ଚୀନ୍ର ଗୁପ୍ତ ସ୍ପେସ୍ ପ୍ଲେନ୍: ତୃତୀୟ ନୟନ ସାଜି ସାରା ଦୁନିଆ ଉପରେ ମହାକାଶରୁ ରଖିବ ନଜର
ଚୀନ୍ ପାଖରେ ଏଭଳି ସ୍ପେସ୍ ପ୍ଲେନ୍ ବା ମହାକାଶ ବିମାନ ରହିଥିବାର ଦାବି କରାଯାଉଛି, ଯାହା ମହାକାଶକୁ ପରିକ୍ରମା କରିବା ସହିତ କିଛି ମିନିଟ୍ ମଧ୍ୟରେ ବିଶ୍ୱର ଯେକୌଣସି ସ୍ଥାନରେ ପହଞ୍ଚି ଆକ୍ରମଣ କରିପାରିବ। ଚୀନ୍ର ଏଭଳି ଗୁପ୍ତ ମହାକାଶ...
ଚୀନ୍ ପାଖରେ ଏଭଳି ସ୍ପେସ୍ ପ୍ଲେନ୍ ବା ମହାକାଶ ବିମାନ ରହିଥିବାର ଦାବି କରାଯାଉଛି, ଯାହା ମହାକାଶକୁ ପରିକ୍ରମା କରିବା ସହିତ କିଛି ମିନିଟ୍ ମଧ୍ୟରେ ବିଶ୍ୱର ଯେକୌଣସି ସ୍ଥାନରେ ପହଞ୍ଚି ଆକ୍ରମଣ କରିପାରିବ। ଚୀନ୍ର ଏଭଳି ଗୁପ୍ତ ମହାକାଶ ବିମାନ ନେଇ ବିଶ୍ବର ଶକ୍ତିଶାଳୀ ଦେଶଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ ଯଦି ଚୀନ୍ ପାଖରେ ଏଭଳି ୪୦ଟି ବିମାନ ରହିବ ତେବେ ଚୀନ୍ ଅଢ଼େଇ ମିନିଟରୁ କମ୍ ସମୟ ମଧ୍ୟରେ ବିଶ୍ୱର ଯେକୌଣସି ସ୍ଥାନରେ ପହଞ୍ଚି ପାରି ଲକ୍ଷ୍ୟଭେଦ କରିପାରିବ।
ଚୀନ୍ ଗବେଷକଙ୍କ ଅଧ୍ୟୟନ ଅନୁଯାୟୀ, ଯଦି ମହାକାଶରେ ଏପରି ମହାକାଶ ବିମାନର ଏକ ନେଟୱାର୍କ ସୃଷ୍ଟି କରାଯିବ, ତେବେ ସେମାନେ ଆଖି ପିଛୁଳାକେ ପୃଥିବୀର ଯେକୌଣସି ସ୍ଥାନରେ ପହଞ୍ଚି ପାରିବେ। ଏହି ରହସ୍ୟମୟ ଚୀନ୍ ମହାକାଶ ବିମାନକୁ ସେନଲଙ୍ଗ୍ କୁହାଯାଉଛି। ଏହାକୁ ପୁନଃବ୍ୟବହାରଯୋଗ୍ୟ ମହାକାଶଯାନ ଭାବରେ ବିବେଚନା କରାଯାଉଛି। ଏହାର ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଏହାକୁ ଏକ ରକେଟ୍ ଦ୍ବାରା ମହାକାଶକୁ ପଠାଯିବ। ସେଠାରେ ପହଞ୍ଚିବା ପରେ ଏହା ଏକ ଉପଗ୍ରହ ପରି କକ୍ଷପଥରେ କାର୍ଯ୍ୟ କରିବ। ମିଶନ ସମାପ୍ତ କରିବା ପରେ ଏହା ପୃଥିବୀକୁ ଫେରିପାରିବ।
ନିଜର ସ୍ଥିତି ଏବଂ କକ୍ଷପଥ ପରିବର୍ତ୍ତନ କରିପାରିବ
