ଓଡିଶା : ଭାରତର ଏକ ଅନନ୍ୟ ଉତ୍କୃଷ୍ଟ ଅଞ୍ଚଳ

Apr 1, 2025 - 15:48
 0  3
ଓଡିଶା : ଭାରତର ଏକ ଅନନ୍ୟ ଉତ୍କୃଷ୍ଟ ଅଞ୍ଚଳ

ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ଓଡ଼ିଶା ଇତିହାସର ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ଗର୍ବିତ ଅନୁଭବ କରନ୍ତି ପ୍ରତ୍ୟେକ ଓଡ଼ିଆ  ।  ୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ । ଏହା ପୂର୍ବରୁ ଖଣ୍ଡ ବିଖଣ୍ଡିତ ହୋଇ ବିକ୍ଷିପ୍ତ ଅବସ୍ଥାରେ ଥିବା ଓଡ଼ିଆ ଅଞ୍ଚଳ ସମ୍ପୂର୍ଣ୍ଣ ହରାଇବାକୁ ବସିଥିଲା   ନିଜର ପରିଚୟ। ୧୫୬୮ ବେଳକୁ ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବ ଯୁଦ୍ଧରେ ପରାସ୍ତ ହେବା ସହିତ ଅସ୍ତମିତ ହୋଇ ଯାଇଥିଲା ସ୍ବାଧୀନ ଓଡ଼ିଶାର ସୂର୍ଯ୍ୟ । ୧୮୦୩ରେ ଓଡ଼ିଶା ଦଖଲ କରିଥିଲେ ଇଂରେଜ ।  ପରେ ପରେ ସ୍ବାଧୀନ ଓଡ଼ିଶାର ସୂର୍ଯ୍ୟୋଦୟ ସମ୍ଭାବନା ସୃଷ୍ଟି କରିଥିଲେ କେତେକ ମାଟିମାତୃକାର  ସୁଯୋଗ୍ୟ ସନ୍ତାନ । ସେମାନଙ୍କ ଅବିରତ ନିଷ୍ଠାପର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣ ପର୍ବର ପୂର୍ଣ୍ଣାହୂତି ହୋଇଥିଲା ୧୯୩୬ ଏପ୍ରିଲ ୧ରେ ।ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଏହାର ଭାଷା, ସଂସ୍କୃତି ଏବଂ ଲୋକାଚାର ସମଗ୍ର ଭାରତବର୍ଷ ଠାରୁ ନିଶ୍ଚିତ ରୂପେ ଭିନ୍ନ ବୋଲି ହୋଇଛି ସ୍ପଷ୍ଟ । ଓଡ଼ିଆମାନଙ୍କ ସରଳତା, ନିଷ୍କପଟତା ଏବଂ ସର୍ବୋପରି ମହାନ ମାନବୀୟ ଗୁଣବତା ବେଶ୍ ମାର୍ମିକ ଏବଂ ସୁସ୍ପଷ୍ଟ । ନିରହଂକାର ମନୋଭାବର ଏ ଜାତି ଏକ ଉଜ୍ଵଳ ଦୃଷ୍ଟାନ୍ତ । ଭାରତବର୍ଷର ପ୍ରତ୍ୟେକ ଭାଷାଭିଭିକ ପ୍ରଦେଶମାନକୁ ଯାଇ ଲୋକ ସଂସ୍କୃତି ସହିତ ମିଶିବା ପରେ ଜାଣିପାରିବେ ଓଡ଼ିଆ ଜାତି ଅନ୍ୟମାନଙ୍କଠାରୁ କେତେ ପୃଥକ୍ ! 
ଇତିହାସ ପୃଷ୍ଠାରୁ ଜଣା ପଡ଼ିଥାଏ ଓଡ଼ିଆମାନେ ବୀର, ସାହସୀ ଏବଂ ସର୍ବଭାରତୀୟ ପ୍ରେମଧାରାର ବଳିଷ୍ଠ ପୂଜାରୀ । ବିପଦ ବେଳେ ସ୍ୱୟଂ ଜଗନ୍ନାଥ ହିଁ  ଶକ୍ତି ପ୍ରଦାନ କରିଛନ୍ତି ଏ ଜାତିକୁ । ସ୍ୱୟଂ ଅସ୍ତ୍ରଧାରଣ କରି  ଦମନ କରିଛନ୍ତି ଶତ୍ରୁକୁ। ଏ ହେଉଛି ଆମ ଜନ୍ମ ଭୂମି, ଅନନ୍ୟ ଓଡ଼ିଶା।

What's Your Reaction?

like

dislike

love

funny

angry

sad

wow