ଦିଲ୍ଲୀରେ କୃତ୍ରିମ ବର୍ଷା ପରୀକ୍ଷଣର ସଫଳତାକୁ ନେଇ ପ୍ରଶ୍ନବାଚୀ: 'କ୍ଲାଉଡ୍ ସିଡିଂ' ନୁହେଁ, ପଶ୍ଚିମା ଝଡ଼ ଯୋଗୁଁ କମିଲା ପ୍ରଦୂଷଣ!
ଜାତୀୟ ରାଜଧାନୀ ଦିଲ୍ଲୀର ବିଷାକ୍ତ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ କରାଯାଇଥିବା କୃତ୍ରିମ ବର୍ଷା ବା 'କ୍ଲାଉଡ୍ ସିଡିଂ' ପରୀକ୍ଷଣର ସଫଳତାକୁ ନେଇ ବଡ଼ ଧରଣର ସନ୍ଦେହ ସୃଷ୍ଟି ହୋଇଛି।
ଜାତୀୟ ରାଜଧାନୀ ଦିଲ୍ଲୀର ବିଷାକ୍ତ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ କରାଯାଇଥିବା କୃତ୍ରିମ ବର୍ଷା ବା 'କ୍ଲାଉଡ୍ ସିଡିଂ' ପରୀକ୍ଷଣର ସଫଳତାକୁ ନେଇ ବଡ଼ ଧରଣର ସନ୍ଦେହ ସୃଷ୍ଟି ହୋଇଛି। ଗତ ନଭେମ୍ବର ୧୪ ତାରିଖରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ନିଯୁକ୍ତ ବେଙ୍ଗାଲୁରୁ ସ୍ଥିତ ସଂସ୍ଥା 'ଖ୍ୟାତି କ୍ଲାଇମେଟ୍ ମଡିଫିକେସନ୍ କନସଲଟାଣ୍ଟସ୍' (କେସିଏମସି) ପକ୍ଷରୁ ବିମାନ ଯୋଗେ କ୍ଲାଉଡ୍ ସିଡିଂ କରାଯାଇଥିଲା। ଏହାର ପରଦିନ ସକାଳେ ଦିଲ୍ଲୀର କିଛି ସ୍ଥାନରେ ହାଲୁକା ବର୍ଷା ହେବା ସହ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରେ ସୁଧାର ଆସିଥିବା ସଂସ୍ଥା ପକ୍ଷରୁ ଦାବି କରାଯାଇଛି। ତେବେ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଏହି ବର୍ଷା ଓ ପ୍ରଦୂଷଣ ହ୍ରାସ ପଛରେ କ୍ଲାଉଡ୍ ସିଡିଂ ଅପେକ୍ଷା ସକ୍ରିୟ ଥିବା 'ପଶ୍ଚିମା ଝଡ଼' ଏବଂ ପବନର ବେଗ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।
ସ୍ୱତନ୍ତ୍ର ବିମାନ ଉଡ଼ାଣରେ ରାସାୟନିକ ପଦାର୍ଥ ସିଞ୍ଚନ
ସଂସ୍ଥାର ରିପୋର୍ଟ ମୁତାବକ, ନଭେମ୍ବର ୧୪ ତାରିଖ ଅପରାହ୍ଣ ୨ଟା ୫୩ ମିନିଟରେ ଏକ ସ୍ୱତନ୍ତ୍ର ବିମାନ ଉଡ଼ାଣ ଭରି ସିରସପୁର, ବାୱାନାର ବାଙ୍କନେର, ସେରସା, ବାଗପତ, ବୁରାରୀ, ଲୋନି ରୋଡ୍ ଏବଂ ସୋନିଆ ବିହାର ଭଳି ସାତୋଟି ସ୍ଥାନରେ ୮ ଥର ରାସାୟନିକ ପଦାର୍ଥ ସିଞ୍ଚନ କରିଥିଲା। ଏଥିପାଇଁ ମୋଟ ୨୦ଟି ଫ୍ଲେୟାର୍ (୧୩ଟି ଗ୍ଲାସିଓଜେନିକ୍ ଏବଂ ୭ଟି ହାଇଗ୍ରୋସ୍କୋପିକ୍) ବ୍ୟବହାର କରାଯାଇଥିଲା। ଏହାପରେ ନଭେମ୍ବର ୧୫ ସକାଳ ୮ଟା ୩୦ ସୁଦ୍ଧା ଆୟାନଗରରେ ୧.୪ ମିଲିମିଟର, ଇଗ୍ନୋରେ ୧ ମିଲିମିଟର ଏବଂ ନୋଏଡା ଓ ଜନକପୁରୀରେ ୦.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ବାୱାନାରେ ଏକ୍ୟୁଆଇ ୪୦୬ରୁ ୩୬୨କୁ ଏବଂ ବୁରାରୀ କ୍ରସିଂରେ ୪୧୦ରୁ ୪୦୦କୁ ଖସିଥିବା ଦାବି କରାଯାଇଛି।
