୨ ଘଣ୍ଟା ୧୨ ମିନିଟ୍ର ଧାରଣା ଭାଙ୍ଗିଲେ ସାୱନ, ଏସିଆନ୍ ଗେମ୍ସରେ ରୌପ୍ୟ ପଦକ
ହିମାଚଳ ପ୍ରଦେଶର ୨୮ ବର୍ଷୀୟ ଆର୍ମି ରନର୍ ସାୱନ ବରୱାଲ ଏସିଆନ୍ ଗେମ୍ସ ମାରାଥନ୍ରେ ୨ ଘଣ୍ଟା ୧୧ ମିନିଟ୍ ୩୭ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ଜିତିଛନ୍ତି । ଏହା ସହ ସେ ନିଜ ଜାତୀୟ ରେକର୍ଡକୁ ପୁଣି ଭାଙ୍ଗିଛନ୍ତି ।
ଯେଉଁ ଦୂରତାକୁ ନେଇ କୁହାଯାଉଥିଲା ଭାରତୀୟଙ୍କ ପାଇଁ ୨ ଘଣ୍ଟା ୧୨ କିମ୍ବା ୧୩ ମିନିଟ୍ରେ ମାରାଥନ୍ ଶେଷ କରିବା କଷ୍ଟକର । ସେହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି ହିମାଚଳ ପ୍ରଦେଶର ୨୮ ବର୍ଷୀୟ ଆର୍ମି ରନର୍ ସାୱନ ବରୱାଲ । ନାଗୋୟା ଏସିଆନ୍ ଗେମ୍ସରେ ପୁରୁଷ ମାରାଥନ୍ରେ ସାୱନ ଜିତିଛନ୍ତି ରୌପ୍ୟ ପଦକ। ମାତ୍ର ୨ ଘଣ୍ଟା ୧୧ ମିନିଟ୍ ୩୭ ସେକେଣ୍ଡରେ ଦୌଡ଼ ଶେଷ କରି ସେ ନିଜ ଜାତୀୟ ରେକର୍ଡକୁ ପୁଣି ଭାଙ୍ଗିଛନ୍ତି। ଜାପାନର ଇଚିତାକା ୟାମାଶିତା ସ୍ୱର୍ଣ୍ଣ ଓ ଚୀନର ପେୟିଓ ଫେଙ୍ଗ୍ ବ୍ରୋଞ୍ଜ ପଦକ ଜିତିଛନ୍ତି ।
କିନ୍ତୁ ସାୱନଙ୍କ ପାଇଁ ଏହା କେବଳ ଗୋଟିଏ ରୌପ୍ୟ ପଦକ ନୁହେଁ । ୪୪ ବର୍ଷ ପରେ ଏସିଆନ୍ ଗେମ୍ସର ପୁରୁଷ ମାରାଥନ୍ରେ ଭାରତ ପଦକ ଜିତିଛି । ଶେଷଥର ୧୯୮୨ ଦିଲ୍ଲୀ ଏସିଆନ୍ ଗେମ୍ସରେ ଭାରତ ଏହି ଇଭେଣ୍ଟରେ ପଦକ ଜିତିଥିଲା । ସବୁଠାରୁ ବଡ଼ କଥା ହେଉଛି, ମାରାଥନ୍ ସାୱନଙ୍କ ପ୍ରଥମ ପସନ୍ଦ ନଥିଲା। ସ୍କୁଲ ସମୟରୁ ସେ ଦୌଡ଼ ପ୍ରତି ଆଗ୍ରହୀ ଥିଲେ ଏବଂ ପରେ ଟ୍ରାକ୍ ଇଭେଣ୍ଟରେ ଅଧିକ ସମୟ ଦେଇଥିଲେ । ୨୦୧୯ରେ ଭାରତୀୟ ସେନାରେ ଯୋଗଦେବା ପରେ ତାଙ୍କ ଆଥଲେଟିକ୍ସ କ୍ୟାରିୟର ଆହୁରି ମଜବୁତ ହୋଇଥିଲା । ପରେ ମାରାଥନ୍କୁ ଆସିଥିଲେ ସାୱନ ।
ଚଳିତ ବର୍ଷ ରଟରଡାମ୍ ମାରାଥନ୍ରେ ନିଜର ପ୍ରଥମ ପ୍ରତିଯୋଗିତାମୂଳକ ମାରାଥନ୍ରେ ସାୱନ ୨ ଘଣ୍ଟା ୧୧ ମିନିଟ୍ ୫୮ ସେକେଣ୍ଡ ସମୟ ନେଇ ୧୯୭୮ରୁ ରହିଥିବା ଶିବନାଥ ସିଂହଙ୍କ ୪୮ ବର୍ଷ ପୁରୁଣା ଜାତୀୟ ରେକର୍ଡ ଭାଙ୍ଗିଥିଲେ । ଏବେ ନାଗୋୟାରେ ନିଜ ରେକର୍ଡକୁ ଆହୁରି ୨୧ ସେକେଣ୍ଡ କମାଇଛନ୍ତି ।
ମାରାଥନ୍ର ସବୁଠାରୁ କଠିନ ଅଂଶ ହେଉଛି ଶେଷ ୫ରୁ ୭ କିଲୋମିଟର । ସାୱନଙ୍କୁ ସିନିୟରମାନେ ମଧ୍ୟ କହିଥିଲେ ୩୫ କିଲୋମିଟର ପରେ ହିଁ ପ୍ରକୃତ ମାରାଥନ୍ ଆରମ୍ଭ ହୁଏ। ନାଗୋୟାରେ ମଧ୍ୟ ସେହି ପରୀକ୍ଷା ଦେବାକୁ ପଡ଼ିଥିଲା । କିନ୍ତୁ ଶେଷ ପର୍ଯ୍ୟନ୍ତ ଗତି ବଜାୟ ରଖି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି ସାୱନ । ଏବେ ତାଙ୍କ ନଜର ଆହୁରି ଦ୍ରୁତ ସମୟ ଉପରେ । ସାୱନ ଆଗାମୀ ଦିନରେ ୨ ଘଣ୍ଟା ୭ କିମ୍ବା ୮ ମିନିଟ୍ ଭିତରେ ମାରାଥନ୍ ଶେଷ କରିବାର ଲକ୍ଷ୍ୟ ରଖିଛନ୍ତି ।
What's Your Reaction?