ଛାତ୍ର ନେତା ସରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଜଳୁଛି ବାଂଲାଦେଶ । ଗୁରୁବାର ରାତିରେ ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଶରେ ଆରମ୍ଭ ହୋଇଥିଲା ଦଙ୍ଗା । ଖବରକାଗଜ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଭଙ୍ଗାରୁଜା କରିବା ସହ ପ୍ରବଳ ଉତ୍ତେଜନା ସୃଷ୍ଟି କରିଥିଲେ ଉତ୍ତ୍ୟକ୍ତ ଜନତା । ଏହି ସମୟରେ ହିନ୍ଦୁ ବିରୋଧୀ ସ୍ଲୋଗାନ ମଧ୍ୟ ଦେଇଥିଲେ ପ୍ରଦର୍ଶନକାରୀ । ଏହାରି ମଧ୍ଯରେ ସାମ୍ନାକୁ ଆସିଥିଲା ଜଣେ ହିନ୍ଦୁ ଯୁବକଙ୍କ ନିର୍ମମ ହତ୍ୟା ଖବର । ମୁସଲିମ ଧର୍ମକୁ ଅପମାନ କରିବା ଅଭିଯୋଗରେ ଦୀପୁଚନ୍ଦ୍ର ଦାସ ନାମକ ଏହି ଯୁବକଙ୍କୁ ନିର୍ମମ ଭାବରେ ପିଟି ପିଟି କରାଯାଇଥିଲା ହତ୍ୟା । ଏହି ଘଟଣାର ତୀବ୍ର ନିନ୍ଦା କରିଥିଲା ଭାରତ । ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏବେ ୭ ଜଣଙ୍କୁ ଗିରଫ କରିଛି ବାଂଲାଦେଶୀ ପୋଲିସ । ଦୀପୁଚନ୍ଦ୍ର ଦାସଙ୍କ ହତ୍ୟା ପାଇଁ ବାଂଲାଦେଶ ଅନ୍ତର୍ଜାତୀୟ ସମାଲୋଚନାର ମଧ୍ଯ ହୋଇଛି ସମ୍ମୁଖୀନ ।