UNSCର ସ୍ଥାୟୀ ଆସନ ପାଇଁ ଭାରତକୁ ୪ ୟୁରୋପୀୟ ଦେଶର ସମର୍ଥନ, V4 କହିଲା ଭାରତ ‘ଉଦୀୟମାନ ମହାଶକ୍ତି’
ଜାତିସଂଘ ସାଧାରଣ ପରିଷଦ ଅବସରରେ ୟୁରୋପର ଚାରୋଟି ପ୍ରମୁଖ ରାଷ୍ଟ୍ରକୁ ନେଇ ଗଠିତ ଭିସେଗ୍ରାଡ୍ ଗ୍ରୁପ୍ ବା ଭି-୪ (ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ଏବଂ ଚେକ୍ ଗଣରାଜ୍ୟ) ଭାରତର ସ୍ଥାୟୀ ସଦସ୍ୟତାକୁ ଦୃଢ଼ ସମର୍ଥନ ଜଣାଇଛନ୍ତି ।
ଜାତିସଂଘ ସୁରକ୍ଷା ପରିଷଦରେ (UNSC) ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦୀର୍ଘ ଦିନର ପ୍ରୟାସକୁ ଆଉ ଏକ ବଡ଼ କୂଟନୈତିକ ସଫଳତା ମିଳିଛି । ଜାତିସଂଘ ସାଧାରଣ ପରିଷଦ ଅବସରରେ ୟୁରୋପର ଚାରୋଟି ପ୍ରମୁଖ ରାଷ୍ଟ୍ରକୁ ନେଇ ଗଠିତ ଭିସେଗ୍ରାଡ୍ ଗ୍ରୁପ୍ ବା ଭି-୪ (ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ଏବଂ ଚେକ୍ ଗଣରାଜ୍ୟ) ଭାରତର ସ୍ଥାୟୀ ସଦସ୍ୟତାକୁ ଦୃଢ଼ ସମର୍ଥନ ଜଣାଇଛନ୍ତି । ନ୍ୟୁୟର୍କରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଭି-୪ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ ବୈଠକରେ ଏହି ସହମତି ପ୍ରକାଶ ପାଇଛି । ଗ୍ଲୋବାଲ୍ ସାଉଥ୍ ତଥା ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଭାରତ ଏକ ପ୍ରମୁଖ ଉଦୀୟମାନ ମହାଶକ୍ତି ହୋଇଥିବାରୁ ଏହା ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ପାଇବା ଯୋଗ୍ୟ ବୋଲି ସ୍ଲୋଭାକିଆ ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଏହି ସମର୍ଥନ ସହିତ ଭାରତ ଓ ଭି-୪ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ, ବ୍ୟବସାୟିକ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ୧୯୪୫ ପରଠାରୁ ବିଶ୍ୱ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟିଥିବା ବେଳେ ବର୍ତ୍ତମାନର ବିଶ୍ୱ ଜନସଂଖ୍ୟା ଓ ଅର୍ଥନୀତିର ପ୍ରତିନିଧିତ୍ୱ ପାଇଁ ସୁରକ୍ଷା ପରିଷଦର ସଂସ୍କାର ଜରୁରୀ ବୋଲି ଭାରତ ଦାବି କରିଆସୁଛି । ଭାରତର ଏହି ଦାବିକୁ ପୂର୍ବରୁ ଫ୍ରାନ୍ସ, ବ୍ରିଟେନ୍, ରୁଷିଆ ଏବଂ ଆମେରିକା ଭଳି ପ୍ରମୁଖ ଶକ୍ତି ସମର୍ଥନ ଜଣାଇଥିବା ବେଳେ, ଜି-୪ (ଭାରତ, ବ୍ରାଜିଲ୍, ଜର୍ମାନୀ ଓ ଜାପାନ) ଗୋଷ୍ଠୀ ମଧ୍ୟ ମିଳିତ ଭାବେ ଏହି ସଂସ୍କାର ପାଇଁ ପ୍ରୟାସ ଜାରି ରଖିଛନ୍ତି ।
What's Your Reaction?