ନୋଏଲଙ୍କ ଆଭିମୁଖ୍ୟକୁ ଜିମି ଟାଟାଙ୍କ ବିରୋଧ, ଟାଟା ସନ୍ସ ଲିଷ୍ଟିଂକୁ ସମର୍ଥନ
ଦେଶର ପ୍ରମୁଖ ଶିଳ୍ପ ସାମ୍ରାଜ୍ୟ ଟାଟାରେ ଏବେ ମତଭେଦ ତୀବ୍ର ହେବାରେ ଲାଗିଛି। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟାଙ୍କ ଆଭିମୁଖ୍ୟର ବିରୋଧ କରିଛନ୍ତି ସ୍ବର୍ଗତ ରତନ ଟାଟାଙ୍କ ସାନ ଭାଇ ଜିମି ଏନ୍ ଟାଟା। ଟାଟା ଗ୍ରୁପ୍ର ମୂଳ କମ୍ପାନି...
ଦେଶର ପ୍ରମୁଖ ଶିଳ୍ପ ସାମ୍ରାଜ୍ୟ ଟାଟାରେ ଏବେ ମତଭେଦ ତୀବ୍ର ହେବାରେ ଲାଗିଛି। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟାଙ୍କ ଆଭିମୁଖ୍ୟର ବିରୋଧ କରିଛନ୍ତି ସ୍ବର୍ଗତ ରତନ ଟାଟାଙ୍କ ସାନ ଭାଇ ଜିମି ଏନ୍ ଟାଟା। ଟାଟା ଗ୍ରୁପ୍ର ମୂଳ କମ୍ପାନି ଟାଟା ସନ୍ସକୁ ସେୟାର ବଜାରରେ ଲିଷ୍ଟିଂ ସପକ୍ଷରେ ସେ ମତ ଦେଇଛନ୍ତି। ଏହାଦ୍ୱାରା କମ୍ପାନିର କାର୍ଯ୍ୟଧାରାରେ ସ୍ୱଚ୍ଛତା ଆସିବା ସହ ଉତ୍ତରଦାୟିତ୍ୱ ବଢ଼ିବ ଏବଂ ଗୁପ୍ତତାର ସଂସ୍କୃତି ଶେଷ ହେବ ବୋଲି ସେ କହିଛନ୍ତି।
ଟାଟା ଟ୍ରଷ୍ଟର ଜଣେ ବରିଷ୍ଠ ଟ୍ରଷ୍ଟିଙ୍କ ସହ ଆଲୋଚନା ବେଳେ ଜିମି ନିଜର ମତ ରଖିଛନ୍ତି। ଟାଟା ସନ୍ସରେ ଟାଟା ଟ୍ରଷ୍ଟର ପ୍ରାୟ ୬୬ ପ୍ରତିଶତ ଅଂଶଧନ ରହିଛି। ଜିମିଙ୍କ ନିଜସ୍ୱ ଅଂଶଧନ ପ୍ରାୟ ୦.୮୧ ପ୍ରତିଶତ। ତାଙ୍କ ମତରେ, ଟାଟା ସନ୍ସର ଲିଷ୍ଟିଂ ହେଲେ କମ୍ପାନିର କାର୍ଯ୍ୟଧାରା ଉପରେ ଅଧିକ ନଜର ରଖାଯାଇପାରିବ ଏବଂ ନିୟମ ଅନୁଯାୟୀ ଉତ୍ତରଦାୟିତ୍ୱ ନିଶ୍ଚିତ ହେବ। ତେଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ଉଚିତ୍।
ପରିବର୍ତ୍ତନକୁ ସମାଲୋଚନା କରିଛନ୍ତି ଜିମି
ଅନ୍ୟପକ୍ଷରେ, ଟାଟା ଟ୍ରଷ୍ଟରେ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ସାମିଲ କରାଯିବା ନେଇ ମଧ୍ୟ ଜିମି ପ୍ରଶ୍ନ ଉଠାଇଛନ୍ତି। ଏହାଦ୍ୱାରା ଟାଟା ସନ୍ସ ଉପରେ ଗୋଟିଏ ପରିବାରର ନିୟନ୍ତ୍ରଣ ବଢ଼ିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଟାଟା ଟ୍ରଷ୍ଟ ଲୋକଙ୍କ କଲ୍ୟାଣ ଓ ସମାଜସେବା ପାଇଁ ଗଠନ ହୋଇଥିବାରୁ ଏହାକୁ କୌଣସି ପରିବାରର ବ୍ୟକ୍ତିଗତ ସଂସ୍ଥା ଭଳି ପରିଚାଳନା କରାଯିବା ଉଚିତ୍ ନୁହେଁ ବୋଲି ତାଙ୍କ ମତ। ୨୦୧୩-୧୪ରେ ଟାଟା ସନ୍ସର କମ୍ପାନି ପରିଚାଳନା ନିୟମାବଳୀରେ ହୋଇଥିବା ପରିବର୍ତ୍ତନକୁ ମଧ୍ୟ ଜିମି ସମାଲୋଚନା କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଏହି ପରିବର୍ତ୍ତନ ଫଳରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷଙ୍କୁ ଅଧିକ କ୍ଷମତା ମିଳିଛି। ଏହା ସାମୂହିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଦୁର୍ବଳ କରିଛି। ଏଥିସହ ଟାଟା ସନ୍ସକୁ ଛୋଟ ଛୋଟ ସଂସ୍ଥାରେ ବିଭକ୍ତ କରି ଲିଷ୍ଟିଂ ନିୟମକୁ ଏଡ଼ାଇବା ଉଦ୍ୟମ କରାଯିବା ଉଚିତ ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି
ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନଙ୍କୁ ତୃତୀୟ ଥର ପାଇଁ ଏହି ପଦରେ ନିଯୁକ୍ତି ଦେବାକୁ ମଧ୍ୟ ଜିମି ସମର୍ଥନ କରିଛନ୍ତି। ଏହି ପ୍ରସଙ୍ଗରେ ମଧ୍ୟ ତାଙ୍କ ମତ ନୋଏଲ ଟାଟାଙ୍କଠାରୁ ଭିନ୍ନ। ନୋଏଲ ଟାଟା ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ଓ ଟାଟା ସନ୍ସର ଲିଷ୍ଟିଂକୁ ବିରୋଧ କରିଆସୁଛନ୍ତି। ଲିଷ୍ଟିଂ ହେଲେ କମ୍ପାନିର ଲାଭକୁ ଅଧିକ ଗୁରୁତ୍ୱ ଦିଆଯିବ ଏବଂ ସମାଜସେବା ଓ ଦାନଧର୍ମ ପାଇଁ ଟାଟା ଗ୍ରୁପ୍ର ରହିଥିବା ସ୍ୱତନ୍ତ୍ର ପରିଚୟ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।
What's Your Reaction?