ପ୍ରାୟ ବିଲୁପ୍ତ ହେବା ସ୍ଥିତିରେ ସାଇଗା ହରିଣ

Dec 7, 2024 - 11:49
 0  4
ପ୍ରାୟ ବିଲୁପ୍ତ ହେବା ସ୍ଥିତିରେ ସାଇଗା ହରିଣ

 ବିଶ୍ୱରେ ଦେଖିବାକୁ ମିଳିଥାଏ ଅନେକ ପ୍ରକାରର ହରିଣ ପ୍ରଜାତି। ସାଧାରଣତଃ ହରିଣମାନେ ସେମାନଙ୍କର ସ୍ୱତନ୍ତ୍ର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍ ଜଣାଶୁଣା । କିନ୍ତୁ ଏପରି କେତେକ ହରିଣ ପ୍ରଜାତି ଅଛନ୍ତି, ଯେଉଁମାନଙ୍କର ବୈଶିଷ୍ଟ୍ୟ ଖୁବ୍ ଅଦ୍ଭୁତ ଏବଂ ଅଜବ। ଶୀତଳ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚି ରହିବାର କ୍ଷମତା ପାଇଁ ସାଇଗା ପ୍ରଜାତିର ହରିଣ ବେଶ୍ ଚର୍ଚ୍ଚିତ । ତେବେ ଅତ୍ୟଧିକ ଶିକାର ହେତୁ ଆଜି ବିପଦମୁଖରେ ପଡ଼ିଛି ଏହି ହରିଣଙ୍କ ଅସ୍ତିତ୍ୱ।ସାଇଗା ହରିଣଙ୍କୁ ଏକଦା ୟୁରୋପର ୟୁରୋସିଆ ପାହାଡ଼ିଆ ଅଞ୍ଚଳ, କାର୍ପୋଥିୟନ୍ ପର୍ବତମାଳା, ଚାଇନାର ଜୁଙ୍ଗରିଆ ଆଦି ଅଞ୍ଚଳରେ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଏହି ହରିଣ କେବଳ ରୁଷିଆ ଏବଂ କାଜାଖସ୍ଥାନର ଅଳ୍ପ କିଛି ଅଞ୍ଚଳ ବ୍ୟତୀତ ଆଉ ଦିଶୁନାହାନ୍ତି ଅନ୍ୟ କେଉଁ ଅଞ୍ଚଳରେ । ଅତ୍ୟଧିକ ଶିକାର ହେତୁ ଏହି ପ୍ରଜାତିର ହରିଣ  ହୋଇସାରିଲେଣି ବିଲୁପ୍ତ। ସାଇଗା ହରିଣର ରହିଛି ଅନେକ ଅଜବ ବୈଶିଷ୍ଟ୍ୟ । ସେମାନଙ୍କର  ଫୁଲା ନାକ ସହ ମୁହଁ ଠିକ୍ ଦେଖିବାକୁ ଓଟ ଭଳି । ଏହି ହରିଣଙ୍କର ଘ୍ରାଣ ଶକ୍ତି ଅତ୍ୟନ୍ତ ପ୍ରଖର, ଯାହା ସେମାନଙ୍କୁ ପାଗ ପରିବର୍ତ୍ତନର ସୂଚନା ଜଣାଇବା ସହ କଠିନ ପରିବେଶରେ ବଞ୍ଚିବାକୁ  କରାଇଥାଏ ସକ୍ଷମ। ସେମାନଙ୍କର ଫୁଲା ନାକ ବାଟେ   ଭିତରକୁ ଯାଉଥିବା ବାୟୁରୁ ଧୂଳି ବାହାରି ଯାଇଥାଏ ଆପେ । ସେହିପରି ଗ୍ରୀଷ୍ମଋତୁରେ ମଧ୍ୟ ନାକ ଦେଇ ଯାଉଥିବା ଗରମ ପବନ ହୋଇ ଯାଇଥାଏ ଶୀତଳ ଏବଂ ଶୀତଦିନେ ନାକ ଦେଇ ଶରୀର ଭିତରକୁ ପ୍ରବେଶ କରୁଥିବା ଥଣ୍ଡା ପବନ ହୋଇଯାଇଥାଏ ଉଷୁମ । ସ୍ଥାନାନ୍ତରଣ କରୁଥିବା ପ୍ରାଣୀ ଭାବେ ବେଶ୍ ପ୍ରସିଦ୍ଧ ସାଇଗା ହରିଣ। ଶୀତଦିନେ ଥଣ୍ଡା ଏବଂ ଗ୍ରୀଷ୍ମଦିନେ ଗରମରୁ ରକ୍ଷା ପାଇବା ପାଇଁ କୌଣସି ଏକ ସ୍ଥାନରୁ ପ୍ରାୟ ହଜାର କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରନ୍ତି ସାଇଗା । ଏହି ହରିଣର ଚିନାବାଦାମ ରଙ୍ଗର ଉପର ଚର୍ମକୁ  କୁହାଯାଏ କୋଟ। ବିଭିନ୍ନ ଜଳବାୟୁରେ ବସବାସ କରୁଥିବାରୁ ଅନେକ ସମୟରେ ଏହି କୋଟର ଆକାର ମଧ୍ୟ ବଦଳିଥାଏ। ଗ୍ରୀଷ୍ମଋତୁରେ କୋଟଟି ପତଳା ଏବଂ ହାଲୁକା ହୋଇଯାଉଥିବାବେଳେ ଶୀତଦିନେ ଏହା  ହୋଇଯାଇଥାଏ  ମୋଟା ଏବଂ ଘନ। ଶୀତଦିନେ ଏହି କୋଟ ଗ୍ରୀଷ୍ମଋତୁର ଅପେକ୍ଷା ହୋଇଯାଏ ପ୍ରାୟ ୨ ଗୁଣ ଲମ୍ବା ଏବଂ ୭୦% ମୋଟା ।  ସାଇଗା ହରିଣ ସାଧାରଣତଃ ଖାଇଥାନ୍ତି ଘାସ, ଛୋଟ ଛୋଟ ଉଦ୍ଭିଦ ଏବଂ ବୁଦା ପତ୍ର ।  ସେମାନେ ଭଲ ଘାସ ଖାଇବା ପାଇଁ ଜେବ୍ରାମାନଙ୍କୁ ଅନୁସରଣ କରୁଥିବାର ଦେଖିବାକୁ ମିଳେ। ବିଷାକ୍ତ ଉଦ୍ଭିଦ ଖାଇବା ହଜମ କରିବାର କ୍ଷମତା ମଧ୍ୟ ରହିଛି ସାଇଗା ହରିଣଙ୍କର । ଦୁଃଖର କଥା ଯେ ସାଇଗା ହରିଣକୁ ବହୁଳ ମାତ୍ରାରେ ଶିକାର କରାଯାଇ  ଚୋରା ଚାଲାଣ କରାଯାଇଥାଏ ସେମାନଙ୍କ ଶିଙ୍ଗକୁ । ଏତଦବ୍ୟତୀତ ଏହି ପ୍ରଜାତିର ହରିଣ ଚର୍ମ ଏବଂ ମାଂସ ମଧ୍ୟ ବଜାରରେ ବିକ୍ରି ହୋଇଥାଏ ଅଧିକ ମୂଲ୍ୟରେ । ଅନେକ ମାଂସଭକ୍ଷକ ପ୍ରାଣୀ ମଧ୍ୟ ସାଇଗା ହରିଣଗୁଡ଼ିକୁ ଶିକାର କରି ଥାନ୍ତି ଭୋକ ମେଣ୍ଟାଇବାକୁ । ଫଳରେ  ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଏହି ପ୍ରଜାତିର ହରିଣଙ୍କ ସଂଖ୍ୟା l

 

What's Your Reaction?

like

dislike

love

funny

angry

sad

wow