ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ବିଜେଡି!

Feb 28, 2025 - 15:00
 0  1
ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ବିଜେଡି!

ସମସ୍ତେ ଜାଣନ୍ତି ଯେ ଗତ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଭି କେ ପାଣ୍ଡିଆନ୍ ଥିଲେ ଅତ୍ୟନ୍ତ ପ୍ରଭାବଶାଳୀ । ବିଜେଡି ନେତାମାନେ ପାଣ୍ଡିଆନଙ୍କୁ ଭେଟିଲେ ତାହା ନବୀନଙ୍କୁ ଭେଟିବା ସହ ହେଉଥିଲା ସମାନ। ପାଣ୍ଡିଆନଙ୍କ ନିକଟରେ ସମସ୍ତେ ନିଜକୁ ସମର୍ପି ଦେଇ ତାଙ୍କରି କଥାରେ ଉଠ୍ବସ୍ ହେଉଥିଲେ। ପାଣ୍ଡିଆନଙ୍କ ଯୋଜନା ଓ ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇବାକୁ ଲାଗିପଡ଼ୁଥିଲେ ଦିନରାତି। କିନ୍ତୁ ସେତବେଳେ ନିରବି ଯାଉଥିଲା ସଭୀଙ୍କର ନିଜସ୍ବ ମତ ଓ ସ୍ବର ।ମନ୍ତ୍ରୀ, ବିଧାୟକ, ସାଂସଦ ସମସ୍ତେ ଯେମିତି ହୋଇଯାଇଥିଲେ ପଙ୍ଗୁ ।  ନିଜ ଚଉକି ବଞ୍ଚାଇବାକୁ ନିଜକୁ ସମର୍ପଣ କରିବାକୁ ପଛଘୁଞ୍ଚା ଦେଉ ନଥିଲେ ଅଧିକାଂଶ ପୁରୁଣା ନେତା। ଆଉ କିଛି ପାଇବା ଆଶାରେ ପାଣ୍ଡିଆନଙ୍କ ସ୍ତୁତିଗାନ କରୁଥିଲେ ଅନେକ ନୂଆ ନେତା । ବିଜେଡିର ନେତାମାନେ ଏହା ସ୍ବୀକାର କରନ୍ତୁ ବା ନ କରନ୍ତୁ, ଏମିତି ବ୍ୟବସ୍ଥା ହିଁ ଚାଲିଥିଲା ଗତ ୨୦୨୪ ନିର୍ବାଚନ ଯାଏଁ । ଯାହା ଡାକିଆଣିଥିଲା ଦଳର ଅଧପତନକୁ। ବର୍ତ୍ତମାନ ବି ପାଣ୍ଡିଆନ ପ୍ରସଙ୍ଗରେ ବିଜେଡି ନେତାମାନେ ନିରବ ରହିବା ବ୍ୟତୀତ ସେମାନଙ୍କ ପାଖରେ କିଛି ବିକଳ୍ପ ନାହିଁ। କାରଣ ଏବେ ବି ନବୀନ ନିବାସରେ ରହିଛି ପାଣ୍ଡିଆନଙ୍କ ଅଖଣ୍ଡ ପ୍ରଭାବ । ସେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ମଧ୍ୟ ତାଙ୍କରି ଇଙ୍ଗିତରେ ପରିଚାଳିତ ହେଉଛି ବିଜେଡି।ଏହାକୁ ଖୋଲାଖୋଲି ଗଣମାଧ୍ୟମରେ ସ୍ବୀକାର ନ କଲେ ବି ଅନୌପଚାରିକ ଆଲୋଚନା ବେଳେ ମାନି ଯାଉଛନ୍ତି ବିଜେଡି ନେତାଗଣ, ଯାହା ଏବେ ହୋଇଗଲାଣି ସର୍ବତ୍ର ପ୍ରଘଟ। ସେଥିପାଇଁ ବିଜେଡି ନେତାମାନେ ପାଣ୍ଡିଆନଙ୍କ କବଳରୁ ମୁକ୍ତ ନୁହନ୍ତି ବୋଲି କହିବାକୁ ଜୁଟାଇ ପାରୁନାହାନ୍ତି ନୈତିକ ସାହସ । ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କଲେ ମିଳିବ ଲୋକଲଜ୍ଜା । ଆଉ ପାଣ୍ଡିଆନଙ୍କ ବିପକ୍ଷରେ କହିଲେ ବି ଲୋକେ ସେମାନଙ୍କ ଦୋମୁହାଁ ଚରିତ୍ର ଉପରେ ଉଠାଇବେ ଅଙ୍ଗୁଳି। ଏମିତି ଏକ ତ୍ରିଶଙ୍କୁ ଅବସ୍ଥାରେ ରହିଛନ୍ତି ବହୁ ବିଜେଡି ନେତା। ଲାଗୁଛି ଯେମିତି ନେତୃତ୍ବବିହୀନ ହୋଇଯାଇଛି ଦଳ । ଶାସନରେ ଥିଲା ବେଳେ ଜନମାନସରେ ପ୍ରଭାବ ବିସ୍ତାର କଲା ପରି ଦେଖାଯାଉ ନଥିଲେ କେହି ନେତା । ଏବେ ବିରୋଧୀ ଦଳକୁ ଆସିଲା ପରେ ବି ସୁଧୁରିପାରୁନି ସ୍ଥିତି। ଏମିତି ପରିସ୍ଥିତି କେତେ ଦିନ ଲାଗି ରହିବ ଏବଂ ଆଗକୁ ଦଳର ଭବିଷ୍ୟତ କ’ଣ ହେବ, ସେ ନେଇ ଲାଗିରହିଛି ଦ୍ବନ୍ଦ୍ବ।

What's Your Reaction?

like

dislike

love

funny

angry

sad

wow