ସ୍କୁଲ ଗୁଳିକାଣ୍ଡ ଅଭିଯୁକ୍ତଙ୍କୁ ସହାୟତା କରିଥିବା ଅଭିଯୋଗ: କାନାଡାରେ ଚାଟ୍ ଜିପିଟି ବିରୋଧରେ ମାମଲା ରୁଜୁ
ବ୍ରିଟିଶ କଲମ୍ବିଆ ସରକାରଙ୍କ ପକ୍ଷରୁ ସାନ ଫ୍ରାନ୍ସିସ୍କୋର ଫେଡେରାଲ କୋର୍ଟରେ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଯେ, ଆକ୍ରମଣକାରୀ ପୂର୍ବରୁ ଚାଟ୍ଜିପିଟିରେ ହିଂସାତ୍ମକ ଧମକ ଦେଇଥିଲେ ମଧ୍ୟ କମ୍ପାନି ସେ ବିଷୟରେ ପୁଲିସକୁ ଜଣାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।
ଟମ୍ବଲର୍ ରିଜ୍ ସ୍କୁଲ ଗୁଳିକାଣ୍ଡ ଘଟଣାରେ ଜୀବନ ପ୍ରତି ବିପଦପୂର୍ଣ୍ଣ ଧମକକୁ ଅଣଦେଖା କରିଥିବା ଅଭିଯୋଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କମ୍ପାନି ଓପନଏଆଇ (OpenAI) ଏବଂ ଏହାର ସିଇଓ ସାମ୍ ଅଲ୍ଟମ୍ୟାନ୍ଙ୍କ ବିରୋଧରେ କାନାଡାରେ ମାମଲା ଦାୟର ହୋଇଛି । ବ୍ରିଟିଶ କଲମ୍ବିଆ ସରକାରଙ୍କ ପକ୍ଷରୁ ସାନ ଫ୍ରାନ୍ସିସ୍କୋର ଫେଡେରାଲ କୋର୍ଟରେ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଯେ, ଆକ୍ରମଣକାରୀ ପୂର୍ବରୁ ଚାଟ୍ଜିପିଟିରେ ହିଂସାତ୍ମକ ଧମକ ଦେଇଥିଲେ ମଧ୍ୟ କମ୍ପାନି ସେ ବିଷୟରେ ପୁଲିସକୁ ଜଣାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଏହି ଅବହେଳା ପାଇଁ ବ୍ରିଟିଶ କଲମ୍ବିଆ ପ୍ରଶାସନ ଓପନଏଆଇଠାରୁ ଜରୁରୀକାଳୀନ ସହାୟତା ଓ କ୍ଷତିପୂରଣ ଦାବି କରିବା ସହ ହିଂସାତ୍ମକ ବାର୍ତ୍ତା ଚିହ୍ନଟ କରିବା ବ୍ୟବସ୍ଥାରେ ସୁଧାର ଆଣିବାକୁ ନିର୍ଦ୍ଦେଶ ମାଗିଛି ।
ଗତ ୧୦ ଫେବ୍ରୁଆରିରେ ଘଟିଥିବା ଏହି ବର୍ବରୋଚିତ ଆକ୍ରମଣରେ ସ୍କୁଲର ୧୮ ବର୍ଷୀୟା ପୂର୍ବତନ ଛାତ୍ରୀ ଜେସି ଭାନ୍ ରୁଟସ୍ଲାର୍ ପ୍ରଥମେ ନିଜ ଘରେ ମାଆ ଓ ସାବତ ଭାଇଙ୍କୁ ହତ୍ୟା କରିବା ପରେ ସ୍କୁଲରେ ପହଞ୍ଚି ୫ ଜଣ ଶିଶୁ ଏବଂ ଜଣେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ସେ ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ସମୁଦାୟ ଆଠ ଜଣଙ୍କର ପ୍ରାଣହାନି ଘଟିଥିଲା, ଯାହାକୁ କାନାଡାର ସବୁଠାରୁ ଭୟଙ୍କର ଗଣ-ଗୁଳିକାଣ୍ଡ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି । ଚାଟ୍ଜିପିଟିର ସୁରକ୍ଷା ଦଳ ଅଭିଯୁକ୍ତଙ୍କ ବନ୍ଧୁକ ଓ ହିଂସାତ୍ମକ ବାର୍ତ୍ତାଳାପ ବିଷୟରେ ଜାଣିବା ସତ୍ତ୍ୱେ କୌଣସି ପଦକ୍ଷେପ ନ ନେବାରୁ ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
What's Your Reaction?