ପ୍ରଦୂଷଣ ସ୍ତରରେ ବଡ଼ ଧରଣର ସୁଧାର
ମାତ୍ର ପାଣିପାଗ ତଥ୍ୟର ତର୍ଜମାରୁ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ବିମାନ ଅବତରଣ କରିବାର ପ୍ରାୟ ୧୧ରୁ ୧୫ ଘଣ୍ଟା ପରେ ଅର୍ଥାତ୍ ନଭେମ୍ବର ୧୫ ତାରିଖ ଭୋର୍ ୩ଟା ୪୫ରୁ ସକାଳ ୮ଟା ମଧ୍ୟରେ ଏହି ହାଲୁକା ବର୍ଷା ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବରୁ ହିଁ ପଶ୍ଚିମା ଝଡ଼ ପ୍ରଭାବରେ ନଭେମ୍ବର ୧୫ ସକାଳେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା। ଏହାବ୍ୟତୀତ ସେହିଦିନ ସକାଳେ ଘଣ୍ଟାପ୍ରତି ୧୧ରୁ ୧୫ କିଲୋମିଟର ବେଗରେ ପଶ୍ଚିମା ପବନ ବହିବା ଫଳରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପିଏମ୍ ୨.୫ ସ୍ତର ୧୯୧ରୁ ୪୬କୁ ଖସି ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଅଞ୍ଚଳଗୁଡ଼ିକ ଉପରେ ବିମାନ ଆଦୌ ଉଡ଼ାଣ ଭରି ନଥିଲା, ସେଠାରେ ମଧ୍ୟ ପ୍ରଦୂଷଣ ସ୍ତରରେ ବଡ଼ ଧରଣର ସୁଧାର ଦେଖିବାକୁ ମିଳିଛି। ଦିଲ୍ଲୀର ପଶ୍ଚିମ ଦିଗରେ ଥିବା ବାହାଦୂରଗଡ଼ରେ ଏକ୍ୟୁଆଇ ୫୭ ପଏଣ୍ଟ, ରୋହତକରେ ୫୪ ପଏଣ୍ଟ ଏବଂ ଦକ୍ଷିଣରେ ଥିବା ଫରିଦାବାଦରେ ୫୫ ପଏଣ୍ଟ ହ୍ରାସ ପାଇଛି।
ଅପରପକ୍ଷରେ, ଯେଉଁ ବାଗପତ ଅଞ୍ଚଳରେ କ୍ଲାଉଡ୍ ସିଡିଂ କରାଯାଇଥିଲା, ସେଠାରେ ଏକ୍ୟୁଆଇ କମିବା ବଦଳରେ ୧୮ ପଏଣ୍ଟ ବୃଦ୍ଧି ପାଇଛି। ଘରୋଇ ପାଣିପାଗ ସଂସ୍ଥା ''ସ୍କାଇମେଟ୍''ର ଉପସଭାପତି ମହେଶ ପଲାୱତ କହିଛନ୍ତି ଯେ, ପଶ୍ଚିମା ଝଡ଼ ସକ୍ରିୟ ଥିବା ସମୟରେ ଏଭଳି ପରୀକ୍ଷଣ କରାଯିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ବର୍ଷା ପ୍ରାକୃତିକ ନା କୃତ୍ରିମ ତାହା ଜାଣିବା ଅସମ୍ଭବ। ସୂଚନାଯୋଗ୍ୟ ଯେ, ଗତ ୨୦୨୫ ଅକ୍ଟୋବରରେ ଆଇଆଇଟି କାନପୁର ସହ ମିଶି ଦିଲ୍ଲୀ ସରକାର କରିଥିବା କ୍ଲାଉଡ୍ ସିଡିଂ ପରୀକ୍ଷଣ ମଧ୍ୟ ବିଫଳ ହୋଇଥିଲା। ଏହାସତ୍ତ୍ୱେ ସରକାର ଆସନ୍ତା ନଭେମ୍ବର ୨୩ରୁ ୨୫ ତାରିଖ ମଧ୍ୟରେ ପୁଣିଥରେ ପରୀକ୍ଷଣ କରିବାକୁ ଯୋଜନା ରଖିଛନ୍ତି।
What's Your Reaction?