ଅପହରଣ ପରେ ଯୁବକଙ୍କୁ ହତ୍ୟା ସନ୍ଦେହ, ପରିତ୍ୟକ୍ତ କ୍ରସରରୁ ମିଳିଲା ମୃତଦେହ

Sep 22, 2026 - 12:12
ଅପହରଣ ପରେ ଯୁବକଙ୍କୁ ହତ୍ୟା ସନ୍ଦେହ, ପରିତ୍ୟକ୍ତ କ୍ରସରରୁ ମିଳିଲା ମୃତଦେହ

ସମ୍ବଲପୁର ଶାସନ ଥାନା ଗିରିପାଲିର ଏକ ପରିତ୍ୟକ୍ତ କ୍ରସର ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ଗତ ୧୯ ତାରିଖରୁ କବରାପାଲିର ଜଣେ ଯୁବକ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିବାରୁ, ମିଳିଥିବା ମୃତଦେହ ତାଙ୍କର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଶାସନ ଓ ସଦର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। 

ସମ୍ବଲପୁର ଶାସନ ଥାନା ଗିରିପାଲି ଅଞ୍ଚଳରେ ଯୁବକଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଏକ ପରିତ୍ୟକ୍ତ କ୍ରସର ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ, ସଦର ଥାନା ଅଧୀନ କବରାପାଲି ଅଞ୍ଚଳର ଜଣେ ଯୁବକଙ୍କୁ ଗତ ୧୯ ତାରିଖରୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏହାର କିଛି ଦିନ ପରେ ଗିରିପାଲିର ଏକ ପରିତ୍ୟକ୍ତ କ୍ରସର ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ମିଳିବାରୁ, ଏହା ଅପହୃତ ଯୁବକଙ୍କର ହୋଇଥାଇପାରେ ବୋଲି ସନ୍ଦେହ ଘନୀଭୂତ ହୋଇଛି । ମୃତଦେହ ମିଳିବା ପରେ ଶାସନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସଦର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅପହରଣ ଅଭିଯୋଗ ସହ ମିଳିଥିବା ମୃତଦେହର କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ଯାଞ୍ଚ କରୁଛି । ମୃତଦେହର ପରିଚୟ ନିଶ୍ଚିତ କରିବା ସହ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ପୋଷ୍ଟମର୍ଟମ୍ ରିପୋର୍ଟ ଓ ତଦନ୍ତ ପରେ ଘଟଣାଟି ହତ୍ୟା କି ଅନ୍ୟ କୌଣସି କାରଣରୁ ଯୁବକଙ୍କ ମୃତ୍ୟୁ ଘଟିଛି, ସେନେଇ ସ୍ପଷ୍ଟ ତଥ୍ୟ ମିଳିପାରେ । 

What's Your Reaction?

like

dislike

love

funny

angry

sad

wow