ୟୁରୋ କପ୍‌: ସ୍ପେନ୍‌, ଇଟାଲି ଅଗ୍ରସର

ୟୁରୋ କପ୍‌: ସ୍ପେନ୍‌, ଇଟାଲି ଅଗ୍ରସର

ଚଳିତ ୟୁରୋ କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଗ୍ରୁପ୍‌ ‘ବି’ରୁ ସ୍ପେନ୍‌ ଓ ଇଟାଲି ବଢ଼ିଛନ୍ତି ଆଗକୁ। ସୋମବାର ବିଳମ୍ବିତ ରାତିରେ‌ ଖେଳାଯାଇଥିବା ମ୍ୟାଚ୍‌ରେ ସ୍ପେନ୍‌ ୧-୦ ଗୋଲ୍‌ରେ ଆଲବାନିଆକୁ  କରିଛି ପରାସ୍ତ। ଏକମାତ୍ର ଗୋଲଟି ମ୍ୟାଚ୍‌ର ତ୍ରୟୋଦଶ ମିନିଟରେ ଦେଇଥିଲେ ଫେରାନ୍ ଟୋରେସ୍‌। ଏଥି ସହ ସ୍ପେନ୍‌ ସମସ୍ତ ୩ ଗ୍ରୁପ୍ ମ୍ୟାଚ୍‌ ଜିତି ଟପ୍ପର ହେବା ସହ  ପାଇଛି ୯ ପଏଣ୍ଟ। ସୋମବାର ସମାନ ସମୟରେ ଖେଳାଯାଇଥିବା କ୍ରୋଏସିଆ-ଇଟାଲି ମ୍ୟାଚ୍‌ ୧-୧ ଗୋଲ୍‌ରେ ଡ୍ର’ ରହିବାରୁ ଶେଷ ମିନିଟରେ ଇଟାଲି ବଢ଼ିଯାଇଛି ଆଗକୁ । ପ୍ରଥମାର୍ଧ ଗୋଲଶୂନ୍ୟ ରହିବା ପରେ ୫୪ତମ ମିନିଟରେ ଅଭିଜ୍ଞ ଲୁକାସ ମୋଡ୍ରିକ୍  ମିସ୍ କରିଥିଲେ ଏକ ପେନାଲ୍ଟି। କିନ୍ତୁ ପରବର୍ତୀ ମିନିଟରେ ହିଁ ଏକ ଫିଲ୍ଡ ଗୋଲ୍ (୫୫ତମ ମିନିଟ) ଦେଇ ଏହାର ଭରଣା କରି ଦେଇଥିଲେ। ବିଳମ୍ବିତ ନାଟକ କିନ୍ତୁ ମ୍ୟାଚ୍‌ ଭାଗ୍ୟ ବଦଳାଇ ଦେଇଥିଲା। ମ୍ୟାଚ୍‌ ଶେଷ ହେବାକୁ ଯାଉଥିବାବେଳେ ଇଟାଲି ପାଇଁ ନିଜ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ଦେଇ ମାଟିଆ ଜାକାନି (୯୦+୮ ମିନିଟ୍‌) କ୍ରୋଏସିଆ ଆଶାରେ  ଭରି ଦେଇଥିଲା ପାଣି।