ଓଡ଼ିଶାରେ କରମୁକ୍ତ ହେଲା ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’
ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ସିନେମାକୁ ଓଡ଼ିଶାରେ କରମୁକ୍ତ ଘୋଷଣା କରାଗଲା ବୋଲି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁବାର ଜାରି କରାଯାଇଛି ବିଜ୍ଞପ୍ତି। ବିଜ୍ଞପ୍ତିରେ କୁହାଯାଇଛି, ସତ୍ୟଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ ଯାହା କି ୨୦୦୨ ଫେବୃଆରୀ ୨୭ତାରିଖର ଗୋଧ୍ରା ରେଳପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ। ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଛି। ଏହି ଚଳଚ୍ଚିତ୍ରର ଗୁଣାତ୍ମକ ତଥା ଭାବାତ୍ମକ କାହାଣୀ ଦୃଷ୍ଟିରୁ ଚଳଚ୍ଚିତ୍ରଟିକୁ ଅଧିକ ଲୋକ ଦେଖିବା ଆବଶ୍ୟକ। ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଏହି ଚଳଚ୍ଚିତ୍ରଟିକୁ ଓଡ଼ିଶାରେ କରମୁକ୍ତ କରାଗଲା। ଏହି ସିନେମାକୁ ଟିକସମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ଭାଜପା ଶାସିତ ରାଜ୍ୟ। ଏହା ପୂର୍ବରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ହରିୟାଣା ଓ ଗୁଜରାଟ ସରକାର ଏହି ସିନେମାକୁ ଟିକସମୁକ୍ତ ଘୋଷଣା କରିଛନ୍ତି। ଏହି ସିନେମାକୁ ଟିକସମୁକ୍ତ କରାଯିବା ଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ବିଧାନସଭାରେ ଘୋଷଣା କରିଛନ୍ତି।
What's Your Reaction?