ତୀରନ୍ଦାଜିର ନୂଆ ନାୟିକା କୁମ୍‌କୁମ୍‌ଙ୍କୁ ଐତିହାସିକ ସ୍ବର୍ଣ୍ଣ

Oct 3, 2026 - 15:51
ତୀରନ୍ଦାଜିର ନୂଆ ନାୟିକା କୁମ୍‌କୁମ୍‌ଙ୍କୁ ଐତିହାସିକ ସ୍ବର୍ଣ୍ଣ

ଏହି ମ୍ୟାଚ୍‌ର ପ୍ରଥମ ଗେମ୍‌ରେ କୁମ୍‌କୁମ୍‌ ୦-୨ରେ ପଛରେ ପଡ଼ିଲା ପରେ ଦ୍ବିତୀୟଟି ୧-୧ରେ ସରିଥିଲା। ତୃତୀୟକୁ କୁମ୍‌କୁମ୍‌ ୨-୦ରେ ଜିତି ସ୍ଥିତି ସମାନ କରିଥିଲେ। ଚତୁର୍ଥ ଗେମ୍‌କୁ ୟେଜିନ୍‌ ଓ ପଞ୍ଚମକୁ କୁମ୍‌କୁମ୍‌ ଜିତିବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା। 

 ଚଳିତ ଏସୀୟ କ୍ରୀଡ଼ାରେ ୨ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ୩ ପଦକ ଜିତି ଭାରତୀୟ ତୀରନ୍ଦାଜିରେ ନୂଆ ନାୟିକା ଭାବେ ଉଭା ହୋଇଛନ୍ତି ୧୭ ବର୍ଷୀୟା କୁମ୍‌କୁମ୍‌ ଅନିଲ ମୋହୋଦ। ଶନିବାର ମହିଳା ରିକର୍ଭ ବ୍ୟକ୍ତିଗତ ବର୍ଗରେ ଏହି ଭାରତୀୟ ତୀରନ୍ଦାଜ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି। ଏଥିସହ ପ୍ରଥମ ଭାରତୀୟ ଭାବେ ସେ ଏସୀୟ କ୍ରୀଡ଼ା ତୀରନ୍ଦାଜି ରିକର୍ଭ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଛନ୍ତି ଏବଂ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସ ଟିକେଟ୍‌ ମଧ୍ୟ କରାୟତ୍ତ କରିଛନ୍ତି। ପୂର୍ବରୁ ଭାରତୀୟ ମହିଳା ଦଳ (ଅଙ୍କିତା ଭକତ, କୀର୍ତ୍ତି ଶର୍ମା) ସହ କୁମ୍‌କୁମ୍‌ ସ୍ବର୍ଣ୍ଣ ଜିତିଥିଲା ବେଳେ ମିଶ୍ରିତ ଯୁଗଳରେ ଧୀରଜ ବୋମ୍ମାଦେବାରାଙ୍କ ସହ ଐତିହାସିକ ରୌପ୍ୟ ପାଇଥିଲେ।

