ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା! ୨ କି.ମି. ଖଟିଆରେ ବୁହାହେଲେ ମା’ ଓ ଛୁଆ !
ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ନଥିବାରୁ ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ଘରେ ହିଁ ପ୍ରସବ କରିବାକୁ ପଡ଼ିଲା ।
ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ନଥିବାରୁ ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ଘରେ ହିଁ ପ୍ରସବ କରିବାକୁ ପଡ଼ିଲା । ପରେ ମା’ ଓ ନବଜାତ ଶିଶୁଙ୍କୁ ଖଟିଆରେ ପ୍ରାୟ ୨ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା । ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ନଗିରା ପଞ୍ଚାୟତ ଅନ୍ତର୍ଗତ ନମଗାଁ ରୁ ପାହାଡ଼ ଚଢିଲେ ପଡେଇପାଣି ସାହିର ଚିତ୍ର । ଆଧୁନିକ ସ୍ୱାସ୍ଥ୍ୟସେବାର ଯୁଗରେ ମଧ୍ୟ ରାସ୍ତା ଅଭାବରୁ ଏଠାକାର ଲୋକେ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଘଟଣା । ନମଗାଁ ପଡେଇପାଣି ସାହିର ଦୁର୍ଗା ସଏଙ୍କ ସ୍ତ୍ରୀ ସମବାରି ମୁଣ୍ଡାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା ।
ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁ ଭିତରକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ପ୍ରାୟ ୨ କିଲୋମିଟର ଦୂରରେ ଅଟକି ରହିଥିଲା ।ଏପଟେ ବଢ଼ିଚାଲିଥିଲା ପ୍ରସବ ବେଦନା । ଶେଷରେ ଘରେ ହିଁ ସମବାରି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ମା’ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ବାଶଂପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାର ଆବଶ୍ୟକତା ପଡ଼ିଥିଲା ।କିନ୍ତୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ପରିବାର ଓ ଗ୍ରାମବାସୀ ମିଶି ଖଟିଆରେ ମା’ ଓ ନବଜାତ ଶିଶୁଙ୍କୁ ପ୍ରାୟ ୨ କିଲୋମିଟର ବୋହି ଆଣିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବାଶଂପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।ରାସ୍ତା ଅଭାବରୁ ଗର୍ଭବତୀ ମହିଳାଙ୍କୁ ଘରେ ପ୍ରସବ କରିବାକୁ ପଡ଼ିବା ଏବଂ ପରେ ମା’ ଓ ଛୁଆଙ୍କୁ ଖଟିଆରେ ବୋହିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ନମଗାଁ ସାହିକୁ ସ୍ଥାୟୀ ରାସ୍ତା ନିର୍ମାଣ ସହ ଜରୁରୀ ସମୟରେ ଆମ୍ବୁଲାନ୍ସ ପହଞ୍ଚିବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।ରାସ୍ତା ଅଭାବରୁ ଜଣେ ମା’ଙ୍କୁ ଯେଉଁଭଳି ଭାବେ ଘରେ ପ୍ରସବ କରିବାକୁ ପଡ଼ିଲା, ତାହା ସରକାରଙ୍କ ଗ୍ରାମୀଣ ରାସ୍ତା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଏବେ ଅପେକ୍ଷା, ନମଗାଁ ସାହିବାସୀଙ୍କ ଏହି ଦୁର୍ଦ୍ଦଶା କେବେ ଦୂର ହେଉଛି ।
What's Your Reaction?