ନୀରଜ ବିଶ୍ବର ଶ୍ରେଷ୍ଠ ଜାଭ୍ଲିନ୍ ଫିଙ୍ଗାଳି
![ନୀରଜ ବିଶ୍ବର ଶ୍ରେଷ୍ଠ ଜାଭ୍ଲିନ୍ ଫିଙ୍ଗାଳି](https://kalingascroll.in/uploads/images/202501/image_870x_67823bb5a23e6.jpg)
ଦୁଇଟି ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷର ବିଶ୍ବର ଶ୍ରେଷ୍ଠ ପୁରୁଷ ଜାଭ୍ଲିନ୍ ଫିଙ୍ଗାଳି ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ବର ନାମକରା ଆମେରିକୀୟ ପତ୍ରିକା ‘ଟ୍ରାକ୍ ଆଣ୍ଡ ଫିଲ୍ଡ ନ୍ୟୁଜ୍’ ପକ୍ଷରୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜଙ୍କୁ କରାଯାଇଛି ଏହି ସମ୍ମାନ ପ୍ରଦାନ। ଗତ ବର୍ଷ ଅଗଷ୍ଟରେ ପ୍ୟାରିସ୍ରେ ୨୭ ବର୍ଷୀୟ ନୀରଜ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିଥିବା ପାକିସ୍ତାନର ଅର୍ଶଦ ନଦୀମ ଓ ଦୁଇ ଥର ବିଶ୍ବ ବିଜେତା ଗ୍ରେନାଡ଼ାର ଆଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇ କାଲିଫର୍ଣ୍ଣିଆସ୍ଥିତ ପତ୍ରିକା ଦ୍ବାରା ହୋଇଥିବା ୨୦୨୪ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ନଦୀମଙ୍କୁ ପଞ୍ଚମ ମାନ୍ୟତା ମିଳିଛି। ସେ ଅଲିମ୍ପିକ୍ସ ବାଦ୍ ୨୦୨୪ରେ କେବଳ ଗୋଟିଏ ପ୍ରତିଯୋଗିତା ପ୍ୟାରିସ୍ ଡାଇମଣ୍ଡ ଲିଗ୍ରେ ଭାଗ ନେଇ ଚତୁର୍ଥ ସ୍ଥାନରେ ରହିଥିଲେ। ୧୯୪୮ରୁ ପ୍ରକାଶିତ ଏହି ପତ୍ରିକା ପ୍ରତି ବର୍ଷ ବିଶ୍ବ ଓ ଆମେରିକୀୟ ମାନ୍ୟତା ପ୍ରକାଶ କରିଥାଏ। ୨୦୨୩ରେ ମଧ୍ୟ ଏହି ମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ନୀରଜ ୨୦୨୪ରେ ଡାଇମଣ୍ଡ ଲିଗ୍ ଜିତି ପାରି ନଥିଲେ। ଦୋହା, ଲୁସାନେ ଓ ବ୍ରସେଲ୍ସରେ ଦ୍ବିତୀୟରେ ରହିଥିଲେ। ସେ ଗତ ବର୍ଷ ଫିନ୍ଲାଣ୍ଡରେ ହୋଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ବିଜେତା ହୋଇଥିଲେ। ଏହି ମାନ୍ୟତା ଲାଗି ନୀରଜ ଓ ୨୦୨୨ ବିଜେତା ପିଟର୍ସଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଡାଇମଣ୍ଡ ଲିଗ୍ ଜିତି ନଥିଲେ ମଧ୍ୟ ନୀରଜ ୩-୨ରେ ପିଟର୍ସଙ୍କୁ ପଛରେ ପକାଇଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ନଦୀମ ଓ ନୀରଜଙ୍କ ପଛରେ ରହି ପିଟର୍ସ କାଂସ୍ୟ ଜିତିଥିଲେ। ୨୦୨୪ ଡାଇମଣ୍ଡ ଲିଗ୍ରେ ସେ ଲୁସାନେ, ଜୁରିକ ଓ ବ୍ରସେଲ୍ସରେ ବିଜେତା ହୋଇଥିଲେ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)