୨୦୨୭ରେ ଭାରତର ଜିଡିପି ଅଭିବୃଦ୍ଧି ୭.୨% ରହିବ ବୋଲି ଗୋଲ୍ଡମ୍ୟାନ୍‌ ସାକ୍ସର ଆକଳନ

Nov 17, 2026 - 15:13
୨୦୨୭ରେ ଭାରତର ଜିଡିପି ଅଭିବୃଦ୍ଧି ୭.୨% ରହିବ ବୋଲି ଗୋଲ୍ଡମ୍ୟାନ୍‌ ସାକ୍ସର ଆକଳନ

ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି ଅଭିହିତ କରିଥିବା କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୋମବାର ଜବାବ ଦେଇଛି ବିଜେପି। ଏଥିପାଇଁ ଦଳ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍‌ ସାକ୍ସର.. 

ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି ଅଭିହିତ କରିଥିବା କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୋମବାର ଜବାବ ଦେଇଛି ବିଜେପି। ଏଥିପାଇଁ ଦଳ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍‌ ସାକ୍ସର ଏକ ଆକଳନକୁ ଆଧାର କରିଛି। ସଂସ୍ଥାର ଆକଳନ ଅନୁଯାୟୀ, ୨୦୨୭ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ। ଏହା ଚୀନ୍‌, ଆମେରିକା ଓ ୟୁରୋ ଅଞ୍ଚଳର ଅଭିବୃଦ୍ଧି ଆକଳନଠାରୁ ଅଧିକ।

ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ରାହୁଲଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି। ସେ ଗୋଲ୍ଡମ୍ୟାନ୍‌ ସାକ୍ସର ଆକଳନକୁ ଉଲ୍ଲେଖ କରି କହିଛନ୍ତି, ଭାରତର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବାକୁ ଥିବାବେଳେ ଚୀନ୍‌ର ୪.୫ ପ୍ରତିଶତ, ଆମେରିକାର ୨.୪ ପ୍ରତିଶତ ଏବଂ ୟୁରୋ ଅଞ୍ଚଳର ୦.୯ ପ୍ରତିଶତ ରହିବ। ଏହି ଆକଳନ ରାହୁଲଙ୍କ ‘ମୃତ ଅର୍ଥନୀତି’ ମନ୍ତବ୍ୟର ଉତ୍ତର ଦେଉଛି ବୋଲି ସେ କହିଛନ୍ତି।

ବିଜେପିର ଜାତୀୟ ଗଣମାଧ୍ୟମ ସଂଯୋଜକ ଆଶିଷ ଉଷା ଅଗ୍ରୱାଲ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ବିଶ୍ୱସ୍ତରରେ ଅନିଶ୍ଚିତତା ଓ ଭୂରାଜନୈତିକ ଅସ୍ଥିରତା ସତ୍ତ୍ୱେ ଭାରତ ଦ୍ରୁତ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି। ତାଙ୍କ ମତରେ, ଦୃଢ଼ ଅର୍ଥନୈତିକ ଭିତ୍ତିଭୂମି, ନୀତିଗତ ନିଷ୍ପତ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଯୋଗୁଁ ଭାରତର ଅର୍ଥନୀତିରେ ପରିବର୍ତ୍ତନ ଆସିଛି। ଦିନେ ଦୁର୍ବଳ ଅର୍ଥନୀତି ଭାବେ ପରିଗଣିତ ହେଉଥିବା ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରେ ସ୍ଥାନ ପାଇଛି ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଦୀର୍ଘଦିନ ଧରି କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ନୀତିକୁ ସମାଲୋଚନା କରିଆସୁଛନ୍ତି। ଗତବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ‘ଡେଡ୍‌ ଇକୋନମି’ କହି ସମାଲୋଚନା କରିବା ପରେ ରାହୁଲ ମଧ୍ୟ ତାଙ୍କ ମନ୍ତବ୍ୟକୁ ସମର୍ଥନ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଛାଡ଼ିଦେଲେ ଦେଶର ଅର୍ଥନୀତିର ବାସ୍ତବ ସ୍ଥିତି ସମସ୍ତେ ଜାଣିଛନ୍ତି। ତେବେ କଂଗ୍ରେସ ପକ୍ଷରୁ ବିଜେପିର ନୂଆ ପ୍ରତିକ୍ରିୟା ଉପରେ ତୁରନ୍ତ କୌଣସି ଜବାବ ମିଳିନାହିଁ। 

What's Your Reaction?

like

dislike

love

funny

angry

sad

wow