ଦିବଙ୍ଗତ ନେତାଙ୍କୁ ମନେ ପକାଇଲା ବିଧାନସଭା, ଗୃହରେ ଶୋକ ପ୍ରସ୍ତାବ
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ । ପ୍ରଥମ ଦିନରେ ଦିବଙ୍ଗତ ୬ ନେତା ଓ ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ।
ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ; ଏମ୍ଏମ୍ଡିଆର୍, ପାଠ୍ୟପୁସ୍ତକ ତ୍ରୁଟି ଓ ମହାନଦୀ ବିବାଦ ଭଳି ପ୍ରସଙ୍ଗ ଉଠିବାର ସମ୍ଭାବନା।
ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା ଓ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ରାମମୂର୍ତ୍ତି ଗମାଙ୍ଗୋ, ହାଜି ମହମ୍ମଦ ଆୟୁବ ଖାନ୍ ଏବଂ ଶିବାଜୀ ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ପକ୍ଷରୁ ସମର୍ଥନ କରାଯାଇଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଦିବଙ୍ଗତ ନେତାମାନଙ୍କ ପ୍ରତି ଶୋକବ୍ୟକ୍ତ କରିଥିଲେ । ବାଚସ୍ପତି ପ୍ରସ୍ତାବକୁ ସ୍ୱୀକାର କରିବା ପରେ ସମସ୍ତ ସଦସ୍ୟ ଛିଡ଼ା ହୋଇ ଦିବଙ୍ଗତଙ୍କ ଅମର ଆତ୍ମା ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରିଥିଲେ ।
ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଅଧିବେଶନରେ ପ୍ରାୟ ୬ଟି ବିଲ୍ ଆସିବାର ସମ୍ଭାବନା ରହିଛି। ତେବେ ଅଧିବେଶନର ଅବଧି ସ୍ୱଳ୍ପ ହୋଇଥିଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ରହିଛି। ଗତକାଲି ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇବା ପାଇଁ ପ୍ରସ୍ତୁତ ଥିବା ସ୍ପଷ୍ଟ ହୋଇଛି। ସେପଟେ ସରକାର ମଧ୍ୟ ବିରୋଧୀ ଦଳ ଉଠାଇବାକୁ ଥିବା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।
ବିଶେଷ କରି ଏମ୍ଏମ୍ଡିଆର୍ ସଂଶୋଧନ ଆଇନ, ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ମହାନଦୀ ବିବାଦ ଭଳି ପ୍ରସଙ୍ଗ ଗୃହରେ ଉଠିବାର ସମ୍ଭାବନା ରହିଛି। ଏହା ସହ ବନ୍ୟା ପରିଚାଳନା, ଆଇନଶୃଙ୍ଖଳା, କୃଷି ସମସ୍ୟା ଏବଂ ଅନ୍ୟାନ୍ୟ ରାଜ୍ୟସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଆଲୋଚନାକୁ ଆସିପାରେ। ଅଧିବେଶନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ନିଜ ନିଜ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଶାସକ ଦଳ ମଧ୍ୟ ଗୃହରେ ଉଠିବାକୁ ଥିବା ପ୍ରସଙ୍ଗର ଜବାବ ଦେବା ପାଇଁ ପ୍ରସ୍ତୁତି କରିଛି। ତେଣୁ ଆଗାମୀ ୯ଟି କାର୍ଯ୍ୟଦିବସରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ଆଲୋଚନା ଓ ପ୍ରତିବାଦରେ ସରଗରମ ରହିବାର ସମ୍ଭାବନା ରହିଛି ।
What's Your Reaction?