ହକିରେ ଚମକିଲା ଓଡ଼ିଶା

Nov 17, 2024 - 13:19
 0  1
ହକିରେ ଚମକିଲା ଓଡ଼ିଶା

ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ଶନିବାର ହରିୟାଣାକୁ ୫-୧ରେ ହରାଇପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଓଡ଼ିଶା। ଏହାସହିତ ଜାତୀୟ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ଟ୍ରଫି ହାସଲ କରିବାରେ ହୋଇଛି ସମର୍ଥ। ପୂର୍ବରୁ ଦଳ ୨୦୦୬ରେ ହାସଲ କରିଥିଲା ତୃତୀୟ ସ୍ଥାନ। ୨୦୧୧ ପରଠାରୁ ହକି ଇଣ୍ଡିଆ ଜାତୀୟ ଚାମ୍ପିୟନଶିପ୍‌ ଆୟୋଜନ କରୁଥିବା ବେଳେ ପଞ୍ଜାବ ଓ ରେଲଓ୍ବେଜ୍‌ ସଫଳ ଦଳ ଭାବରେ ୪ ଥର ଲେଖାଏ  ହାସଲ କରିଛନ୍ତି ଟାଇଟଲ। ଓଡ଼ିଶା ପକ୍ଷରୁ ଶିଳାନନ୍ଦ ଲାକ୍ରା(୪୮,୫୭,୬୦) ମିନିଟ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରି ବିଜୟରେ ମୁଖ୍ୟ ଭୂମିକା କରିଥିଲେ ଗ୍ରହଣ। ଅନ୍ୟମାନଙ୍କ ମଧ୍ୟରେ ରଜତ ଆକାଶ ତୀର୍କି(୧୧) ଓ ପ୍ରତାପ ଲାକ୍ରା(୩୯) ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ହରିୟାଣା ପକ୍ଷରୁ ଯୋଗୀନ୍ଦର ସିଂ(୫୫) ମିନିଟ୍‌ରେ ଏକମାତ୍ର ଗୋଲ ପରିଶୋଧ କରିଥିଲେ। ଓଡ଼ିଶା ହକି ଦଳର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ହକି ଦଳର ଏହି ବିଜୟ ଏକ ମାଇଲଖୁଣ୍ଟ ଭାବରେ ଅଗାମୀ ପିଢିକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ଶନିବାର ପ୍ରଥମାର୍ଦ୍ଧରୁ ହିଁ ଓଡ଼ିଶା ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ରଜତ ଆକାଶ ତୀର୍କି ପ୍ରଥମ କ୍ୱାର୍ଟରର ୧୧ତମ ମିନିଟରେ ସ୍କୋର କରି ଓଡ଼ିଶାକୁ ୧-୦ରେ ଆଗୁଆ କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିବା ବେଳେ ତୃତୀୟ କ୍ୱାର୍ଟରର ୩୯ତମ ମିନିଟ୍‌ରେ ପ୍ରତାପ ଲାକ୍ରା ଆଉ ଏକ ଗୋଲ ଦେଇ ଓଡ଼ିଶାକୁ ୨-୦ରେ ଆଗୁଆ କରିଥିଲେ। ଅନ୍ତିମ କ୍ୱାର୍ଟରରେ ଶିଳାନନ୍ଦ ଏକାକୀ ୩ ଗୋଲ ଦେବା ସହ ଅର୍ଜନ କରିଥିଲେ ହ୍ୟାଟ୍ରିକ୍‌। ମ୍ୟାଚ୍‌ର ୫୫ତମ ମିନିଟ୍‌ରେ ଯୋଗୀନ୍ଦର ସିଂ ହରିୟାଣା ପକ୍ଷରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ।

What's Your Reaction?

like

dislike

love

funny

angry

sad

wow