ମନମୋହନଙ୍କୁ ଝୁରୁଛି ସାରାଦେଶ

Dec 27, 2024 - 13:19
Dec 27, 2024 - 13:20
 0  5
ମନମୋହନଙ୍କୁ ଝୁରୁଛି ସାରାଦେଶ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଭାରତ ଜଣେ ଦୂରଦର୍ଶୀ ନେତା, ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ଅତୁଳନୀୟ ନିଷ୍ଠାର ସହ ଦେଶର ସେବା କରିଥିବା ରାଜନେତାଙ୍କୁ ହରାଇଛି। ମନମୋହନ ସିଂହ ଏକାଧାରରେ ଜଣେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀ, ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କରିଥିଲେ କାର୍ଯ୍ୟ। ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ପରେ ସେ ହେଉଛନ୍ତି ଚତୁର୍ଥ ସର୍ବାଧିକ ସମୟ ଧରି କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ। ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିବା ସିଂହ ଥିଲେ ଭାରତର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀ। ଜବାହରଲାଲ ନେହରୁଙ୍କ ପରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ପୂରା ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରି ପୁନର୍ବାର ହୋଇଥିଲେ ପ୍ରଧାନମନ୍ତ୍ରୀ। ମନମୋହନ ଅମୃତସରର ହିନ୍ଦୁ କଲେଜ ଏବଂ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ୧୯୫୨ ଓ ୧୯୫୪ ମସିହାରେ ଅର୍ଥନୀତିରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି କରିଥିଲେ ହାସଲ। ସେ ଥିଲେ ଜଣେ ମେଧାବୀ ଛାତ୍ର। ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରିଟେନ ଯାଇ ସେଠାକାର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ୩ ବର୍ଷିଆ ଡିଗ୍ରି ପାଠ୍ୟକ୍ରମ ସଂପନ୍ନ କରିଥିଲେ।ଏହାପରେ ଭାରତ ଫେରିଆସି ପଞ୍ଜାବ ବିଶ୍ବବିଦ୍ୟାଳୟରେ ସେ ଅଧ୍ୟାପନା କରିଥିଲେ। ୧୯୬୨ ମସିହାରେ ସେ ପୁଣି ବ୍ରିଟେନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟକୁ ଡିଫିଲ୍ କରିବା ପାଇଁ ଯାଇଥିଲେ। ଡିଫିଲ୍ ଶେଷ କରି ସେ ଫେରିଆସିଥିଲେ ଭାରତ।ପଞ୍ଜାବ ବିଶ୍ବବିଦ୍ୟାଳୟରେ ସେ ଅର୍ଥନୀତିର ଅଧ୍ୟାପକ, ରିଡର ଏବଂ ପ୍ରଫେସର ଭାବେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ କରିଛନ୍ତି।ଆମ ସଭିଙ୍କ ମାନସପଟ୍ଟରେ କାଳକ୍ରମେ, ପଢାବହିରେ ନୂତନ ଅର୍ଥନୈତିକ ନୀତି ପ୍ରଣୟନ ପୂର୍ବକ ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ସହ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣର ସଂସ୍କାର ପ୍ରଣୟନର ପ୍ରମୁଖ ପ୍ରତିଭୂ ଭାବେ ସେ ପରିବର୍ତ୍ତିତ ହେଲେ l ସମାଲୋଚନାର ଶିରୋନାମା ସତ୍ତ୍ୱେ ତାଙ୍କର ପ୍ରଚଣ୍ଡ ପ୍ରତିଭାଜ୍ୟୋତି ତିମିରିତ ହୋଇନାହିଁ ; ସମୟ ସହ କ୍ରମଶଃ ଅନୁଭବ ଏବଂ ଉପଲବ୍ଧି ହୋଇଛି ତାଙ୍କର ଆବଶ୍ୟକତା ଓ ପ୍ରାସଙ୍ଗିକତା l ଜଣେ ନିରଳସ, କର୍ତ୍ତବ୍ୟନିଷ୍ଠ, ପ୍ରଚଣ୍ଡ ଜ୍ଞାନୀ, କର୍ମପ୍ରାଣ ସାଧକଭାବେ ତାଙ୍କର ମହାନ୍ ବ୍ୟକ୍ତିତ୍ୱ ପ୍ରତିଟି ଭାରତୀୟ ପାଇଁ ପ୍ରେରଣାର ହସ୍ତାକ୍ଷର ନିଶ୍ଚୟ l ନିଜର ପ୍ରତ୍ୟୁତ୍ପନମତିତ୍ବ ଓ ଧୀଶକ୍ତି ବଳରେ ଦେଶର ବିତ୍ତୀୟ ସଂକଟକୁ ଯେଉଁ ପରି ଭାବେ ସାହସର ସହ ସେ ସମ୍ମୁଖୀନ ହୋଇଥିଲେ, ସେପରି ଦୃଷ୍ଟାନ୍ତ ସମଗ୍ର ବିଶ୍ଵମାନସରେ ବିରଳ।ବାସ୍ତବରେ ସେ ଜଣେ କର୍ମଯୋଗୀ l ସେ ଆଉ ନାହାନ୍ତି କିନ୍ତୁ ତାଙ୍କ ଅବର୍ତ୍ତମାନରେ ତାଙ୍କର ପାର୍ଥିବ ତଥା ଭୌତିକ ଅନୁପସ୍ଥିତିକୁ ପୂର୍ଣ୍ଣତାରେ ଭରିଦେବ ତାଙ୍କ ବୌଦ୍ଧିକ ପ୍ରାଚୁର୍ଯ୍ୟ l 

What's Your Reaction?

like

dislike

love

funny

angry

sad

wow