‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର
‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ କରାଯିବ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ ।୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ବଜେଟ୍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି ସରକାର । ନୂଆ ମାର୍ଗଦର୍ଶିକା ମୁତାବକ ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ କରାଯିବ ଆବଣ୍ଟନ। ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ଦିଆଯିବ ସର୍ବାଧିକ ପ୍ରାଥମିକତା । ଏଥିପାଇଁ ମୋଟ୍ ପାଣ୍ଠିର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଆଇଟିଡିଏ ବା ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧୀନରେ ଥିବା ବ୍ଲକ୍ରେ ହେବ ଖର୍ଚ୍ଚ। ରାଜ୍ୟର ମୋଟ୍ ୩୧୪ ବ୍ଲକ୍ ଭିତରୁ ୧୨୧ଟି ବ୍ଲକ୍ ଆଇଟିଡିଏ ଅଧୀନରେ ଆସୁଛି । ଏସବୁ ଅଞ୍ଚଳର ବିକାଶକୁ ଅଧିକ ଗୁରୁତ୍ବ ଦେବେ ସରକାର। ବାକି ୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ହେବ ଆବଣ୍ଟନ। ପ୍ରତି ଗାଁରେ ଭଲ ରାସ୍ତା ନିର୍ମାଣ ପାଇଁ ଦିଆଯିବ ଟଙ୍କା । ଗାଁରେ ବ୍ଲକ ଟପ୍ ରୋଡ୍, କଂକ୍ରିଟ୍ ରୋଡ଼ ଓ ପେଭର ବ୍ଲକ ରାସ୍ତା ତିଆରି ହେବ। ଆବଶ୍ୟକ ସ୍ଥାନରେ ଡ୍ରେନ୍ ବି ହେବ ନିର୍ମାଣ। ତେବେ ପଞ୍ଚାୟତକୁ ମିଳିଥିବା ମୋଟ୍ ପାଣ୍ଠିର ୩୫ ପ୍ରତିଶତ କେବଳ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ । ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ଅଞ୍ଚଳ ଭିତରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ମେଟାଲିଂ ମାନର ରାସ୍ତା ନିର୍ମାଣ କରଯିବ । ପୂର୍ବରୁ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ଜଙ୍ଗଲ ଅଞ୍ଚଳରେ ରାସ୍ତା ତିଆରି ଉପରେ କଟକଣା ଥିଲା । ଏଣିକି ଏହି ଯୋଜନା ଅଧୀନରେ ପ୍ରତି ବ୍ଲକରେ ରିଡିଂ ରୁମ୍ ବା ପଠନ ଗୃହ ବ୍ୟବସ୍ଥା କରାଯିବ । ଏଠାରେ ପଢ଼ା ବହି ସାଙ୍ଗକୁ ମିଳିବ ଇଣ୍ଟରନେଟ୍ ସୁବଧା । ସେହିଭଳି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ପରିବର୍ତ୍ତନ ଗୃହ, ମର୍କେଟ୍ ସେଡ୍ ତିଆରି ପାଇଁ ମିଳିବ ଟଙ୍କା। ତିଆରି ହେବ ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ। ସବୁ ଧର୍ମର ଉପାସନାସ୍ଥଳୀ ବା ଧାର୍ମିକ ପୀଠର ବିକାଶ ପାଇଁ ଖର୍ଚ୍ଚ ହେବ ପାଣ୍ଠି ।ପଞ୍ଚାୟତରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ହେବ ବ୍ୟବସ୍ଥା । ବିଦ୍ୟାଳୟର ଆଧୁନିକୀକରଣ, ପ୍ରତି ଗାଁରେ କ୍ରୀଡ଼ା ଭିତ୍ତିଭୂମିର କରାଯିବ ବିକାଶ।
What's Your Reaction?