ମୋଦୀ-ପେଜେଶକିୟାନ ବୈଠକ ପରେ ଆମେରିକାର ବଡ଼ ଚେତାବନୀ, ଇରାନକୁ ସାହାଯ୍ୟ କଲେ ଲାଗିବ କଟକଣା
ଏଭଳି କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଉ ରୁବିଓଙ୍କ ଏହି ବୟାନ ଏମିତି ସମୟରେ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଆଲୋଚନା କରିଛନ୍ତି ।
ବିଶ୍ୱର ଯେକୌଣସି ଦେଶ ଇରାନକୁ ଆମେରିକୀୟ ପ୍ରତିବନ୍ଧକରୁ ବଞ୍ଚିବାରେ ସାହାଯ୍ୟ କଲେ, ସେହି ଦେଶ ବିରୋଧରେ ମଧ୍ୟ କଟକଣା ଲଗାଇପାରେ ୱାସିଂଟନ । ଏଭଳି କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଉ ରୁବିଓଙ୍କ ଏହି ବୟାନ ଏମିତି ସମୟରେ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଆଲୋଚନା କରିଛନ୍ତି । ଫକ୍ସ ନ୍ୟୁଜ୍ ରେଡିଓର ଏକ କାର୍ଯ୍ୟକ୍ରମରେ ମୋଦୀ-ପେଜେଶକିୟାନ ବୈଠକ ଏବଂ ସମ୍ଭାବ୍ୟ ବାଣିଜ୍ୟ ଆଲୋଚନାକୁ ନେଇ ରୁବିଓଙ୍କୁ ପ୍ରଶ୍ନ କରାଯାଇଥିଲା ।
ଜବାବରେ ରୁବିଓ କହିଥିଲେ ଭାରତ ଓ ଇରାନ କୌଣସି ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରୁଥିବା ସେ ବିଶ୍ୱାସ କରୁନାହାନ୍ତି । ପ୍ରତ୍ୟେକ ଦେଶର ନିଜସ୍ୱ ବୈଦେଶିକ ନୀତି ନିର୍ଦ୍ଧାରଣ କରିବାର ଅଧିକାର ରହିଛି । ବିଶ୍ୱର ଅନେକ ଦେଶ ଇରାନ ସହ ସମ୍ପର୍କ ରଖିଛନ୍ତି ଏବଂ ଆମେରିକା ମଧ୍ୟ ଇରାନର ପ୍ରତିନିଧିଙ୍କ ସହ ଆଲୋଚନା କରିଛି ।
କିନ୍ତୁ ଏହା ସହ ଏକ ‘ରେଡ୍ ଲାଇନ୍’ ଟାଣିଛନ୍ତି ରୁବିଓ । ତାଙ୍କ କହିବା କଥା, ଇରାନକୁ ଏପରି ରାଜସ୍ୱ ହାସଲ କରିବାରେ କୌଣସି ଦେଶ ସାହାଯ୍ୟ କରିବା ଉଚିତ୍ ନୁହେଁ, ଯାହାକୁ ଆମେରିକାର ମତରେ ଆତଙ୍କବାଦକୁ ପ୍ରୋତ୍ସାହନ କିମ୍ବା ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇପାରେ । ଯଦି କୌଣସି ଦେଶ ଏଭଳି କରେ, ତେବେ ସେହି ଦେଶ ଉପରେ କଟକଣା ଲଗାଇବାକୁ ଆମେରିକା ବାଧ୍ୟ ହେବ ବୋଲି ଚେତାଇ ଦେଇଛନ୍ତି ରୁବିଓ ।
ଅନ୍ୟପଟେ ମୋଦୀ ଏବଂ ପେଜେଶକିୟାନଙ୍କ ଆଲୋଚନାରେ ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କ ସହ ପାରସ୍ପରିକ ବାଣିଜ୍ୟକୁ ଆହୁରି ବଢ଼ାଇବା ଓ ବିବିଧ କରିବା ଉପରେ ଆଲୋଚନା ହୋଇଥିଲା। ତେଣୁ ଗୋଟିଏ ପଟେ ଭାରତ ଓ ଇରାନ ନିଜ ସମ୍ପର୍କକୁ ଆଗକୁ ନେବା ନେଇ ଆଲୋଚନା କରୁଥିବାବେଳେ, ଅନ୍ୟପଟେ ଇରାନକୁ ଆର୍ଥିକ ସହାୟତା ଯୋଗାଇବା ଭଳି ପଦକ୍ଷେପକୁ ନେଇ କଡ଼ା ବାର୍ତ୍ତା ଦେଇଛି ୱାସିଂଟନ ।
What's Your Reaction?