ଆନ୍ଧ୍ରପ୍ରଦେଶର ଓଏନଜିସି ଗ୍ୟାସ୍ କୂପରେ ବଡ଼ ଧରଣର ଲିକ୍: ୮ ଶହ ଲୋକଙ୍କୁ ସ୍ଥାନାନ୍ତରଣ
ଆନ୍ଧ୍ରପ୍ରଦେଶର ଡକ୍ଟର ବି.ଆର. ଆମ୍ବେଦକର କୋନାସୀମା ଜିଲ୍ଲାରେ ଥିବା ଏକ ଓଏନଜିସି ଗ୍ୟାସ କୂପରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ଲିକ୍ ଘଟଣା ଘଟିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ଆନ୍ଧ୍ରପ୍ରଦେଶର ଡକ୍ଟର ବି.ଆର. ଆମ୍ବେଦକର କୋନାସୀମା ଜିଲ୍ଲାରେ ଥିବା ଏକ ଓଏନଜିସି ଗ୍ୟାସ କୂପରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ଲିକ୍ ଘଟଣା ଘଟିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ,ଘଟଣାସ୍ଥଳର ଏକ କିଲୋମିଟର ପରିଧି ମଧ୍ୟରେ ରହୁଥିବା ପ୍ରାୟ ୪୦୦ ରୁ ୫୦୦ ପରିବାରର ୮ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଜିଲ୍ଲା ପ୍ରଶାସନ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ବ୍ୟବସ୍ଥା କରିବାର ଦାୟିତ୍ୱ ନେଇଛି। ଚଳିତ ବର୍ଷ ଜିଲ୍ଲାରେ ଏହା ଚତୁର୍ଥ ଓଏନଜିସି ଗ୍ୟାସ୍ ଲିକ୍ ଘଟଣା। ଓଏନଜିସି ଅଧିକାରୀଙ୍କ ଅନୁଯାୟୀ, ଜାତୀୟ ରାଜପଥ-୨୧୬ ନିକଟରେ ଅବସ୍ଥିତ ଗେଦ୍ଦାଡା ଗାଁର ଗ୍ୟାସ୍ କୂପରେ ୱାର୍କଓଭର ଅପରେସନ୍ ସମୟରେ ମଙ୍ଗଳବାର ସକାଳ ପ୍ରାୟ ୫ଟାରେ ଗ୍ୟାସ୍ ଲିକ୍ଆରମ୍ଭ ହୋଇଥିଲା।
ସତର୍କତାମୂଳକ ପଦକ୍ଷେପ
କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଘେରାବନ୍ଦୀ କରି ରଖିଛନ୍ତି ଏବଂ ଲିକ୍ ନିୟନ୍ତ୍ରଣ କରିବା ପାଇଁ ୱାଟର ବ୍ଲାଙ୍କେଟ୍ ବ୍ୟବହାର କରୁଛନ୍ତି। ଜିଲ୍ଲା କଲେକ୍ଟର ମହେଶ କୁମାର ରବିରାଲା ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍ଥାନୀୟ ଲୋକଙ୍କୁ ବୈଦ୍ୟୁତିକ ଉପକରଣ, ଲାଇଟ୍ ଏବଂ ଗ୍ୟାସ୍ ଚୁଲା ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି।
କଲେକ୍ଟର ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି। ତାଙ୍କ ଅନୁସାରେ, ଗ୍ୟାସ୍ ଭୂସମାନ୍ତର ଭାବରେ ନୁହେଁ ବରଂ ଉପରକୁ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଏହା ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରି ନାହିଁ। ଚଳିତ ବର୍ଷ ଜାନୁଆରି ମାସରେ, ଜିଲ୍ଲାର ମୋରି ଗାଁରେ ଏକ ଗ୍ୟାସ୍ କୂପ ଫାଟି ଯାଇଥିଲା ଏବଂ ପ୍ରାୟ ପାଞ୍ଚ ଦିନ ଧରି ଜଳିଥିଲା।
What's Your Reaction?