ଟାଟା ଷ୍ଟିଲ୍ ସହ ମିଶିିଯିବ ଏନ୍ଆଇଏନ୍ଏଲ୍: ଏନ୍ସିଏଲ୍ଟି ଅନୁମୋଦନକୁ ଅପେକ୍ଷା
ଟାଟା ଷ୍ଟିଲ୍ ସହିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍) ମିଶିଯିବ। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ଶେଷ ହେବା ଆଶା କରାଯାଉଛି। ଏଥିପାଇଁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି) ଅନୁମୋଦନକୁ ଅପେକ୍ଷା...
ଟାଟା ଷ୍ଟିଲ୍ ସହିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍) ମିଶିଯିବ। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ଶେଷ ହେବା ଆଶା କରାଯାଉଛି। ଏଥିପାଇଁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି) ଅନୁମୋଦନକୁ ଅପେକ୍ଷା ରହିଛି ବୋଲି କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ବିତ୍ତ ଅଧିକାରୀ କୌଶିକ ଚାଟାର୍ଜୀ କହିଛନ୍ତି। ଟାଟା ଷ୍ଟିଲ୍ର ୨୦୨୬-୨୭ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା ଅବସରରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଟି ଭି ନରେନ୍ଦ୍ରନ କହିଥିଲେ, ଏନ୍ଆଇଏନ୍ଏଲ୍ର ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରିତା ପର୍ଯ୍ୟାୟରେ ପ୍ରବେଶ କରିଛି। ହଟ୍ ରୋଲ୍ଡ ପିକ୍ଲିଙ୍ଗ ଓ ଗାଲ୍ଭାନାଇଜିଂ ଲାଇନ୍ ଓ ଟିନ୍ପ୍ଲେଟ୍ ପ୍ରକଳ୍ପର ନିର୍ମାଣ ଆଗକୁ ବଢ଼ିଛି।
ଯାଜପୁରର କଳିଙ୍ଗନଗରରେ ଟାଟା ଷ୍ଟିଲ୍ର ବୃହତ ଇସ୍ପାତ କାରଖାନା ରହିଛି। ସେହି କାରଖାନାଠାରୁ ୫-୧୦ କିଲୋମିଟର ଦୂରରେ ରହିଛି ଏନ୍ଆଇଏନ୍ଏଲ୍ର ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କାରଖାନା। କିଛି ବର୍ଷ କ୍ଷତିରେ ଚାଲିବା ପରେ କାରଖାନା ବନ୍ଦ ହୋଇଯାଇଥିଲା। ସେହି କାରଖାନାକୁ ଟାଟା ଷ୍ଟିଲ୍ ୨୦୨୨ରେ ୧୨ ହଜାର କୋଟି ଟଙ୍କାରେ କିଣିଥିଲା। ଅଧିଗ୍ରହଣ କରିବାର ଅଳ୍ପ ଦିନ ମଧ୍ୟରେ ଉକ୍ତ କାରଖାନାକୁ ଟାଟା ଷ୍ଟିଲ୍ କାର୍ଯ୍ୟକ୍ଷମ କରିଥିଲା। ଏବେ ସେହି କାରଖାନାରେ ବାର୍ଷିକ ୪.୮ ନିୟୁତ ଟନ୍ କ୍ଷମତା ଯୋଡ଼ିବାକୁ ଟାଟା ଷ୍ଟିଲ୍ ଲକ୍ଷ୍ୟ ରଖିଛି। ଏହି ସମ୍ପ୍ରସାରଣରେ କମ୍ପାନି ପ୍ରାୟ ୪୦ ହଜାର କୋଟି ଟଙ୍କା ନିବେଶ କରିବ। ଓଡ଼ିଶାରେ ଟାଟା ଷ୍ଟିଲ୍ର ତିନିଟି କାରଖାନା ରହିଛି। ସବୁଠୁ ବଡ଼ କାରଖାନା ଯାଜପୁରର କଳିଙ୍ଗନଗରରେ ରହିଛି। ଏହା ବ୍ୟତୀତ ଯାଜପୁରର କଳିଙ୍ଗନଗରରେ ଏନ୍ଆଇଏନ୍ଏଲ୍ କାରଖାନା ଓ ଢେଙ୍କାନାଳର ମେରାମଣ୍ଡଳୀରେ ଥିବା ଇସ୍ପାତ କାରଖାନା ମଧ୍ୟ ଏହା ଅଧୀନରେ ରହିଛି। ମେରାମଣ୍ଡଳୀରେ ଭୂଷଣ ଷ୍ଟିଲ୍ର ଥିବା କାରଖାନାକୁ ୨୦୧୮ରେ ଟାଟା ଷ୍ଟିଲ୍ ଅଧିଗ୍ରହଣ କରି ପରେ ତାହାର ନାମ ଟାଟା ଷ୍ଟିଲ୍ ବିଏସ୍ଏଲ୍ ଲିମିଟେଡ୍କୁ ବଦଳାଇଥିଲା। ୨୦୨୧ରେ ଏହି କାରଖାନାକୁ ଟାଟା ଷ୍ଟିଲ୍ ସହ ମିଶ୍ରଣ କରାଯାଇଥିଲା I
What's Your Reaction?