ମୁଖ୍ୟମନ୍ତ୍ରୀ ଆଦରଣୀୟ, ସରକାର ଅପାରଗ! 

Dec 8, 2024 - 15:51
 0  2
ମୁଖ୍ୟମନ୍ତ୍ରୀ ଆଦରଣୀୟ, ସରକାର ଅପାରଗ! 

ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି ରାଜ୍ୟ ସରକାର । ସବୁଠୁ ଅଧିକ ବ୍ୟୟ ବରାଦ ହେଉଥିବା ୧୭ଟି ବିଭାଗର ଖର୍ଚ୍ଚ ଅତ୍ୟନ୍ତ ନୈରଶ୍ୟଜନକ । ଏବେ ଯାଏଁ ଖର୍ଚ୍ଚ ହୋଇନି ଜୁଲାଇରୁ ସେପ୍ଟେମ୍ବରର ଟଙ୍କା । କେବିକେ ଯୋଜନାରେ ପ୍ରତି ବ୍ଲକକୁ ଦିଆଯିବା ଦେଢ଼ କୋଟି ଟଙ୍କା ମିଳିନାହିଁ ଏପର୍ଯ୍ୟନ୍ତ । ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ରାଜ୍ୟ ସରକାର ବଜେଟ ଅର୍ଥ ଖର୍ଚ୍ଚ କରିପାରୁ ନଥିବାରୁ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏହାସହ ଡବଲ ଇଞ୍ଜନ ସରକାରରେ ଓଡ଼ିଶା କେନ୍ଦ୍ରଠାରୁ ତା’ର ପ୍ରାପ୍ୟ ପାଇବ କି ନାହିଁ ତାହା ବି ରହିଛି ସନ୍ଦେହ ଘେରରେ। କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ  କରିଛି କୋଠର ସମାଲୋଚନା।ବଜେଟ୍ ପରେ ବଜେଟ୍ ଆଣୁଛନ୍ତି ମୋହନ ସରକାର । କିନ୍ତୁ ଅର୍ଥ ଖର୍ଚ୍ଚ କରିବାରେ ସଂପୂର୍ଣ୍ଣ ବିଫଳ । ୧୭ଟି ବିଭାଗର ବଜେଟ୍ ଅର୍ଥ ଖର୍ଚ୍ଚ ନଗଣ୍ୟ । ଗୃହ ଓ ନଗର ଉନ୍ନୟନ, ଯୋଜନା ଓ ସଂଯୋଜନା ବିଭାଗ, ଯୋଗାଣ ବିଭାଗ, ମିଶନ ଶକ୍ତି ବଜେଟ ଖର୍ଚ୍ଚ ସବୁଠୁ କମ । ଗୃହ ଓ ନଗର ଉନ୍ନୟନ ବିଭାଗର ୯ ହଜାର ୬୧୬ ଦଶମିକ ୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ଖର୍ଚ୍ଚ ହୋଇଛି ମାତ୍ର ୨ ହଜାର ୨୦୦ କୋଟି  । ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ବଜେଟରେ ରାଜ୍ୟ ସରକାର ଦେଇଥିଲେ ୫୦୦ କୋଟି ଟଙ୍କା   । କିନ୍ତୁ ୬ ମାସ ଭିତରେ ଟଙ୍କାଟିଏ ବି ହୋଇନାହିଁ ଖର୍ଚ୍ଚ। ବିଡ଼ମ୍ବନାର କଥା, ଏଯାଏଁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ କରିନାହାନ୍ତି ମୋହନ ସରକାର ।କେବିକକେ ଯୋଜନାରେ ପ୍ରତି ବ୍ଲକରୁ ଦେଢ କୋଟି ଟଙ୍କା ଖର୍ଚ୍ଚର ବ୍ୟବସ୍ଥା ଥିଲେ ବି ମିଳିନାହିଁ ଟଙ୍କାଟିଏ  । ବିଜେପି ସରକାରର ଏଭଳି ଆର୍ଥିକ ପରିଚାଳନାକୁ ନେଇ ଚିନ୍ତା ପ୍ରକଟ କରିଛି ମୁଖ୍ୟ ବିରୋଧୀ ବିଜେଡି । ଅତିରିକ୍ତ ବଜେଟର ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ, ରାଜ୍ୟ ସରକାର ବଜେଟ ଅର୍ଥ ଖର୍ଚ୍ଚ କରିପାରୁ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ବିଜେଡି । ବଜେଟ ବ୍ୟୟ ବରାଦ ଅର୍ଥକୁ ମୋହନ ସରକାର ଯେମିତି ଖର୍ଚ୍ଚ କରୁଛନ୍ତି ୮୦ରୁ ୯୦ ହଜାର କୋଟି ଟଙ୍କା ଫେରସ୍ତ ହୋଇଯିବ ବୋଲି କହିଛି ବିଜେଡି । କେବଳ ସେତିକି ନୁହେଁ, ବଡ଼ ଇଞ୍ଜିନ ସରକାରରେ କେବଳ ଧୂଆଁ ବାହାରୁଛି ବୋଲି କହି ବିଜେପିକୁ କଟାକ୍ଷ କରିଛି ବିଜେଡି । କେନ୍ଦ୍ର ସରକାର ଓଡ଼ିଶାକୁ କ’ଣ ଦେବେ ତାକୁ ନେଇ ସନ୍ଦେହ ପ୍ରକାଶ କରିଛି ଦଳ । ଜାନୁଆରୀରେ ବସିବ ଅର୍ଥ କମିଶନ ବୈଠକ ଯେଉଁଠି ରିପୋର୍ଟ ପ୍ରଦାନ କଲେ ଓଡ଼ିଶାକୁ ମିଳେ ପ୍ରାପ୍ୟ । କିନ୍ତୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଗଠନ କରି ନାହାନ୍ତି ରାଜ୍ୟ ଫାଇନାନ୍ସ କମିଶନ  । ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ବିହାରକୁ ୫୯ ହଜାର କୋଟି ଦେଇଥିବା ବେଳେ, ଆନ୍ଧ୍ରକୁ ଦେଇଛି ୩୦ ହଜାର କୋଟି ଟଙ୍କାର  ସ୍ବତନ୍ତ୍ର ଅନୁଦାନ। ପ୍ରତିବଦଳରେ ଓଡ଼ିଶାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।  ଜବାବରେ ବିଜେପି କହୁଛି ଯେ ୨୦୦୦ ମସିହାରୁ ୨୦୨୪ ଯାଏଁ ଓଡ଼ିଶାର ଅର୍ଥନୀତି ବ୍ୟବସ୍ଥାରେ ଅଣାଯାଇଛି ଅନେକ ସୁଧାର । ୨୦୦୦ ମସିହାରେ ଓଡ଼ିଶାର ଅର୍ଥନୀତି ୩୦ ନମ୍ବରରେ ଥିଲା l ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନରେ ଓଡ଼ିଶା ଆର୍ଥିକ ପରିଚାଳନାରେ ୧ ନମ୍ବର ରାଜ୍ୟରେ ପରିଣତ ହୋଇଛି l ଏହାକୁ ଏବେର ସରକାର ବଜାୟ ରଖନ୍ତୁ ବୋଲି ଅତିରିକ୍ତ ବଜେଟର ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ସରକାରଙ୍କୁ ପରାମର୍ଶ ଦେଇଛି ବିଜେଡି ।

What's Your Reaction?

like

dislike

love

funny

angry

sad

wow