ବାଂଲାଦେଶରେ ଚକଅଖ ବନ୍ଦ: ପୂର୍ବତନ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଚଳଚ୍ଚିତ୍ର କଳାକାର ପର୍ଯ୍ୟନ୍ତ ହସିନାଙ୍କ ସମର୍ଥକ ଗିରଫ

Nov 19, 2026 - 14:30
ବାଂଲାଦେଶରେ ଚକଅଖ ବନ୍ଦ: ପୂର୍ବତନ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଚଳଚ୍ଚିତ୍ର କଳାକାର ପର୍ଯ୍ୟନ୍ତ ହସିନାଙ୍କ ସମର୍ଥକ ଗିରଫ

ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦଳ ଆୱାମୀ ଲିଗ୍ ଗୁରୁବାର ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି। ଏହି ସମୟରେ ପୁଲିସ ପୂର୍ବତନ ଶିକ୍ଷା ମନ୍ତ୍ରୀ ନୁରୁଲ ଇସଲାମ ନାହିଦ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତିକା ଜ୍ୟୋତିଙ୍କୁ ଗିରଫ କରିଛି। 

ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦଳ ଆୱାମୀ ଲିଗ୍ ଗୁରୁବାର ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି। ଏହି ସମୟରେ ପୁଲିସ ପୂର୍ବତନ ଶିକ୍ଷା ମନ୍ତ୍ରୀ ନୁରୁଲ ଇସଲାମ ନାହିଦ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତିକା ଜ୍ୟୋତିଙ୍କୁ ଗିରଫ କରିଛି। ନରାଇଲ ଜିଲ୍ଲାରେ ଦୁଇ ଜଣ ବିଏନପି ନେତାଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଦେଶର ଅନେକ ସ୍ଥାନରେ ବୋମା ବିସ୍ଫୋରଣ, ପୋଡ଼ାଜଳା ଏବଂ ଆକ୍ରମଣ ହୋଇଥିବା ମଧ୍ୟ ରିପୋର୍ଟ ହୋଇଛି। ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ଏବଂ ତାଙ୍କ ଦଳ ଉପରୁ ପ୍ରତିବନ୍ଧକ ଉଠାଇବା ଦାବିରେ ଆୱାମୀ ଲିଗ୍ ଏହି ବନ୍ଦ ଡାକରା ଦେଇଛି।  

ନଭେମ୍ବର ୧୪ ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ଘୋଷଣା
ଛାତ୍ର ପ୍ରତିବାଦ ପରେ ହସିନା ଅଗଷ୍ଟ ୨୦୨୪ରେ ପ୍ରଧାନମନ୍ତ୍ରୀ ପଦ ଛାଡି ଭାରତ ଚାଲିଆସିଥିଲେ। ଏବେ ସେ ଡିସେମ୍ବରରେ ବାଂଲାଦେଶ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ଦଳ ନଭେମ୍ବର ୧୪ ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ଘୋଷଣା କରିଥିଲା। ଏଥିରେ ରାଲି, ପ୍ରଦର୍ଶନ ଏବଂ ଦେଶବ୍ୟାପୀ ବନ୍ଦ କରାଯିବ ବୋଲି ଦଳ କହିଥିଲା। ବନ୍ଦକୁ ଦୃଷ୍ଟିରେ ରଖି ସରକାର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛନ୍ତି। ବିଭିନ୍ନ ଅଞ୍ଚଳରେ ଶହ ଶହ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ପୁଲିସ ଅନୁଯାୟୀ, ଗତ ୧୦ ଦିନ ମଧ୍ୟରେ ୨୮ ଜିଲ୍ଲାରେ ବୋମା ବିସ୍ଫୋରଣ ଏବଂ ଅନେକ ଯାନବାହାନ ପୋଡ଼ି ଦିଆଯାଇଛି। ଢାକାରେ ପୁଲିସ ଗତ ୨୪ ଘଣ୍ଟା ମଧ୍ୟରେ ନିଷିଦ୍ଧ ସଂଗଠନ ସହିତ ଜଡିତ ୭୧ ଜଣଙ୍କୁ ଗିରଫ କରିଛି।

