ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ, ନିର୍ବିରୋଧରେ ଦ୍ୱିତୀୟ ଥର ନିର୍ବାଚିତ

Nov 16, 2026 - 15:36
ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ, ନିର୍ବିରୋଧରେ ଦ୍ୱିତୀୟ ଥର ନିର୍ବାଚିତ

୩୮ ବର୍ଷୀୟ ଜୟ ଶାହ ପୂର୍ବରୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବା ବିସିସିଆଇର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୨୦୨୪ ଡିସେମ୍ବର ପହିଲାରେ ସେ ପ୍ରଥମ ଥର ପାଇଁ ଆଇସିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। 

ପୁଣି ବିଶ୍ୱ କ୍ରିକେଟ୍‌ର ମଙ୍ଗ ଧରିବେ ଭାରତର ଜୟ ଶାହ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସିର ଅଧ୍ୟକ୍ଷ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ନିର୍ବିରୋଧରେ ପୁନଃନିର୍ବାଚିତ ହୋଇଛନ୍ତି ଜୟ ଶାହ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ତାଙ୍କ ପୁନଃନିଯୁକ୍ତିକୁ ଅନୁମୋଦନ ମିଳିଛି। ଆଗାମୀ ଦୁଇ ବର୍ଷ ପାଇଁ ସେ ବିଶ୍ୱ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥାର ନେତୃତ୍ୱ ନେବେ। 

୩୮ ବର୍ଷୀୟ ଜୟ ଶାହ ପୂର୍ବରୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବା ବିସିସିଆଇର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୨୦୨୪ ଡିସେମ୍ବର ପହିଲାରେ ସେ ପ୍ରଥମ ଥର ପାଇଁ ଆଇସିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ସେ ଆଇସିସି ଇତିହାସର ସର୍ବକନିଷ୍ଠ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଥିଲେ। ଏବେ ପ୍ରଥମ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କ ନେତୃତ୍ୱ ଉପରେ ପୁଣି ଭରସା ପ୍ରକଟ କରିଛି ଆଇସିସି।

ଜୟ ଶାହଙ୍କ ପୁନଃନିଯୁକ୍ତି ପରେ ଆଇସିସି ପକ୍ଷରୁ କୁହାଯାଇଛି, ବିଶ୍ୱବ୍ୟାପୀ କ୍ରିକେଟ୍‌ର ପ୍ରସାର, ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ଏବଂ ବାଣିଜ୍ୟିକ ବିକାଶ ଦିଗରେ ତାଙ୍କ ନେତୃତ୍ୱ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମହିଳା କ୍ରିକେଟ୍‌କୁ ଅଧିକ ପ୍ରୋତ୍ସାହନ ଦେବା ସହ ଛୋଟ କ୍ରିକେଟ୍ ଖେଳୁଥିବା ଦେଶଗୁଡ଼ିକୁ ଅଧିକ ସୁଯୋଗ ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ସବୁଠାରୁ ବଡ଼ କଥା ହେଉଛି, ୨୦୨୮ ଲସ୍‌ଏଞ୍ଜେଲସ୍ ଅଲିମ୍ପିକ୍ସରେ ଦୀର୍ଘ ବର୍ଷ ପରେ କ୍ରିକେଟ୍ ପୁଣି ସାମିଲ ହେବାକୁ ଯାଉଛି। ଏଭଳି ସମୟରେ ଜୟ ଶାହଙ୍କ ଉପରେ ରହିବ ବଡ଼ ଦାୟିତ୍ୱ। ବିଶ୍ୱର ନୂଆ ଦର୍ଶକଙ୍କ ପାଖରେ କ୍ରିକେଟ୍‌କୁ ପହଞ୍ଚାଇବା ତାଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ। ପୁନଃନିର୍ବାଚିତ ହେବା ପରେ ଜୟ ଶାହ ଆଇସିସି ବୋର୍ଡକୁ କୃତଜ୍ଞତା ଜଣାଇଛନ୍ତି। ବିଶ୍ୱ କ୍ରିକେଟ୍‌ର ଉନ୍ନତି, ଖେଳାଳିଙ୍କ ସ୍ୱାର୍ଥରକ୍ଷା ଓ ନୂଆ ପିଢ଼ିକୁ କ୍ରିକେଟ୍ ପ୍ରତି ଆକୃଷ୍ଟ କରିବା ପାଇଁ ସମସ୍ତ ସଦସ୍ୟ ଦେଶଙ୍କ ସହ ମିଶି କାମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow