ଓଡ଼ିଶାର ପଞ୍ଚାୟତ ଓ ପୌର ସ୍ତରରେ ଆରମ୍ଭ ହୋଇଛି ତିନି ପ୍ରମୁଖ ଦଳର ବ୍ୟାପକ ପ୍ରସ୍ତୁତି

ସାଧାରଣ ନିର୍ବାଚନ ପରେ ରାଜ୍ୟର ତିନି ପ୍ରମୁଖ ଦଳ ଏବେ ସଂଗଠନ ସଜାଡ଼ିବାକୁ ଚଳାଇଛନ୍ତି ପ୍ରଚଣ୍ଡ ଉଦ୍ୟମ । ନବ ବର୍ଷରୁ ନୂଆ ଧରଣର ସଂଗଠନ କୌଶଳ ଆପଣେଇ ମଇଦାନକୁ ଓହ୍ଲାଇବାକୁ ଜୋର୍ ଧରିଛି ପ୍ରସ୍ତୁତି। ଦୁଇ ବର୍ଷ ପରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ; ପରେ ପରେ ପୌର ନିର୍ବାଚନ । ଗଡ଼ରକ୍ଷା ପାଇଁ ତିନି ଦଳ ଏବେଠୁ ଆରମ୍ଭ କଲେଣି ସଜବାଜ। ମୋଦୀଙ୍କ ଅତି ଚତୁର ଗୋଟି ଚାଳନାରେ ହୋଇଥିବା ପ୍ରଚାର ରଣନୀତି କାରଣରୁ କ୍ଷମତାକୁ ଆସିଲା ବିଜେପି। କିନ୍ତୁ ଏପର୍ଯ୍ୟନ୍ତ ଦଳର ସଂଗଠନକୁ ସୁଦୃଢ଼ କରି ଭୋଟରଙ୍କ ବିଶ୍ବାସ ଜିଣିବା, ବା ଦଳର ସବୁ ନେତା ମାନୁଥିବା ଭଳି ଜଣେ ଚେହେରା ପାଇ ନାହାନ୍ତି ଓଡିଶାବାସି। ସେପଟେ ଉଭୟ ପଞ୍ଚାୟତ ଓ ପୌର ସଂସ୍ଥା ଗୁଡ଼ିକ ପ୍ରାୟ ବିଜେଡି କବ୍ଜାରେ। ତୃଣମୂଳ ସ୍ତରରେ ବାରି ହୋଇ ପଡ଼ୁଛି ଶାସକ ଦଳର ଦୁର୍ବଳ ସଂଗଠନ । ତେଣୁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ଏବେଠୁ ସଂଗଠନ ସଜାଡ଼ିବାକୁ ଅଣ୍ଟା ଭିଡିଛି ଦଳ । ଓଡ଼ିଶା ବିଜେପିର ମଣ୍ଡଳ ସଭାପତି ଚୟନରେ ମଧ୍ୟ ଦେଖିବାକୁ ମିଳୁଛି ଅନ୍ତଃକନ୍ଦଳ। ବିଜେଡି, କଂଗ୍ରେସ ଛାଡ଼ି ଦଳରେ ମିଶିଥିବା ଲୋକଙ୍କୁ ମଣ୍ଡଳ ସଭାପତି କରାଯାଇଥିବାରୁ ଦଳରେ ଘନେଇବାରେ ଲାଗିଛି ଅସନ୍ତୋଷ ଓ ବିବାଦ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିର୍ବାଚନ ପୂର୍ବରୁ ସମସ୍ତେ ଏକଜୁଟ୍ ଅଛନ୍ତି ବୋଲି ପ୍ରମାଣ ଦେବାକୁ ଯେନତେନ ଉପାୟରେ ଦଳର ତୁଙ୍ଗ ନେତାଙ୍କୁ ଏକାଠି କରି ବସାଇଥିଲେ ଗୋଟିଏ ମଞ୍ଚରେ । କିନ୍ତୁ ନିର୍ବାଚନ ଶେଷ ହେବା ପରେ ମନମୋହନଙ୍କ ପଥରେ ନାହାନ୍ତି କୌଣସି ତୁଙ୍ଗନେତା । ବହୁ ସ୍ଥାନରେ ସାଂସଦମାନେ ବିଧାୟକଙ୍କୁ, ଓ ତତଭଳି ବିଧାୟକମାନେ ସାଂସଦଙ୍କୁ ରଖିଛନ୍ତି କୋଣଠେସା କରି । ତେଣୁ ଏବେ ଦଳ ଏମିତି ନୂଆ ଚେହେରାମାନ ଖୋଜୁଛି ଯିଏ ଚାଲିବେ ସମସ୍ତଙ୍କୁ ଖୁସି କରି । ସେହିପରି ନିର୍ବାଚନରେ ହାରିବା ପରେ ବିଜେଡି ତାର ସବୁ ସଙ୍ଗଠନକୁ ପୁର୍ନଗଠନ କରିବା ପାଇଁ ଭାଙ୍ଗି ଦେଇଛି। କେବଳ ସଭାପତି ପଦରେ ବସିଛନ୍ତି ନବୀନ। ଦଳର ନିତି ଦିନିଆ କଥା ବୁଝୁଥିବା ଭି.କେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେବା, ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନିର୍ବାଚନରେ ହାରିବା ପରେ ଯଥେଷ୍ଟ କମିଯାଇଛି ସେମାନଙ୍କର ପତିଆରା। ନେତାମାନଙ୍କ ଭିତରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ ବୟାନବାଜି ପହଞ୍ଚୁଛି ଲୋକଙ୍କ ପାଖରେ । ଦଳର ମୁଣ୍ଡ ସ୍ଥିର ଥିଲେ ବି ଅନ୍ୟ ଅଂଶ ଦୁର୍ବଳ ହୋଇଗଲାଣି, ଯାହା କି ତୃଣମୂଳ ସ୍ତରରେ ଦିଶୁଛି ସ୍ପଷ୍ଟ ଭାବରେ । ବ୍ଲକ, ପୌର ସଂସ୍ଥାରେ ଥିବା ବିଜେଡିର ପ୍ରଭାବକୁ କମାଇବାରେ କିଛି ମାତ୍ରାରେ ସଫଳ ହେଉଛି ବିଜେପି। ସଭ୍ୟ ସଂଗ୍ରହ ଅଭିଯାନ ପରେ ନୂଆ ବର୍ଷରେ ନୂଆ ସଂଗଠନ ଦାୟିତ୍ବ ବାଣ୍ଟିବ ବିଜେଡି। ନବୀନ ସଭାପତି ରହିବା ନେଇ କିଛି ଦ୍ବନ୍ଦ୍ବ ନାହିଁ। କିନ୍ତୁ ତାଙ୍କ ପରେ କିଏ ଦଳର ଡୋରି ଧରିବ, ସେ ଦିଗଟି ଏବେବି ରହିଛି ଅସ୍ପଷ୍ଟ । ଅପରପକ୍ଷେ ଦିନକୁ ଦିନ ଦୁର୍ବଳ ହୋଇଚାଲିଥିବା କଂଗ୍ରେସ ଗତ ଦୁଇଟି ନିର୍ବାଚନ ତୁଳନାରେ ଏଥର ନିର୍ବାଚନରେ ପାଇଛି ଅଧିକ ସଂଖ୍ୟା ଆସନ । ତେବେ ୬ମାସ ହେଲା ମୁଖିଆ ବିହୀନ ହୋଇ ପଡ଼ିଛି ଦଳ। ବ୍ଲକ ଠାରୁ ଆରମ୍ଭ କରି ପୌର ସଂସ୍ଥା ପର୍ଯ୍ୟନ୍ତ କଂଗ୍ରେସର ପ୍ରଭାବ ଆଦୌ ନାହିଁ କହିଲେ ଚଳେ। ଜାତୀୟ ନେତୃତ୍ବଙ୍କ ଦୃଷ୍ଟିରେ ଓଡ଼ିଶା ଯେ ନାହିଁ ତାହା ବାରମ୍ବାର ହୋଇଆସୁଛି ପ୍ରମାଣିତ । ସଭାପତି ଚୟନରେ ଦଳ ବାରମ୍ବାର ଆସନରେ ବସାଇ ଆସୁଛି ପୂର୍ବତନ ସଭାପତିମାନଙ୍କୁ, ଯାହାକି ହେଉନାହିଁ ଫଳପ୍ରଦ । ତେଣୁ କୁହାଯାଉଛି ଯେ ନୂଆ ମୁହଁ, ନୂଆ ନେତୃତ୍ବ ହିଁ ଦଳକୁ ଦେଖାଇବ ନୂଆ ଦିଶା। ସାରା ଦେଶରେ କଂଗ୍ରେସକୁ ମୂଳପୋଛ କରିବାକୁ ବିଜେପି ଉଦ୍ୟମ ଚଳାଇଥିଲେ ହେଁ ଯେଉଁ ରାଜ୍ୟରେ ବିଜେପି ସରକାର ଅଛି ସେଠାରେ ଉଲ୍ଲେଖନୀୟ ଉତ୍ଥାନ ହୋଇଛି କଂଗ୍ରେସର। ତେଣୁ ଓଡ଼ିଶାରେ ବିଜେପି ସରକାରଙ୍କୁ ଆହ୍ୱାନ ଡାକରା ଦେଇ ନିଜର ସ୍ଥିତି ଜାହିର୍ କରିବାକୁ କଂଗ୍ରେସ ପାଖରେ ବଡ଼ ସୁଯୋଗ ଥିବାବେଳେ ଦଳ ନୂଆ ବର୍ଷରେ କେଉଁ ନୂଆ ରଣନୀତିକୁ ଆପଣେଇ ଆଗକୁ ବଢ଼ୁଛି ତାହାକୁ ଅପେକ୍ଷା।
What's Your Reaction?






