ଜମୁଇ ପରେ ସମସ୍ତିପୁରରେ ନାବାଳିକାଙ୍କୁ ଦୁର୍ବ୍ୟବହାର, ଭିଡିଓ ଭାଇରାଲ୍ ପରେ ୪ ଗିରଫ
ଜମୁଇ ପରେ ସମସ୍ତିପୁରରେ ନାବାଳିକାଙ୍କୁ ଦୁର୍ବ୍ୟବହାର, ଭିଡିଓ ଭାଇରାଲ୍ ପରେ ୪ ଗିରଫ
ଜମୁଇ ପରେ ଏବେ ସମସ୍ତିପୁରରେ ସମାନ ଘଟଣା । ନାବାଳିକାଙ୍କୁ ଘେରିଯାଇ ଟଣାଘୋଷଡ଼ା କରୁଥିବା ଭିଡିଓ ଭାଇରାଲ୍ ପରେ ଆକ୍ରୋଶ ଦେଖା ଦେଇଛି । ପୁଣିଥରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ବନ୍ଧ ନିକଟକୁ ଯାଇଥିବା ଜଣେ ନାବାଳକ ଓ ନାବାଳିକାଙ୍କୁ ହଠାତ୍ ଘେରିଯାଇଥିଲେ କିଛି ଯୁବକ। ପ୍ରଥମେ ନାବାଳକଙ୍କୁ ମାଡ଼, ଆଉ ତା’ପରେ ଏକାକୀ ରହିଯାଇଥିବା ନାବାଳିକାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଘଟଣାଟି ସେପ୍ଟେମ୍ବର ୨୩ ତାରିଖର ବୋଲି କୁହାଯାଉଛି। ଘଟଣା ସମସ୍ତିପୁର ଜିଲ୍ଲାର କର୍ପୂରୀ ଗ୍ରାମ ଥାନା ଅଞ୍ଚଳ ଅନ୍ତର୍ଗତ ଜଗତସିଂହପୁର ଗାଁ ନିକଟସ୍ଥ ଏକ ବନ୍ଧରେ ଘଟିଥିବା ସୂଚନା ମିଳିଛି।
ପ୍ରାଥମିକ ତଥ୍ୟ ଅନୁସାରେ ଜଣେ ନାବାଳକ ଓ ନାବାଳିକା ବାଇକ୍ରେ ବନ୍ଧ ନିକଟକୁ ଯାଇଥିଲେ। ସେଠାରେ ଦୁହେଁ କଥାବାର୍ତ୍ତା କରୁଥିବା ସମୟରେ କିଛି ଯୁବକ ତାଙ୍କୁ ଘେରି ଯାଇଥିଲେ। ଅଭିଯୋଗ ଅନୁସାରେ ପ୍ରଥମେ ସାଙ୍ଗରେ ଥିବା ନାବାଳକଙ୍କୁ ମାଡ଼ ମରାଯାଇଥିଲା । ପରିସ୍ଥିତି ବିଗିଡ଼ିବାରୁ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ । ଏହାପରେ ସେଠାରେ ଏକାକୀ ରହିଯାଇଥିବା ନାବାଳିକାଙ୍କୁ ଯୁବକମାନେ ହଇରାଣ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଭିଡିଓରେ ଦେଖାଯାଉଛି ଜଣେ ଯୁବକ ତାଙ୍କ ହାତକୁ ଧରି ଭିଡିଆଣୁଛି । ଆଉ ଜଣେ ଆଗରେ ଛିଡ଼ା ହୋଇ ଅଶ୍ରାବ୍ୟ ଭାଷାରେ ଗାଳି କରୁଛି । ନାବାଳିକା ଜଣଙ୍କ ଅସହାୟ ହୋଇ ଯିବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କୁ ଅଟକାଯାଇ ହଇରାଣ କରାଯାଉଛି । ତେବେ ଭିଡିଓ ଭାଇରାଲ୍ ପରେ ସମସ୍ତିପୁର ପୁଲସ ଆକ୍ସନ ନେଇଛି ।
ମାମଲାରେ 4 ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ଜାରି ରହିଛି । ଦୁଇଦିନ ପୂର୍ବେ ଜମୁଇରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା । ଜଣେ ନାବାଳକ ଓ ତାଙ୍କ ନାବାଳିକା ବନ୍ଧୁଙ୍କୁ କିଛି ଲୋକ ଘେରିଯାଇ ହଇରାଣ କରିଥିଲେ । ଏମିତିକି ଅସାମାଜିକ ଯୁବକଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କୁ ଛାତିକୁ ଧରିଥିଲେ । ଅନ୍ୟଜଣେ ପଛରୁ ଧରି ଟେକି ନେଇଥିଲେ । ଯାହାର ଭିଡିଓକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ୱର ଉଠିଥିଲା । ପୋଲିସ ଆକ୍ସନ ନେଇ ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀଙ୍କୁ ଗିରଫ କରିଥିଲା । ଆଉ ଏବେ ସମାନ ଘଟଣା ସମସ୍ତିପୁରରୁ ଆସିବା ପରେ ନାରୀ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏମିତି ନରରାକ୍ଷାସ ଆଗକୁ ଏମିତି କରିବାକୁ ଭୟ କରିବେ ।
What's Your Reaction?