UNGAରେ ଭାଷଣ, ରିଲ୍ସରେ ନଜର! ଏର୍ଦୋଗାନଙ୍କ ଭାଷଣ ବେଳେ ଫୋନ୍ରେ ବ୍ୟସ୍ତ ସିରିଆ ରାଷ୍ଟ୍ରପତି
UNGAରେ ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନଙ୍କ ଭାଷଣ ଚାଲିଥିବା ବେଳେ ସିରିଆ ରାଷ୍ଟ୍ରପତି ଅହମଦ ଅଲ-ଶାରା ମୋବାଇଲ୍ରେ Instagram Reels ସ୍କ୍ରଲ୍ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ଏବେ ଚର୍ଚ୍ଚାରେ ରହିଛି।
ଜାତିସଂଘ ସାଧାରଣ ପରିଷଦ ବା UN General Assemblyର ଅଧିବେଶନ ଚାଲିଥିବା ବେଳେ ସିରିଆ ରାଷ୍ଟ୍ରପତି ଅହମଦ ଅଲ-ଶାରାଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାରେ । ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରର ନେତାମାନେ ମଞ୍ଚରେ ନିଜ ନିଜ ଦେଶର ପ୍ରସଙ୍ଗ ରଖୁଥିବା ବେଳେ, ଅଲ-ଶାରା ତାଙ୍କ ମୋବାଇଲ୍ ଫୋନ୍ରେ ବ୍ୟସ୍ତ ଥିବା ଦେଖାଯାଇଛି । ରିପୋର୍ଟ ଅନୁସାରେ, ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଜାତିସଂଘ ମଞ୍ଚରୁ ଭାଷଣ ଦେଉଥିବା ସମୟରେ ଅଲ-ଶାରା ନିଜ ଫୋନ୍ରେ Instagram Reels ସ୍କ୍ରଲ୍ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏପରିକି ସେ ରିଲ୍ସ ଦେଖିବା ସହ ଅନ୍ୟମାନଙ୍କୁ ରିଲ୍ସ ପଠାଉଥିବା ମଧ୍ୟ ଦେଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ବିଶ୍ୱର ସବୁଠାରୁ ବଡ଼ କୂଟନୈତିକ ମଞ୍ଚ ଭାବେ ପରିଚିତ UNGAରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଅହମଦ ଅଲ-ଶାରାଙ୍କ ପାଇଁ ଏହା ଦ୍ୱିତୀୟ UNGA ଉପସ୍ଥିତି । ୨୦୨୫ରେ ସେ ପ୍ରାୟ ୬ ଦଶନ୍ଧି ପରେ ଜାତିସଂଘ ସାଧାରଣ ପରିଷଦରେ ସିରିଆକୁ ପ୍ରତିନିଧିତ୍ୱ କରି ଭାଷଣ ଦେଇଥିବା ପ୍ରଥମ ପ୍ରତିନିଧି ହୋଇଥିଲେ । ଏହା ପୂର୍ବରୁ ୨୦୨୫ ଜାନୁଆରୀରେ ବଶର ଅଲ-ଅସଦଙ୍କ ସରକାରକୁ ହଟାଇଥିବା ବିଦ୍ରୋହୀ ଅଭିଯାନର ନେତୃତ୍ୱ ନେବା ପରେ ଅଲ-ଶାରା ସିରିଆର ଅନ୍ତରୀଣ ରାଷ୍ଟ୍ରପତି ହୋଇଥିଲେ ।
ଅନ୍ୟପଟେ, ଚଳିତ UNGAର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ପ୍ରାୟ ୧୩୦ ଜଣ ରାଷ୍ଟ୍ରମୁଖ୍ୟ ଓ ସରକାର ମୁଖ୍ୟ ଯୋଗ ଦେଇଛନ୍ତି । ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଭିନ୍ନ ଦେଶର ନେତା ନିଜ ନିଜ ଦେଶର ପ୍ରସଙ୍ଗ ଉପସ୍ଥାପନ କରୁଛନ୍ତି । ତେବେ ବିଶ୍ୱନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭାଷଣ ମଧ୍ୟରେ ସିରିଆ ରାଷ୍ଟ୍ରପତିଙ୍କ ମୋବାଇଲ୍ ବ୍ୟବହାରର ଭିଡିଓ ଏବେ ସୋସିଆଲ୍ ମିଡିଆରେ ନଜର ଆକର୍ଷଣ କରିଛି ।
What's Your Reaction?