ଇରାନୀ ବିମାନ କମ୍ପାନି ଉପରେ ଆମେରିକାର କଡ଼ା ଆକ୍ସନ୍, ବିଶ୍ୱ ଉଡ଼ାଣ ବନ୍ଦ କରିବାକୁ ଚେତାବନୀ
ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯେଉଁ ବିଦେଶୀ କମ୍ପାନିଗୁଡ଼ିକ ଇରାନୀ ବିମାନ ସେବାକୁ ଇନ୍ଧନ, ଟିକେଟ୍ ବିକ୍ରି, ଅବତରଣ ସୁବିଧା କିମ୍ବା ଅନ୍ୟ କୌଣସି ପ୍ରକାର ସହାୟତା ଯୋଗାଇବେ, ସେମାନଙ୍କୁ ବିଶ୍ୱ ଡଲାର ନେଣଦେଣ ବ୍ୟବସ୍ଥାରୁ (Dollar System) ବାହାର କରି ଦିଆଯିବ ।
ଇରାନ ଉପରେ କୂଟନୈତିକ ତଥା ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଆମେରିକା ଏକ ନୂଆ ରଣନୀତି ଆପଣାଇଛି । ଇରାନର ବିମାନ ସେବାକୁ ସମ୍ପୂର୍ଣ୍ଣ ରୂପେ ଠପ୍ କରିବା ଲକ୍ଷ୍ୟରେ ଆମେରିକା ଏକ କଠୋର ଅସହଯୋଗ ନୀତି ଘୋଷଣା କରିଛି । ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯେଉଁ ବିଦେଶୀ କମ୍ପାନିଗୁଡ଼ିକ ଇରାନୀ ବିମାନ ସେବାକୁ ଇନ୍ଧନ, ଟିକେଟ୍ ବିକ୍ରି, ଅବତରଣ ସୁବିଧା କିମ୍ବା ଅନ୍ୟ କୌଣସି ପ୍ରକାର ସହାୟତା ଯୋଗାଇବେ, ସେମାନଙ୍କୁ ବିଶ୍ୱ ଡଲାର ନେଣଦେଣ ବ୍ୟବସ୍ଥାରୁ (Dollar System) ବାହାର କରି ଦିଆଯିବ । ଚଳିତ ସପ୍ତାହ ସୁଦ୍ଧା ସମଗ୍ର ବିଶ୍ୱରେ ଇରାନୀ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଇରାନ ବିରୋଧରେ ଆର୍ଥିକ କଟକଣାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଏହି ଧମକ ପରେ ବିଶ୍ୱର ବିଭିନ୍ନ ଦେଶ ଇରାନ ବିମାନ ସେବା ଉପରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି । ଇରାକ ଇରାନୀ ବିମାନର ଉଡ଼ାଣ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ଜର୍ଜିଆ ମଧ୍ୟ ନିଜ ଦେଶରେ ଇରାନୀ ବିମାନ ପ୍ରବେଶ ଉପରେ ରୋକ୍ ଲଗାଇଛି । ଏହା ସହିତ ତୁର୍କୀ ସରକାରଙ୍କ ଅନୁରୋଧ କ୍ରମେ ଇରାନର ‘ମହାନ ଏୟାର’ ସେଠାକୁ ଉଡ଼ାଣ ବନ୍ଦ କରିଛି । ଦୀର୍ଘ ଦିନରୁ ଆମେରିକୀୟ କଟକଣା ଯୋଗୁଁ ନୂତନ ବିମାନ ଓ ଯନ୍ତ୍ରାଂଶ କିଣିବାରେ ସମସ୍ୟା ଭୋଗୁଥିବା ଇରାନର ବିମାନ ଚଳାଚଳ କ୍ଷେତ୍ର ପାଇଁ ଏହି ନୂତନ ପଦକ୍ଷେପ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି ।
What's Your Reaction?