ରୋଶିବିନାଙ୍କୁ ହ୍ୟାଟ୍ରିକ୍ ଏସିଆଡ୍ ପଦକ; ଉଷୁରେ ଜିତିଲେ ରୌପ୍ୟ
ମ୍ୟାଚ୍ ପରେ ରୋଶିବିନା କହିଥିଲେ, ସ୍ୱର୍ଣ୍ଣ ପଦକ ଦେଶକୁ ଭେଟି ଦେଇପାରି ନଥିବାରୁ ସେ ନିରାଶ। ତେବେ ଆଗାମୀ ପ୍ରତିଯୋଗିତାରେ ନିଜ ଭୁଲ୍ ସୁଧାରି ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ନ ମିଳିବା ମଧ୍ୟ ତାଙ୍କ ପାଇଁ ବଡ଼ ଆହ୍ୱାନ ଥିଲା।
ଭାରତୀୟ ଉଷୁ ତାରକା ନାଓରେମ ରୋଶିବିନା ଦେବୀ ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତି ଏସିଆଡ୍ରେ ଲଗାତାର ତୃତୀୟ ପଦକ ହାସଲ କରିଛନ୍ତି। ପୂର୍ବରୁ ୨୦୧୮ ଏସୀୟ କ୍ରୀଡ଼ାରେ କାଂସ୍ୟ ଏବଂ ୨୦୨୩ରେ ରୌପ୍ୟ ଜିତିଥିବା ୨୫ ବର୍ଷୀୟା ରୋଶିବିନା ଏଥର ମଧ୍ୟ ରୌପ୍ୟ ପଦକ ସହ ଅଭିଯାନ ଶେଷ କରିଛନ୍ତି।
ମହିଳା ସାଣ୍ଡା ୬୦ କିଲୋଗ୍ରାମ ଫାଇନାଲ୍ରେ ରୋଶିବିନା ଚୀନ୍ର ଜିଆଓୟୁ ଝାଙ୍ଗଙ୍କଠାରୁ ୦-୨ରେ ପରାଜିତ ହୋଇଥିଲେ। ଆଇଚି ପ୍ରିଫେକ୍ଟୁରାଲ ମାର୍ଶଲ୍ ଆର୍ଟସ୍ ହଲ୍ରେ ଅନୁଷ୍ଠିତ ମୁକାବିଲାର ଉଭୟ ରାଉଣ୍ଡରେ ଚୀନ୍ ଖେଳାଳିଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା। ପାଞ୍ଚଜଣ ବିଚାରପତି ଦୁଇଟି ଯାକ ରାଉଣ୍ଡରେ ଝାଙ୍ଗଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ।
ମ୍ୟାଚ୍ ପରେ ରୋଶିବିନା କହିଥିଲେ, ସ୍ୱର୍ଣ୍ଣ ପଦକ ଦେଶକୁ ଭେଟି ଦେଇପାରି ନଥିବାରୁ ସେ ନିରାଶ। ତେବେ ଆଗାମୀ ପ୍ରତିଯୋଗିତାରେ ନିଜ ଭୁଲ୍ ସୁଧାରି ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ନ ମିଳିବା ମଧ୍ୟ ତାଙ୍କ ପାଇଁ ବଡ଼ ଆହ୍ୱାନ ଥିଲା। ସେପ୍ଟେମ୍ବର ୧୦ରେ ଦଳରେ ସାମିଲ ହେବା ସୂଚନା ପାଇବା ପରେ ସେ ତୁରନ୍ତ ଘରୁ ବାହାରି ଦଳ ସହ ଯୋଗ ଦେଇଥିଲେ।
ଆହତ ହୋଇ ଦିବ୍ୟାଂଶୀ ଚୌଧୁରୀ ଦଳରୁ ବାଦ୍ ପଡ଼ିବା ପରେ ଶେଷ ମୁହୂର୍ତ୍ତରେ ରୋଶିବିନାଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଥିଲା। ଟ୍ରାଏଲ୍ରେ ରୋଶିବିନାଙ୍କୁ ହରାଇ ଦିବ୍ୟାଂଶୀ ପ୍ରଥମେ ଦଳରେ ସ୍ଥାନ ପକ୍କା କରିଥିଲେ।
ଫାଇନାଲ୍ ପ୍ରତିଦ୍ୱନ୍ଦ୍ୱୀ ଝାଙ୍ଗଙ୍କ ସାଇଡ୍କିକ୍ ବେଶ୍ ଶକ୍ତିଶାଳୀ ଥିଲା ବୋଲି ରୋଶିବିନା କହିଛନ୍ତି। ତାଙ୍କୁ ତଳେ ପକାଇବାକୁ ଅନେକଥର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ଏସିଆଡ୍ରେ ହ୍ୟାଟ୍ରିକ୍ ପଦକ ସଫଳତା ପରେ ରୋଶିବିନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
What's Your Reaction?