ଶନିବାର କଡ଼ା ସଂଘର୍ଷ ପୂର୍ଣ୍ଣ ଫାଇନାଲ୍‌ରେ କୁମ୍‌କୁମ୍‌ ସୁଟ୍‌ଆଉଟ୍‌ (୬-୫)ରେ ଦକ୍ଷିଣ କୋରିଆର ଓ ୟେଜିନ୍‌ଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ର ପ୍ରଥମ ଗେମ୍‌ରେ କୁମ୍‌କୁମ୍‌ ୦-୨ରେ ପଛରେ ପଡ଼ିଲା ପରେ ଦ୍ବିତୀୟଟି ୧-୧ରେ ସରିଥିଲା। ତୃତୀୟକୁ କୁମ୍‌କୁମ୍‌ ୨-୦ରେ ଜିତି ସ୍ଥିତି ସମାନ କରିଥିଲେ। ଚତୁର୍ଥ ଗେମ୍‌କୁ ୟେଜିନ୍‌ ଓ ପଞ୍ଚମକୁ କୁମ୍‌କୁମ୍‌ ଜିତିବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଶେଷରେ ଫଳାଫଳ ଲାଗି ମ୍ୟାଚ୍‌ ସୁଟ୍‌ଆଉଟ୍‌କୁ ଯାଇଥିଲା। ଏଥିରେ କୁମ୍‌କୁମ୍‌ ନିଜ ତୀର ୧୦ ରିଙ୍ଗ୍‌ରେ ପହଞ୍ଚିଥିଲା ବେଳେ ୟେଜିନ୍‌ ୮ ରିଙ୍ଗ୍‌ରେ ବଜାଇ ପରାଜୟ ବରଣ କରିଥିଲେ। ପୂର୍ବରୁ ସେମିଫାଇନାଲ୍‌ରେ କୁମ୍‌କୁମ୍‌ ବିଶ୍ବର ପୂର୍ବତନ ୧ ନମ୍ବର ବିଶ୍ବ ରୌପ୍ୟ ବିଜେତା ଚୀନ୍‌ର ଜିଙ୍ଗୟି ଝୁଙ୍କୁ ଏବଂ କ୍ବାର୍ଟରଫାଇନାଲ୍‌ରେ ବିଶ୍ବ ବିଜେତା ଦକ୍ଷିଣ କୋରିଆ ଖେଳାଳି କାଙ୍ଗ ଚାଏୟଙ୍ଗ୍‌ଙ୍କୁ ସମାନ ୬-୪, ୬-୪ ବ୍ୟବଧାନରେ ହରାଇ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ଦୁଇ ଚୀନ୍‌ ଖେଳାଳିଙ୍କ ମଧ୍ୟରେ ହୋଇଥିବା କାଂସ୍ୟ ଲଢ଼େଇରେ ୟୁୟୋଇ ୬-୪ରେ ହୁଙ୍ଗ ଜିଙ୍ଗୟିଙ୍କୁ ହରାଇଥିଲେ।

ପୁରୁଷ ବ୍ୟକ୍ତିଗତ ବର୍ଗରେ ଦୁଇ ଭାରତୀୟ ମଧ୍ୟରେ ଖେଳାଯାଇଥିବା ତୃତୀୟ ସ୍ଥାନ ମୁକାବିଲାରେ ନୀରଜ ଚୌହାନ ୬-୪ରେ ଧୀରଜଙ୍କୁ ହରାଇ କାଂସ୍ୟ ଜିତିଛନ୍ତି। ସେମିଫାଇନାଲ୍‌ରେ ନୀରଜ ୧-୭ରେ ଜାପାନର ଜୁନ୍‌ୟା ନାକାନିଶିଙ୍କଠୁ ଏବଂ ଧୀରଜ ୩-୭ରେ ଦକ୍ଷିଣ କୋରିଆର ଉସିଓକ୍‌ ଲି’ଙ୍କଠୁ ହାରି କାଂସ୍ୟ ପାଇଁ ଲଢ଼ିଥିଲେ। ପୂର୍ବରୁ କ୍ବାର୍ଟରରେ ନୀରଜ ୭-୧ରେ ଭୁଟାନର ଲାମ ଦୋର୍‌ଜିଙ୍କୁ ଏବଂ ଧୀରଜ ୬-୨ରେ ଉଜ୍‌ବେକିସ୍ତାନର ଆମିର‌ଖୋନ ସାଦିକୋଭ୍‌ଙ୍କୁ ପରାସ୍ତ କରିଥିଲେ। ଲି ୬-୨ରେ ନାକାନିଶିଙ୍କୁ ହରାଇ ସ୍ବର୍ଣ୍ଣ ଜିତିଥିଲେ। 

What's Your Reaction?

like

dislike

love

funny

angry

sad

wow