ପୀଡ଼ିତ ପରିବାରକୁ ମିଳିବ ନ୍ୟାୟ , ମନ୍ କି ବାତ୍ରେ କହିଲେ ମୋଦୀ

ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୧ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପହଲଗାମ ଆତଙ୍କୀ ଆକ୍ରମଣ ବିଷୟରେ ଚର୍ଚ୍ଚା କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଦେଇଛନ୍ତି ଭରସା । ମୋଦୀ କହିଛନ୍ତି ଯେ,ମୋ ମନରେ ଅନେକ ପୀଡ଼ା ରଖି 'ଆଜି ମୁଁ ଆପଣମାନଙ୍କ ସହ କଥା ହେଉଛି । ଏପ୍ରିଲ ୨୨ ତାରିଖରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଚାଲି ଯାଇଛି ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ । ଦେଶର ପ୍ରତିଟି ନାଗରିକଙ୍କୁ ଦୁଃଖ ଦେଇଛି ଏହି ବର୍ବରକାଣ୍ଡ । ଯେଉଁମାନଙ୍କର ବି ଜୀବନ ଯାଇଛି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ।'ଯେଉଁମାନେ ଏଭଳି ଭୀରୁତାପୂର୍ଣ୍ଣ କାର୍ଯ୍ୟ କରିଛନ୍ତି, ସେମାନେ କେତେ ହତାସ ତାହା ଦର୍ଶାଇଛନ୍ତି ମୋଦୀ ।ସେ ଆହୁରି କହିଛନ୍ତି ଯେ, ଯେତେବେଳେ କାଶ୍ମୀରରେ ଶାନ୍ତି ଫେରୁଥିଲା, ସ୍କୁଲ ଓ କଲେଜ ସ୍ୱାଭାବିକ ଢଙ୍ଗରେ ଚାଲିଥିଲା, ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଗଣତନ୍ତ୍ର ମଜଭୁତ ହେଉଥିଲା । ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ କାଶ୍ମୀରରେ ପାଦ ପକାଇଥିଲେ, ଏଣୁ ରୋଜଗାର ମଧ୍ୟ ବଢ଼ିବାରେ ଲାଗିଥିଲା । ହେଲେ ଏସବୁ ବିକାଶମୂଳକ କାର୍ଯ୍ୟକୁ ସହିପାରିଲେ ନାହିଁ ଆତଙ୍କୀ ।'ଆତଙ୍କବାଦୀ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଏକ ହୋଇଛନ୍ତି ଦେଶବାସୀ । ଏହାହିଁ ଆମର ବଳ, ନିର୍ଣ୍ଣାୟକ ଲଢ଼େଇ ପାଇଁ ଏହି ବଳ ହିଁ ହେବ ଆମ ଆଧାର । ଆମକୁ କେବଳ ଆମ ସଂକଳ୍ପକୁ ମଜଭୁତ କରିବାର ଅଛି । ଯେଉଁମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି ସେମାନଙ୍କୁ ଦିଆଯିବ କଠୋର ଦଣ୍ଡ ।'ସାରା ବିଶ୍ୱ ୧୪୦ କୋଟି ଭାରତୀୟଙ୍କ ସହ ଠିଆ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
What's Your Reaction?






