ଏମକେସିଜି ଡାକ୍ତରୀ ଛାତ୍ର ସାଗର ସାହୁ ନିଖୋଜ ଘଟଣା : ଖୋଜାଖୋଜି ପାଇଁ ବ୍ରହ୍ମପୁରରେ ପହଞ୍ଚିଲା ପରିବାର
ସାଗର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ପ୍ରାୟ ଏକ ବର୍ଷ ହେବ ମେଡିକାଲ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ଗତ ୩୧ ତାରିଖରୁ ସାଗର ନିଖୋଜ ଥିବା ସୂଚନା ମିଳିଛି ।
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଜଣେ ଡାକ୍ତରୀ ଛାତ୍ର ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଖୋଜ ଛାତ୍ର ଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗାଁର ସାଗର ସାହୁ । ସାଗର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ପ୍ରାୟ ଏକ ବର୍ଷ ହେବ ମେଡିକାଲ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ଗତ ୩୧ ତାରିଖରୁ ସାଗର ନିଖୋଜ ଥିବା ସୂଚନା ମିଳିଛି । ଦୀର୍ଘ ସମୟ ଧରି ତାଙ୍କର କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଅତ୍ୟନ୍ତ ଚିନ୍ତିତ ହୋଇ ପଡ଼ିଛନ୍ତି । ପୁଅର ନିଖୋଜ ଖବର ପାଇ ସାଗରଙ୍କ ବାପା, ମାମୁଁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ।
ପରିବାର ଲୋକେ ବ୍ରହ୍ମପୁର ରେଳ ଷ୍ଟେସନ ସମେତ ସହରର ବିଭିନ୍ନ ସ୍ଥାନରେ ସାଗରଙ୍କୁ ଖୋଜାଖୋଜି କରୁଛନ୍ତି। ରେଳ ଷ୍ଟେସନରେ ପହଞ୍ଚି ସାଗର ସେଠାକୁ ଆସିଥିଲେ କି ନାହିଁ କିମ୍ବା କୌଣସି ଟ୍ରେନରେ ଯାଇଛନ୍ତି କି ନାହିଁ, ସେ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି। ହଷ୍ଟେଲରୁ ବାହାରିବା ପରେ ସାଗର କୁଆଡ଼େ ଗଲେ ଏବଂ ତାଙ୍କ ନିଖୋଜ ପଛର କାରଣ କଣ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ସାଗରଙ୍କୁ ଫେରି ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ।
What's Your Reaction?