‘ସଫ୍ଟୱେୟାର କହିଲା ବୋଲି ନାମ କାଟିବ?’ ECI ଉପରେ ହାଇକୋର୍ଟଙ୍କ ପ୍ରଶ୍ନ

Oct 1, 2026 - 15:39
‘ସଫ୍ଟୱେୟାର କହିଲା ବୋଲି ନାମ କାଟିବ?’ ECI ଉପରେ ହାଇକୋର୍ଟଙ୍କ ପ୍ରଶ୍ନ

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସଫ୍ଟୱେୟାରର ନିୟମ ଆଇନଠାରୁ ଉପରେ ହୋଇପାରିବ ନାହିଁ । ବୈଧ ପ୍ରକ୍ରିୟା ଓ ପ୍ରଭାବିତ ଭୋଟରଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ନାମ ବାଦ ଦିଆଯାଇପାରିବ କି ବୋଲି ନିର୍ବାଚନ ଆୟୋଗଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି ବମ୍ବେ ହାଇକୋର୍ଟଙ୍କ ଗୋଆ ପୀଠ । 

 ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସଫ୍ଟୱେୟାରର ନିୟମ ଆଇନଠାରୁ ଉପରେ ହୋଇପାରିବ ନାହିଁ । ବୈଧ ପ୍ରକ୍ରିୟା ଓ ପ୍ରଭାବିତ ଭୋଟରଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ନାମ ବାଦ ଦିଆଯାଇପାରିବ କି ବୋଲି ନିର୍ବାଚନ ଆୟୋଗଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି ବମ୍ବେ ହାଇକୋର୍ଟଙ୍କ ଗୋଆ ପୀଠ । ମାମଲାଟି ଗୋଆର ସାଣ୍ଟା କ୍ରୁଜ୍ ବିଧାନସଭା ନିର୍ବାଚନମଣ୍ଡଳୀର ଏକ ପରିବାର ସହ ଜଡ଼ିତ । ପରେଶ ସାଲଗାଓଁକର ଓ ତାଙ୍କ ପରିବାରର ସଦସ୍ୟମାନେ ସେହି ନିର୍ବାଚନମଣ୍ଡଳୀ ଭିତରେ ଘର ବଦଳାଇଥିଲେ । ଠିକଣା ପରିବର୍ତ୍ତନ ପାଇଁ ସେମାନେ ଫର୍ମ-୮ ଦାଖଲ କରିଥିବା କୋର୍ଟଙ୍କୁ ଜଣାଇଥିଲେ । କିନ୍ତୁ ପରେ ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଥିବା ଜଣାପଡ଼ିଥିଲା ।

ନିର୍ବାଚନ ଆୟୋଗ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ, SIRର ଏନ୍ୟୁମେରେସନ୍ ପର୍ଯ୍ୟାୟରେ ବ୍ୟବହୃତ ସିଷ୍ଟମରେ ଫର୍ମ-୮ ପ୍ରକ୍ରିୟାକରଣର ବ୍ୟବସ୍ଥା ନଥିଲା । ଏହାପରେ ପରିବାରକୁ ନୂଆ ଭୋଟର ଭାବେ ନାମ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିବାକୁ କୁହାଯାଇଥିଲା । ଏହି ଯୁକ୍ତିକୁ ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଥିଲେ ଜଣେ ଭୋଟର ଠିକଣା ବଦଳାଇଥିଲେ ଏବଂ ଏଥିପାଇଁ ଫର୍ମ-୮ ଦାଖଲ କରିଥିଲେ, ତେବେ ତାଙ୍କୁ ନୂଆ ଭୋଟର ଭାବେ ଫର୍ମ-୬ ଦାଖଲ କରିବାକୁ କାହିଁକି କୁହାଯିବ? କୋର୍ଟ କହିଥିଲେ, “ସଫ୍ଟୱେୟାର ଏପରି କରିବାକୁ ଦେଉନାହିଁ” ବୋଲି ଆଇନଗତ ପ୍ରକ୍ରିୟାକୁ ଅଣଦେଖା କରାଯାଇପାରିବ ନାହିଁ ।

ଶୁଣାଣି ସମୟରେ ପୀଠ ଏହା ମଧ୍ୟ ପଚାରିଥିଲେ ଯେ, କେଉଁ ଆଇନ ଅନୁଯାୟୀ ଜଣେ ଭୋଟରଙ୍କୁ ଶୁଣାଣିର ସୁଯୋଗ ନଦେଇ ତାଙ୍କ ନାମ ତାଲିକାରୁ ବାଦ ଦିଆଯାଇପାରିବ? କୋର୍ଟଙ୍କ ମତରେ, ଅଧିକାରୀମାନେ କେବଳ ସଫ୍ଟୱେୟାରର ନିଷ୍ପତ୍ତି ଉପରେ ନିର୍ଭର କରିପାରିବେ ନାହିଁ; ମାମଲାକୁ ଆଇନ ଅନୁଯାୟୀ ଯାଞ୍ଚ କରି ନିଜସ୍ୱ ବିବେଚନା ପ୍ରୟୋଗ କରିବା ଆବଶ୍ୟକ । କୋର୍ଟ ଏହା ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ଯେ, ଯଦି ଏଭଳି ପ୍ରକ୍ରିୟା ଚାଲିଥାଏ, ତେବେ ଘର ବଦଳାଉଥିବା ଅନେକ ଭୋଟର ପ୍ରଭାବିତ ହୋଇପାରନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୭ରେ ହେବାକୁ ଥିବା ରିପୋର୍ଟରେ କୁହାଯାଇଛି । 

What's Your Reaction?

like

dislike

love

funny

angry

sad

wow