୨୦୨୪ ଛାତ୍ର ପ୍ରତିବାଦ ସମୟରେ ହତ୍ୟାକାଣ୍ଡ
ଗୁରୁବାର ରାତି ପ୍ରାୟ ୨ଟା ୨୦ ସମୟରେ ଢାକାର ଉତ୍ତରା ଅଞ୍ଚଳରୁ ପୂର୍ବତନ ଶିକ୍ଷା ମନ୍ତ୍ରୀ ନୁରୁଲ ଇସଲାମ ନାହିଦଙ୍କୁ ପୁଲିସ ଗିରଫ କରିଛି। ସେ ଆୱାମୀ ଲିଗର ପରାମର୍ଶଦାତା ପରିଷଦର ସଦସ୍ୟ ଏବଂ ସିଲହଟ-୬ ନିର୍ବାଚନମଣ୍ଡଳୀର ପୂର୍ବତନ ସାଂସଦ। ୨୦୦୮ରେ ଆୱାମୀ ଲିଗ ସରକାର ଗଠନ କରିବା ପରେ ସେ ଲଗାତାର ୧୦ ବର୍ଷ ପାଇଁ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପୁଲିସର ସୂଚନା ଅନୁଯାୟୀ, ୨୦୨୪ ଛାତ୍ର ପ୍ରତିବାଦ ସମୟରେ ହୋଇଥିବା ହତ୍ୟାକାଣ୍ଡ ସହିତ ଜଡିତ ଅନେକ ମାମଲା ତାଙ୍କ ବିରୋଧରେ ରୁଜୁ ହୋଇଛି। ସେହିପରି ରାତି ପ୍ରାୟ ୨ଟା ୪୫ ସମୟରେ ପୁଲିସ ଅଭିନେତ୍ରୀ ଜ୍ୟୋତିକା ଜ୍ୟୋତିଙ୍କୁ ଉତ୍ତରାର ସେକ୍ଟର ୧୮ ସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଛି। ପୁଲିସ ଏପର୍ଯ୍ୟନ୍ତ ତାଙ୍କୁ କେଉଁ ନିର୍ଦ୍ଦିଷ୍ଟ ମାମଲାରେ ଗିରଫ କରାଯାଇଛି ତାହା ପ୍ରକାଶ କରିନାହିଁ। ଜ୍ୟୋତିଙ୍କ ନାମ ‘ଆଲୋ ଆଶବେଇ’ ନାମକ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ରହିଛି। ଯେଉଁଥିରେ ଆୱାମୀ ଲିଗ୍‌କୁ ସମର୍ଥନ କରୁଥିବା କଳାକାର, ସାମ୍ବାଦିକ ଏବଂ ସାଂସ୍କୃତିକ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି। ହସିନା ସରକାରର ପତନ ପରେ ଏହି ଗ୍ରୁପର ସାର୍ବଜନୀନ ହୋଇଥିଲା।

ବୁଧବାର ସନ୍ଧ୍ୟାରେ ନରାଇଲ ଜିଲ୍ଲାର କାଳିଆ ଅଞ୍ଚଳରେ ଏକ ବିଏନପି ରାଲି ଉପରେ ଆକ୍ରମଣ ହୋଇଥିଲା। ଆତଙ୍କବାଦ ଏବଂ ଆଇନ ଶୃଙ୍ଖଳାର ଅବନତି ପ୍ରତିବାଦରେ ଏହି ରାଲି ଆୟୋଜିତ ହୋଇଥିଲା। ଏହି ଆକ୍ରମଣରେ ଦୁଇ ନେତାଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କୁ ଶାହିନ ଏବଂ ସୋହେଲ ମୋଲ୍ଲା ବୋଲି ଚିହ୍ନଟ କରାଯାଇଛି। ଶାହିନ କୃଷକ ଦଳର କାଳିଆ ୟୁନିଟର ସାଧାରଣ ସମ୍ପାଦକ ଥିଲେ, ଯେତେବେଳେ ସୋହେଲ ମୋଲ୍ଲା ଜାସାସର ସ୍ଥାନୀୟ ୟୁନିଟର ସାଧାରଣ ସମ୍ପାଦକ ଥିଲେ। ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଅଧିକାରୀମାନେ ଆକ୍ରମଣରେ ନିଷିଦ୍ଧ ଆୱାମୀ ଲିଗ୍‌ର କର୍ମୀଙ୍କ ସମ୍ପୃକ୍ତି ସନ୍ଦେହ କରୁଛନ୍ତି। ଗୃହମନ୍ତ୍ରୀ ସଲାହୁଦ୍ଦିନ ଅହମ୍ମଦ କହିଛନ୍ତି ଯେ, ହିଂସାକୁ ଉସକାଉଥିବା ଲୋକଙ୍କୁ ଚିହ୍ନଟ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ଅଭିଯୋଗ କରିଛନ୍ତି, ବିଦେଶରେ ରହୁଥିବା ଆୱାମୀ ଲିଗ୍ ନେତାମାନେ ସେମାନଙ୍କ ସମର୍ଥକମାନଙ୍କୁ ହିଂସା ପାଇଁ ଉସୁକାଉଛନ୍ତି। ହସିନାଙ୍କ ପ୍ରତ୍ୟାବର୍ତ୍ତନ ଏବଂ ଦେଶବ୍ୟାପୀ ବନ୍ଦ ଦାବି ବାଂଲାଦେଶରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

What's Your Reaction?

like

dislike

love

funny

angry

sad

wow