ହଜାର ବର୍ଷ ତଳର ଭୂତ ନିର୍ମିତ ମନ୍ଦିର
ଭାରତରେ ଅନେକ ମନ୍ଦିର ରହିଛି ଯାହାର ଇତିହାସ ଯେତିକି ରୋଚକ ସେତିକି କୌତୁହଳପୂର୍ଣ୍ଣ । ସେହି କ୍ରମରେ ଦେଖିଲେ ଦେଶର ଦକ୍ଷିଣ ଓ ଉତ୍ତର ଭାଗରେ ଥିବା ମନ୍ଦିରଗୁଡ଼ିକ ଆସିବେ ଏହି ବର୍ଗରେ। ତହିଁ ମଧ୍ୟରୁ ମଧ୍ୟପ୍ରଦେଶର ମୁରୈନା ଠାରେ ଅବସ୍ଥିତ କକନମଠ ମନ୍ଦିର ଏକ ଅନ୍ୟତମ ରହସ୍ୟମୟ ମନ୍ଦିର ଯାହା କିଏ, କେବେ ନିର୍ମାଣ କରିଥିଲେ ତାହାର କୌଣସି ତଥ୍ୟ ଏବେବି ଉପଲବ୍ଧ ନୁହେଁ । ସ୍ଥାନୀୟ ଅଞ୍ଚଳର ଲୋକକଥା ଅନୁସାରେ, ମନ୍ଦିରଟି ଛିଡ଼ା ହୋଇଯାଇଥିଲା ଗୋଟିଏରାତି ମଧ୍ୟରେ । ନିର୍ମାଣ ପାଇଁ ଆବଶ୍ୟକତା ପଡ଼ି ନଥିଲା ଇଟା, ସିମେଣ୍ଟର । କେବଳ ପଥର ଉପରେ ପଥରକୁ ଖଞ୍ଜାଯାଇ ତିଆରି ହୋଇଛି ମନ୍ଦିରଟି। ଏତେ ଶହ ବର୍ଷରେ ବୋହି ଯାଇଛି ଅସଂଖ୍ୟ ଝଡ଼ ଝଞ୍ଜା l ତେବେବି ମନ୍ଦିରଟିର ଆଜିଯାଏ କୌଣସି କ୍ଷତି ହୋଇଥିବାର ନାହିଁ ନଜିର। ଆହୁରି ଏକ ରୋଚକପୂର୍ଣ୍ଣ ତଥ୍ୟଟି ହେଉଛି ଯେ କୌଣସି ମଣିଷ ତିଆରି କରି ନଥିଲେ ମନ୍ଦିରଟିକୁ । ଭୂତମାନେ ଏହି ମନ୍ଦିରଟିକୁ ରାତାରାତି ନିର୍ମାଣ କରିଥିଲେ ବୋଲି ସ୍ଥାନୀୟ ଲୋକଙ୍କ ରହିଛି ବିଶ୍ବାସ। ଭୂତ ତ ଭଗବାନଙ୍କ ପାଖ ମାଡ଼େନି। ସେ ପୁଣି କେମିତି ମନ୍ଦିର ନିର୍ମାଣ କରିବାର ସୁଯୋଗ ପାଇଲା ବୁଝି ହେଉନି l କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ବୋଲି ମଣୁଛନ୍ତି ଅନେକ ଲୋକ । ଏହି ରହସ୍ୟମୟ କକନମଠ ଶିବ ମନ୍ଦିର ବିଷୟରେ କୁହାଯାଏ ଯେ ପ୍ରାୟ ୧୧ଶ ଶତାବ୍ଦୀ ବେଳକୁ ରାଜା କୀର୍ତ୍ତି ତାଙ୍କ ମହାରାଣୀ କକନାବତୀଙ୍କ ପାଇଁ ଶିବ ମନ୍ଦିର ନିର୍ମାଣ କରାଇଥିଲେ ମନ୍ଦିରଟି । କାରଣ ରାଣୀ ଥିଲେ ମହାଦେବଙ୍କ ପରମ ଭକ୍ତ। ସ୍ଥଳଭାଗଠାରୁ ପ୍ରାୟ ୧୧୫ଫୁଟ୍ ଉଚ୍ଚରେ ଅବସ୍ଥିତ ଏହି ମନ୍ଦିରଟି । ଲୋକକଥା ଅନୁସାରେ ଭୂତମାନେ ରାତିରୁ କାମ ଆରମ୍ଭ କରି ତିଆରି କରିଥିଲେ ଏହି ମନ୍ଦିରଟିକୁ । ଏବଂ ସକାଳ ହେବାମାତ୍ରେ ସେମାନେ ଅଧାରୁ ଛାଡ଼ିଦେଇଥିଲେ ନିର୍ମାଣ କାମ । ଏହି ଅଧାଗଢ଼ା ମନ୍ଦିରଟିର ନିର୍ମାଣ କାମ ସମ୍ପୂର୍ଣ୍ଣ କରିଥିଲେ ରାଣୀ କକନାବତୀ । ଭୂତମାନେ ନିର୍ମାଣ କରିଥିବା ଅଂଶ ତିଆରି ହୋଇଛି ବିନା ବାଲି, ସିମେଣ୍ଟ ଓ ଚୂନରେ । ମନ୍ଦିରର ବାକି ଅଂଶକୁ ଦେଖିଲେ ମଧ୍ୟ ଲାଗେ ଏଥିରେ ବି ବ୍ୟବହାର ହୋଇନାହିଁ କୌଣସି ଭୌତିକ ସାମଗ୍ରୀ। ଖାଲି ପଥର ଉପରେ ପଥର ଖଞ୍ଜାଯାଇ ତିଆରି ହୋଇଛି ମୂଳ କାମ ଯାହାକି ଟିକିଏ ଝଟ୍କାରେ ପଡ଼ିଯିବା ଭଳି ହୁଏ ପ୍ରତୀତ। କାହିଁ କେତେ ବିପର୍ଯ୍ୟୟ ଦେଖି ଆସିଛି ଏହି ମନ୍ଦିର। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେବେଠାରୁ ଏପର୍ଯ୍ୟନ୍ତ କକନମଠ ମନ୍ଦିରର କୌଣସି ଭାଗରୁ ଖସିନାହିଁ ଗୋଟିଏ ବି ପଥର । ଏହି ମନ୍ଦିରର ଅନେକ ବୈଜ୍ଞାନିକ ଅନୁଧ୍ୟାନ ସରିଲାଣି। ହେଲେ ଏହାର ନିର୍ମାଣ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିର୍ଯାସ ବାହାରି ପାରୁନାହିଁ କିମ୍ବା ମିଳୁନାହିଁ କୌଣସି ତଥ୍ୟ। ଏହି ମନ୍ଦିର କିଏ ତିଆରି କରିଛି ସେ ରହସ୍ୟ ଉପରୁ ମଧ୍ୟ ପରଦା ହଟାଇ ପାରୁନାହାନ୍ତି ବୈଜ୍ଞାନିକମାନେ । ସେଥିପାଇଁ କକନମଠ ମନ୍ଦିରକୁ ଲୋକମାନେ ଦେଇଛନ୍ତି ଏକ ରହସ୍ୟମୟୀ ମନ୍ଦିରର ଆଖ୍ୟା ।
What's Your Reaction?