ପ୍ଲମ୍ବର, ଡେଣ୍ଟିଷ୍ଟ, ବିଜନେସମ୍ୟାନ୍… ଏମାନେ ହିଁ ଫ୍ଲାଇଦୁବାଇର ରିଅଲ୍ ହିରୋ
ଭାରତୀୟ ପାଇଲଟ୍ ସ୍ମିତ ମାଛରଙ୍କ ଉପରେ ତାଙ୍କ ସହ-ପାଇଲଟ୍ ଛୁରିରେ ଆକ୍ରମଣ କରିବା ପରେ ବିମାନଟି ନିୟନ୍ତ୍ରଣ ହରାଇବାକୁ ଲାଗିଥିଲା । କିନ୍ତୁ କ୍ୟାପ୍ଟେନ୍ ସ୍ମିତଙ୍କ ସହ ଆଉ କିଛି ଯାତ୍ରୀଙ୍କ ସାହସ ଯୋଗୁଁ ଶେଷରେ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।
ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଟ୍ FZ1073ରେ ଘଟିଥିବା ଭୟଙ୍କର ଘଟଣା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ । ଭାରତୀୟ ପାଇଲଟ୍ ସ୍ମିତ ମାଛରଙ୍କ ଉପରେ ତାଙ୍କ ସହ-ପାଇଲଟ୍ ଛୁରିରେ ଆକ୍ରମଣ କରିବା ପରେ ବିମାନଟି ନିୟନ୍ତ୍ରଣ ହରାଇବାକୁ ଲାଗିଥିଲା । କିନ୍ତୁ କ୍ୟାପ୍ଟେନ୍ ସ୍ମିତଙ୍କ ସହ ଆଉ କିଛି ଯାତ୍ରୀଙ୍କ ସାହସ ଯୋଗୁଁ ଶେଷରେ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ଏହି ଘଟଣାରେ ସ୍ମିତଙ୍କ ସହ ଅନ୍ୟ ୪ ଜଣଙ୍କ ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।
ସ୍ମିତ ମାଛର:ଛୁରି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ କକପିଟ୍ର ଲକ୍ ଖୋଲିବାରେ ସଫଳ ହୋଇଥିଲେ । ଏହା ପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଭିତରକୁ ପଶି ସହ-ପାଇଲଟ୍କୁ କାବୁ କରିପାରିଥିଲେ । ରକ୍ତାକ୍ତ ଅବସ୍ଥାରେ ମଧ୍ୟ ସ୍ମିତଙ୍କ ଏହି ପଦକ୍ଷେପ ଅନେକ ଜୀବନ ବଞ୍ଚାଇଥିଲା ।
ୟାନିଭ୍ ହାୟୁନ୍: ପେଶାରେ ପ୍ଲମ୍ବର ହାୟୁନ୍ କକପିଟ୍କୁ ଯାଇ ଆକ୍ରମଣକାରୀଙ୍କୁ ନିୟନ୍ତ୍ରଣରୁ ହଟାଇବାରେ ସାହାଯ୍ୟ କରିଥିଲେ । ପରେ ବିମାନର ଗତିପଥ ସ୍ଥିର କରିବାରେ ମଧ୍ୟ ସେ ଯୋଗଦାନ କରିଥିଲେ ।
ଆସାଫ୍ ରାଜୁଆନ୍: ଇନ୍ସୁରାନ୍ସ ଏଜେନ୍ସି ମାଲିକ ରାଜୁଆନ୍ କହିଥିଲେ, ବିମାନ ହଠାତ୍ ତୀବ୍ର ଭାବେ ତଳକୁ ଯିବାକୁ ଲାଗିଥିଲା । ସେ ଅନ୍ୟ ଯାତ୍ରୀଙ୍କ ସହ କକପିଟ୍କୁ ପଶି ଆକ୍ରମଣକାରୀଙ୍କୁ କାବୁ କରିଥିଲେ ।
ଜ୍ୱିକା ମାନେସ୍: ବ୍ୟାଙ୍କ ଲେଉମିର ଅଣ୍ଡରରାଇଟିଂ କମ୍ପାନୀର CEO ମାନେସ୍ ବିମାନରେ ମିଳିଥିବା ହେଡଫୋନ୍ର କେବୁଲ୍ ବ୍ୟବହାର କରି ଆକ୍ରମଣକାରୀଙ୍କୁ ବାନ୍ଧିବାରେ ସାହାଯ୍ୟ କରିଥିଲେ । ସେତେବେଳେ ବିମାନ ଭିତରେ ଚିତ୍କାର ଓ ଭୟର ପରିବେଶ ଥିଲା ।
ଶୋତା ମୁସାଏଭ୍: ପେଶାରେ ଦନ୍ତ ଚିକିତ୍ସକ ମୁସାଏଭ୍ ପ୍ରଥମେ ଆକ୍ରମଣକାରୀଙ୍କୁ କାବୁ କରିବାରେ ସହଯୋଗ କରିଥିଲେ । ପରେ ଗୁରୁତର ଆହତ କ୍ୟାପ୍ଟେନ୍ ସ୍ମିତଙ୍କ ରକ୍ତସ୍ରାବ ରୋକିବା ସହ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିଲେ । ଏହି ୫ ଜଣଙ୍କ ସାହସ, ଉପସ୍ଥିତ ବୁଦ୍ଧି ଏବଂ ସମୟୋଚିତ ପଦକ୍ଷେପ ଯୋଗୁଁ ମଝିଆକାଶରେ ଏକ ସମ୍ଭାବ୍ୟ ଭୟାବହ ବିପର୍ଯ୍ୟୟ ଟଳିଯାଇଥିଲା ।
What's Your Reaction?