାୟ ୨୨ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାର ତଦନ୍ତ ରିପୋର୍ଟ ଏଯାଏଁ ସାର୍ବଜନୀନ ହୋଇନଥିବା ଅଭିଯୋଗ ହୋଇଛି । ୨୦୦୪ ମସିହାରେ ଘଟିଥିବା ଏହି ଘଟଣାକୁ ନେଇ ସେତେବେଳେ ଯାଜପୁର ସମେତ ସମଗ୍ର ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ୨୦୦୪ ସେପ୍ଟେମ୍ବରରେ ମନ୍ଦିର ମରାମତି ସମୟରେ ମା’ ବିରଜାଙ୍କ ମୂର୍ତ୍ତି ବଦଳ କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା । ଏହା ସହ ମୂର୍ତ୍ତି ସ୍ଥାନରେ ତାମ୍ର ଯନ୍ତ୍ର ସ୍ଥାପନ ଏବଂ ପୀଠରେ ତନ୍ତ୍ର ସାଧନା କରାଯାଇଥିବା ନେଇ ମଧ୍ୟ ସେତେବେଳେ ଅଭିଯୋଗ ଆସିଥିଲା । ଘଟଣାକୁ ନେଇ ଯାଜପୁର ଜିଲ୍ଲାର ଜଣେ ବରିଷ୍ଠ ରାଜନେତା ଏବଂ ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ପରିବାର ମଧ୍ୟ ବିବାଦ ଘେରକୁ ଆସିଥିବା ଚର୍ଚ୍ଚା ହୋଇଥିଲା । ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଥିଲା । ଏହାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆର୍‌ଡିସିଙ୍କ ନେତୃତ୍ୱରେ ତଦନ୍ତ କରାଯାଇଥିଲା । ୨୦୦୬ ମସିହାରେ ତଦନ୍ତ ଶେଷ ହୋଇ ରିପୋର୍ଟ ଦାଖଲ ହୋଇଥିବା କୁହାଯାଉଥିଲେ ମଧ୍ୟ ଏହାର ବିଷୟବସ୍ତୁ ଏଯାଏଁ ସାର୍ବଜନୀନ ହୋଇନଥିବା ଅଭିଯୋଗ ରହିଛି ।

ରିପୋର୍ଟରେ ମୂର୍ତ୍ତି ବଦଳ ଘଟଣା ସମ୍ପର୍କରେ କ’ଣ ତଥ୍ୟ ରହିଛି, କାହାର ଦାୟିତ୍ୱ ନିର୍ଦ୍ଧାରଣ ହୋଇଛି କି ନାହିଁ ଏବଂ ରିପୋର୍ଟ ଆଧାରରେ ସରକାର କୌଣସି ପଦକ୍ଷେପ ନେଇଛନ୍ତି କି ନାହିଁ, ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନଥିବା ନେଇ ପ୍ରଶ୍ନ ଉଠିଛି । ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ସାମାଜିକ କର୍ମୀ ହରେକୃଷ୍ଣ ଦାସ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ସାର୍ବଜନୀନ କରାନଗଲେ ସେ ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି । ଦୀର୍ଘ ବର୍ଷ ଧରି ରିପୋର୍ଟ ସାର୍ବଜନୀନ ନହେବା ପଛରେ କାରଣ କ’ଣ ଏବଂ ଏହି ମାମଲାରେ ସରକାରୀ ସ୍ତରରେ କ’ଣ ପଦକ୍ଷେପ ନିଆଯାଇଛି, ତାହା ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି ।

What's Your Reaction?

like

dislike

love

funny

angry

sad

wow