ଦେଶବ୍ୟାପୀ DRIର ବଡ଼ ରେଡ୍ ; ୮ ରାଜ୍ୟରୁ ୮୪୫ କିଲୋରୁ ଅଧିକ ନିଶାଦ୍ରବ୍ୟ ଜବତ, ୧୫ ଗିରଫ

Sep 22, 2026 - 12:13
ଦେଶବ୍ୟାପୀ DRIର ବଡ଼ ରେଡ୍ ; ୮ ରାଜ୍ୟରୁ ୮୪୫ କିଲୋରୁ ଅଧିକ ନିଶାଦ୍ରବ୍ୟ ଜବତ, ୧୫ ଗିରଫ

ଦେଶବ୍ୟାପୀ ଚଢ଼ାଉ, ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (DRI) ଦେଶର ୮ଟି ରାଜ୍ୟରେ ଏକ ବଡ଼ ଧରଣର ଅପରେସନ୍ ଚଳାଇ ୮୪୫ କିଲୋରୁ ଅଧିକ ନିଶାଦ୍ରବ୍ୟ ଜବତ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି । 

ଦେଶବ୍ୟାପୀ ଡ୍ରଗ୍ସ ଚୋରାଚାଲାଣ ବିରୋଧରେ ଚାଲିଥିବା ଅଭିଯାନରେ ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସକୁ ଏକ ବଡ଼ ସଫଳତା ମିଳିଛି । ୮ଟି ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଅପରେସନ୍ ବେଳେ ୮୪୫ କିଲୋଗ୍ରାମରୁ ଅଧିକ ଗଞ୍ଜେଇ, ଚରସ, ଡ୍ରଗ୍ସ ଏବଂ ଆମ୍ଫେଟାମାଇନ୍ ଜବତ କରାଯାଇଛି । ବିହାର, ଉତ୍ତର ପ୍ରଦେଶ, ଓଡ଼ିଶା, ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ମଧ୍ୟପ୍ରଦେଶରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅନେକ ସଂଗଠିତ ଡ୍ରଗ୍ସ ଚୋରାଚାଲାଣ ନେଟୱାର୍କର ପର୍ଦ୍ଦାଫାସ ହୋଇଛି ।

୦୯ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର, ୨୦୨୬ ମଧ୍ୟରେ ଡିଆରଆଇ ୮ଟି ରାଜ୍ୟରେ ବିଭିନ୍ନ ଗୁଇନ୍ଦା ସୂଚନା ଆଧାରରେ ଅପରେସନ୍ ଚଳାଇଥିଲେ । ଏଥିରେ ୮୪୫ କିଲୋଗ୍ରାମରୁ ଅଧିକ ନିଷିଦ୍ଧ ମାଦକ ଦ୍ରବ୍ୟ ଓ ସାଇକୋଟ୍ରୋପିକ୍ ପଦାର୍ଥ ଜବତ କରିଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ବିମାନବନ୍ଦରରୁ ମଧ୍ୟ ୫.୮ କିଲୋଗ୍ରାମ କୋକେନ୍ ଜୱତ କରାଯାଇଛି ।

୧୭ ସେପ୍ଟେମ୍ବର ୨୦୨୬ରେ ଡିଆରଆଇ ବିହାରର ବୋଧଗୟାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଗୁଇନ୍ଦା ସୂଚନା ଆଧାରରେ ଅଧିକାରୀମାନେ ଜିନ୍ଦାପୁର ଟୋଲ୍ ପ୍ଲାଜା ନିକଟରେ ଏକ କଣ୍ଟେନର ଟ୍ରକକୁ ଅଟକାଇଥିଲେ । ଯାଞ୍ଚ ସମୟରେ ଧାନ କୁଣ୍ଡା ଭିତରେ ଲୁଚାଇ ରଖାଯାଇଥିବା ୭୩୭ଟି ପ୍ୟାକେଟରୁ ପ୍ରାୟ ୭୫୨.୩ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା । ଡିଆରଆଇ ଗଞ୍ଜେଇ ସମେତ ଟ୍ରକ୍ ଏବଂ ଧାନ କୁଣ୍ଡାକୁ ଜବତ କରିବା ସହ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି ।

୨୦ ସେପ୍ଟେମ୍ବର ୨୦୨୬ରେ ନେପାଳରୁ ଚରସ ଚୋରାଚାଲାଣ ନେଇ ମିଳିଥିବା ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ଗୋରଖପୁର ରେଳ ଷ୍ଟେସନରେ ଜନନାୟକ ଏକ୍ସପ୍ରେସରେ ଯାତ୍ରା କରୁଥିବା ଦୁଇଜଣ ମହିଳା ଯାତ୍ରୀଙ୍କୁ ଅଟକାଇଥିଲେ । ଯାଞ୍ଚ ବେଳେ ସେମାନଙ୍କ ଗୋଡ଼ର ନି-କ୍ୟାପ୍ ଭିତରେ ଏବଂ ଶାଢ଼ି ତଳେ ଚତୁରତାର ସହ ଲୁଚାଯାଇଥିବା ପ୍ରାୟ ୬ କିଲୋଗ୍ରାମ ଚରସ ଜବତ କରାଯାଇଥିଲା । ଉଭୟ ମହିଳାଙ୍କୁ ଏନଡିପିଏସ ଆକ୍ଟ ଅଧୀନରେ ଗିରଫ କରାଯାଇଛି ।

ସେହିପରି ୧୧ ସେପ୍ଟେମ୍ବର ୨୦୨୬ରେ ଡିଆରଆଇ ଓଡ଼ିଶାର ଘଡ଼ିଆବନ୍ଧ ବନ ବିଭାଗ ସହିତ ମିଳିତ ଭାବେ ଚଢ଼ାଉ କରିଥିଲା । ମେଣ୍ଟ୍ରି ଗ୍ରାମ ନିକଟରେ ଦୁଇଜଣ ବ୍ୟକ୍ତିଙ୍କୁ ଅଟକାଇ ତଲାସି ନିଆଯାଇଥିଲା । ସେମାନଙ୍କ ନିକଟରେ ଥିବା ତିନୋଟି ବସ୍ତାରୁ ୨୫ଟି ପ୍ୟାକେଟରେ ଥିବା ପ୍ରାୟ ୪୮.୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଏହି ଘଟଣାରେ ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ଏକ ସ୍କୁଟରକୁ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 

What's Your Reaction?

like

dislike

love

funny

angry

sad

wow