ଆଜିଠୁ ପ୍ୟାରିସ୍‌ ଅଲିମ୍ପିକ୍ସ

Jul 26, 2024 - 12:39
 0  2
ଆଜିଠୁ ପ୍ୟାରିସ୍‌ ଅଲିମ୍ପିକ୍ସ

 ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ୍‌ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ। ବିଶ୍ୱର ପ୍ରଥମ ସହର ଭାବରେ ପ୍ୟାରିସ୍‌ ତୃତୀୟ ଥର ପାଇଁ ଆୟୋଜନ କରିବାକୁ ଯାଉଛି  ଅଲିମ୍ପିକ୍ସ। ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସ୍‌କୁ ଅଲିମ୍ପିକ୍ସ ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଆୟୋଜକମାନେ ପ୍ରତିଶ୍ରୁତିବଦ୍ଧ। ଏଥର ନିଆରା ଢଙ୍ଗରେ ହେବ ଉଦ୍‌ଘାଟନୀ ସମାରୋହ। ପୂର୍ବରୁ ଷ୍ଟାଡିୟମରେ ଏହି ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଏଥର ସିନ୍‌ ନଦୀରେ ଦେଖିବାକୁ ମିଳିବ ଉଦ୍‌ଘାଟନୀ ଝଲକ। ଏଥିରେ ଫ୍ରାନ୍ସର କଳା, ସଂସ୍କୃତି, ଭାସ୍କର୍ଯ୍ୟ ପ୍ରତିଫଳିତ ହେବା ସହ ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ। ୯୦ଟି ଡଙ୍ଗାରେ ଆଥଲେଟମାନଙ୍କ ପରେଡ୍‌ ଅନୁଷ୍ଠିତ ହେବ। ପ୍ରାୟ ୬ କି.ମି. ଯାଏ ଏହି ପରେଡ ହେବାକୁ ଥିବାବେଳେ ସିନ୍‌ ନଦୀର ଉଭୟ ପାର୍ଶ୍ୱରେ ୩ ଲକ୍ଷ ୨୦ ହଜାର ଦର୍ଶକ ପରେଡ୍‌ର ମଜା ଉଠାଇବେ। ଅଷ୍ଟରଲିଜ୍‌ ବ୍ରିଜ୍‌ ନିକଟରୁ ଆରମ୍ଭ ହୋଇ ପରେଡ୍‌ ଇଫେଲ ଟାଓ୍ବାରର ଟ୍ରକାଡେରୋ ଗାର୍ଡେନ୍ସରେ ଶେଷ ହେବ। ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ୟାରିସ ସମୟ ସନ୍ଧ୍ୟା ୭.୩୦ ତଥା ଭାରତୀୟ ସମୟ ରାତି ୧୧.୦୦ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହେବ। କିମ୍ବଦନ୍ତୀ ଫୁଟବଲର ଜିନେଡିନ ଜିଡାନ୍‌ ଅଲିମ୍ପିକ୍ସ ମଶାଲରେ ଅଗ୍ନି ସଂଯୋଗ ସହ ଏହି ସମାରୋହ ଆରମ୍ଭ ହେବ। ପୂର୍ବରୁ ୧୯୦୦ ଓ ୧୯୨୪ରେ ପ୍ୟାରିସ୍‌ ସଫଳତାର ସହ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିଥିଲା। ଉଦ୍‌ଘାଟନୀ ସମାରୋହରେ ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଓ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରଥ କମଲ ତ୍ରିରଙ୍ଗା ବାହକ ହେବେ।

What's Your Reaction?

like

dislike

love

funny

angry

sad

wow