ଏହି ମହାକାଶ ବିମାନ ଉପରେ ହୋଇଥିବା ଅଧ୍ୟୟନରେ ଆକ୍ରମଣ ପାଇଁ ମାତ୍ର ଅଢ଼େଇ ମିନିଟ୍ ସମୟସୀମା ସୂଚାଯାଇଛି। ମହାକାଶରେ ବଢୁଥିବା ସାମରିକ ପ୍ରତିଯୋଗିତା ନେଇ ଏହା ଏକ ନୂତନ ବିତର୍କ ସୃଷ୍ଟି କରିଛି। ତେବେ ଏହା ଚୀନ୍ର ପ୍ରକୃତ ଏବଂ ପ୍ରମାଣିତ ଆକ୍ରମଣ କ୍ଷମତା ନୁହେଁ, ବରଂ ଏକ ସମ୍ଭାବ୍ୟ ସାମରିକ ପରିସ୍ଥିତିକୁ ସୂଚାଉଛି। ଏହି ମହାକାଶ ବିମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହାର ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ମହାକାଶ ଦେଇ ଗତି କରିବାର କ୍ଷମତା। ଏକ ସାଧାରଣ ଉପଗ୍ରହ ପରି ଏହା ଗୋଟିଏ ପଥରେ ସୀମିତ ନୁହେଁ ବରଂ ଏହା ନିଜର ସ୍ଥିତି ଏବଂ କକ୍ଷପଥ ପରିବର୍ତ୍ତନ କରିପାରିବ।
ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାର ଏକ ରିପୋର୍ଟରେ ଚୀନ୍ର ଗୁପ୍ତ ମହାକାଶ ବିମାନର ଏକ ଅନୁମାନିତ ଚିତ୍ର ପ୍ରକାଶ ପାଇବା ପରେ ଏହାକୁ ନେଇ ଆଲୋଚନା ତୀବ୍ର ହୋଇଛି। ୨୬ ଅକ୍ଟୋବର ୨୦୨୬ରେ ପ୍ରକାଶିତ ଏହି ଚିତ୍ରରେ ମହାକାଶରେ ଏକ ମହାକାଶଯାନକୁ ଏହାର ପେଲୋଡ୍ ବେ ଦ୍ୱାର ଖୋଲା ଥିବା ଦେଖାଯାଇଥିଲା। ତେବେ ଆମେରିକୀୟ ଏଜେନ୍ସି କିମ୍ବା ଚୀନ୍ ଏହାକୁ ଆନୁଷ୍ଠାନିକ ଭାବରେ ସେନଲଙ୍ଗ୍ ବୋଲି ଚିହ୍ନଟ କରିନାହାନ୍ତି।
ମହାକାଶରେ ସାମରିକ ଶକ୍ତି ହାସଲ କରିବା କେବଳ ଚୀନ୍ ପର୍ଯ୍ୟନ୍ତ ସୀମିତ ନାହିଁ। ଆମେରିକା ମଧ୍ୟ ନିଜର ପୁନଃବ୍ୟବହାରଯୋଗ୍ୟ ମହାକାଶ ବିମାନଏକ୍ସ-୩୭-ବି ପରିଚାଳନା କରୁଛି। ଏହା ପ୍ରଯୁକ୍ତିବିଦ୍ୟା ପରୀକ୍ଷଣ ଏବଂ ଅନ୍ୟାନ୍ୟ ଗୁପ୍ତ ମିଶନ ପାଇଁ ବ୍ୟବହୃତ ହେଉଛି। ମହାକାଶ ପ୍ରଯୁକ୍ତିବିଦ୍ୟା ଉପରେ ଚୀନ୍ ଏବଂ ଆମେରିକା ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଉଥିବାରୁ, ଭବିଷ୍ୟତର ନିରୀକ୍ଷଣ, ଉପଗ୍ରହ-ସମ୍ବନ୍ଧୀୟ କାର୍ଯ୍ୟ ଏବଂ ଅନ୍ୟାନ୍ୟ ସାମରିକ ଉଦ୍ଦେଶ୍ୟ ପାଇଁ ସେନଲଙ୍ଗ୍ ଭଳି ମହାକାଶ ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ଦେଖାଦେଇଛି।
What's Your Reaction?