୪ ଖେଳାଳିଙ୍କୁ ଖେଳରତ୍ନ, ୩୪ଜଣଙ୍କୁ ଅର୍ଜୁନ ପୁରସ୍କାର

ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର। ମନୋନୀତ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଖେଳାଳି ମନୁ ଭାକର, ଡି. ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥ୍ଲେଟ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନରେ କରାଯାଇଛି ସମ୍ମାନିତ। ଅନ୍ୟପକ୍ଷେ ୩୨ଜଣ ଖେଳାଳିଙ୍କୁ ପ୍ରଦାନ କରାଯାଇଛି ଅର୍ଜୁନ ପୁରସ୍କାର।ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଡବଲ ମେଡାଲ ବିଜେତା ମନୁ ଭାକରଙ୍କୁ ଖେଳ ରତ୍ନରେ କରାଯାଇଛି ସମ୍ମାନିତ। ସେହିପରି ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ଜିତିଥିଲେ ଦୁଇଟି ବ୍ରୋଞ୍ଜ ପଦକ। ପ୍ରଥମ ଭାରତୀୟ ମହିଳା ଆଥ୍ଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଏଭଳି କୃତତ୍ୱ ନିଜ ନାମରେ କରିଥିଲେ। ସେହିପରି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ କ୍ରମାଗତ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲା। ୨୦୨୧ ସଫଳତାକୁ ଭାରତ ବଜାୟ ରଖିଥିବା ବେଳେ ହରମନପ୍ରୀତ ଦଳ ପକ୍ଷରୁ ସର୍ବାଧିକ ଗୋଲ ସ୍କୋର ରହିଥିଲେ। ତାଙ୍କୁ ମଧ୍ୟ ଖେଳ ରତ୍ନରେ କରାଯାଇଛି ସମ୍ମାନିତ।ସେହିପରି ବିଶ୍ବ ଚେସ୍ ଚାମ୍ପିୟନଶିପ ଓ ଚେସ୍ ଅଲିମ୍ପିଆଡରେ ସ୍ବର୍ଣ୍ଣ ପଦକ ବିଜେତା ଡି. ଗୁକେଶଙ୍କୁ ପ୍ରଦାନ କରାଯାଇଛି ଖେଳରତ୍ନ। ବିଶ୍ବ ଚେସ ଚାମ୍ପିୟନଶିପର ଅନ୍ତିମ ରାଉଣ୍ଡରେ ଚାଇନାର ଡିଙ୍ଗ ଲିରେନଙ୍କ ବିପକ୍ଷରେ ଅଦ୍ଭୂତପୂର୍ବ ବିଜୟ ସହ ଟାଇଟଲ ବିଜୟୀ ହୋଇଥିଲେ ଗୁକେଶ। ବିଶ୍ବନାଥନ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ଜିତିଥିଲେ ଏହି ଟାଇଟଲ।
What's Your Reaction?






