ଆମେରିକାରେ ପଞ୍ଜାବୀ ଶିଖ ଟ୍ରକ୍ ଡ୍ରାଇଭରଙ୍କୁ ୧୭ ଥର ଛୁରାମାଡ଼! ରେଷ୍ଟ ଏରିଆରେ ଭୟଙ୍କର ଆକ୍ରମଣ
ଆମେରିକାର ୱାୟୋମିଙ୍ଗରେ ୨୮ ବର୍ଷୀୟ ପଞ୍ଜାବୀ ଶିଖ ଟ୍ରକ୍ ଡ୍ରାଇଭରଙ୍କୁ ୧୭ ଥର ଛୁରାମାଡ଼ ହୋଇଛି। ଘଟଣାରେ ଜଣେ ସନ୍ଦିଗ୍ଧ ଗିରଫ ହୋଇଥିବା ବେଳେ ଆକ୍ରମଣର ଉଦ୍ଦେଶ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଆମେରିକାରେ ଶିଖ ଟ୍ରକ୍ ଡ୍ରାଇଭରଙ୍କୁ ଭୟଙ୍କର ଆକ୍ରମଣ । ୨୮ ବର୍ଷୀୟ ପଞ୍ଜାବୀ ଶିଖ ଟ୍ରକ୍ ଡ୍ରାଇଭରଙ୍କୁ ଥରେ କି ଦୁଇଥର ନୁହେଁ, ୧୭ ଥର ଛୁରାମାଡ଼ କରାଯାଇଛି । ଆମେରିକାର ୱାୟୋମିଙ୍ଗର ଏକ ରେଷ୍ଟ ଏରିଆରେ ଘଟିଛି ଏହି ଘଟଣା । ସାକ୍ରାମେଣ୍ଟୋର ଏହି ଟ୍ରକ୍ ଡ୍ରାଇଭର ନିଜକୁ କେବଳ ‘ସିଂହ’ ବୋଲି ପରିଚୟ ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ରବିବାର ସକାଳେ ଇଣ୍ଟରଷ୍ଟେଟ୍-୮୦ ନିକଟ ବିଟର କ୍ରିକ୍ ରେଷ୍ଟ ଏରିଆର ଶୌଚାଳୟକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପଛେ ପଛେ ଭିତରକୁ ଯାଇଥିଲେ। ହଠାତ୍ ସେ ଛୁରି ବାହାର କରି ଆକ୍ରମଣ କରିଥିଲେ ।
ଆକ୍ରମଣରେ ସିଂହଙ୍କ ବେକ, ଛାତି, ବାହୁ ଓ ପଞ୍ଜରରେ ଏକାଧିକ ଆଘାତ ଲାଗିଛି । କୌଣସିମତେ ଶୌଚାଳୟରୁ ବାହାରି ଆସିବା ପରେ ସେ ସେଠାରେ ହିଁ ଟଳିପଡ଼ିଥିଲେ ଏବଂ ସହାୟତା ପାଇଁ ଫୋନ୍ କରିଥିଲେ । ସେହି ସମୟରେ ରେଷ୍ଟ ଏରିଆରେ ଥିବା ଏକ ହିସ୍ପାନିକ୍ ପରିବାର ଘଟଣାସ୍ଥଳକୁ ଆସି ସିଂହଙ୍କୁ ସହାୟତା କରିଥିଲେ । ପୁଲିସକୁ ସନ୍ଦିଗ୍ଧଙ୍କ ଟ୍ରକ୍ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।
ପରେ ୱାୟୋମିଙ୍ଗ ହାଇୱେ ପାଟ୍ରୋଲ୍ ରାୱଲିନ୍ସ ନିକଟରେ ଟ୍ରକ୍ଟିକୁ ଅଟକାଇ ସନ୍ଦିଗ୍ଧ ଆଣ୍ଡ୍ରୁ କ୍ରିସ୍ ବ୍ଜଡାକ୍ଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ପ୍ରଥମ ଡିଗ୍ରୀ ହତ୍ୟା ଉଦ୍ୟମ ଅଭିଯୋଗ ଲାଗିଛି । ତେବେ ଏହି ଆକ୍ରମଣ ପଛରେ ଉଦ୍ଦେଶ୍ୟ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ଅଧିକାରୀମାନେ ସ୍ପଷ୍ଟ କରିନାହାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରମଣର କିଛି ଦିନ ପୂର୍ବରୁ ଆମେରିକାର ଡିପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ଏକ ଏଆଇ-ନିର୍ମିତ ପୋଷ୍ଟର ସେୟାର କରିଥିଲା। ସେଥିରେ ‘ମିଷ୍ଟର ସିଂହ’ଙ୍କୁ ଟାର୍ଗେଟ୍ କରି ଆମେରିକାର ରାସ୍ତାରୁ ଚାଲିଯିବା ଏବଂ ଦେଶ ଛାଡ଼ିବାକୁ ଆହ୍ୱାନ କରାଯାଇଥିଲା। ଏହି ପୋଷ୍ଟକୁ ନେଇ ପ୍ରବଳ ସମାଲୋଚନା ହେବା ପରେ ଡିଏଚଏସ୍ ଏହାକୁ ହଟାଇ ଦେଇଥିଲା ।
ଘଟଣାକୁ ନେଇ ଭାରତୀୟ ବଂଶୋଦ୍ଭବ ଆମେରିକୀୟ କଂଗ୍ରେସ ସଦସ୍ୟ ରାଜା କ୍ରିଷ୍ଣମୂର୍ତ୍ତି ପ୍ରତିକ୍ରିୟା ଦେଇ ଆକ୍ରମଣକୁ ନିନ୍ଦା କରିଛନ୍ତି । ତେବେ ଟ୍ରକ୍ ଡ୍ରାଇଭର ସିଂହଙ୍କ ଉପରେ ଆକ୍ରମଣ ଏବଂ ଡିଏଚଏସ୍ର ପୂର୍ବ ପୋଷ୍ଟ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ଥିବା କଥା ଅଧିକାରୀମାନେ ଏପର୍ଯ୍ୟନ୍ତ କହିନାହାନ୍ତି । ପ୍ରାୟ ୩ ବର୍ଷ ଧରି କମର୍ସିଆଲ୍ ଟ୍ରକ୍ ଚଳାଉଥିବା ସିଂହ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ । ଏହି ଘଟଣା ପରେ ଆମେରିକାରେ ଯାତାୟାତ କରୁଥିବା ଅନ୍ୟ ପଞ୍ଜାବୀ ଶିଖ ଟ୍ରକ୍ ଡ୍ରାଇଭରଙ୍କ ସୁରକ୍ଷାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି ।
What's Your Reaction?