ପ୍ରକୃତି ସହିତ ଏକାକାର କରିଦିଏ ଏହି ସ୍ଥାନ

ଯଦିଓ ଭୂସ୍ବର୍ଗ ଭାବେ କଶ୍ମୀର ବେଶ ଜଣାଶୁଣା, କିନ୍ତୁ ଦେଶର ଅନ୍ୟ କେତେକ ରାଜ୍ୟରେ ଏପରି ମନୋରମ ସ୍ଥାନ ରହିଛି, ଯାହା ଭୂସ୍ବର୍ଗ ଅନୁଭୂତି ଦେଇପାରେ! ଭାରତର ମଧ୍ୟଭୂମି ଭାବେ ବିଦିତ ହିମାଚଳ ପ୍ରଦେଶର ସ୍ପୀତି ଉପତ୍ୟକା ଭାରତ ଓ ତିବ୍ବତ ମଧ୍ୟରେ ଗୁଞ୍ଜିହୋଇ ରହିଛି। କେବଳ ଗୋଟିଏ ଶୈଳନିବାସ ନୁହେଁ, ଏହା ଆତ୍ମମଗ୍ନ ଦୁନିଆଟିଏ। ସ୍ପୀତିର ଚିରହରିତ୍ ଅରଣ୍ୟ କୋଳରେ ଥିବା ନିଭୃତ ଗ୍ରାମ, ଶାନ୍ତସ୍ନିଗ୍ଧ ବୌଦ୍ଧାଶ୍ରମ ଓ ନୀଳ ଆକାଶକୁ ସ୍ପର୍ଶ କରୁଥିବା ପର୍ବତମାଳା ଦେଖଣାହାରିକୁ ପ୍ରକୃତି ସହିତ ଏକାକାର କରିଦିଏ। ସ୍ପୀତିରେ ପହଞ୍ଚିବାକୁ ରହିଛି ଦୁଇଟି ମୁଖ୍ୟ ପଥ - ଗୋଟିଏ ଶିମ୍ଲାରୁ ଏବଂ ଆରଟି ମନାଲିରୁ। ନିକଟତର ହେଲେ ବି ଶିମ୍ଲାରୁ ଗଲେ ନଦନଦୀ ପ୍ରବାହିତ ସଂକୀର୍ଣ୍ଣ ପାର୍ବତ୍ୟ ପଥ ଦେଇ ଯିବାକୁ ପଡ଼େ। କିନ୍ତୁ, ମନାଲିରୁ ବାହାରିଲେ ସବୁଜିମା ପରିବେଶ ଓ ସୁନ୍ଦର ରାସ୍ତା ଦେଇ ସେଠାରେ ପହଞ୍ଚି ହୁଏ। ମାତ୍ର ଯାତ୍ରା ପଥ ଅପେକ୍ଷାକୃତ ଦୀର୍ଘତର। ବର୍ତ୍ତମାନ ଏଠାରେ ତାମମାତ୍ରା ୪୦ ଡିଗ୍ରି ଉପରେ ଥିବା ବେଳେ ସେଠାରେ ଦିନର ତାପମାତ୍ରା ବିଯୁକ୍ତ ୪ ଡିଗ୍ରି ରହିଛି। ମେ’ରୁ ଅକ୍ଟୋବର ମଧ୍ୟରେ ସ୍ପୀତି ଗସ୍ତ ସବୁଠାରୁ ଅଧିକ ସୁଖପ୍ରଦ। ଏ ସମୟରେ ବାଟଘାଟ ସବୁ ଉନ୍ମୁକ୍ତ ରହିବା ସହିତ ପାଗ ବି ଅନୁକୂଳ ଥାଏ। କିନ୍ତୁ, ଶୀତଋତୁରେ ଏହି ଉପତ୍ୟକାର ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରିକୁ ଖସିଆସିବା ସହିତ ଚାରିଆଡ଼ ତୁଷାରମୟ ହୋଇଯାଏ। ଅଧିକାଂଶ ବାଟଘାଟ ବି ଅବରୋଧ ହୋଇଯାଇଥାଏ। ସ୍ପୀତି ଗୋଟାଏ ବିସ୍ମୟଭରା ଉପତ୍ୟକା। ଏଠାକାର ପ୍ରତ୍ୟେକ ଗ୍ରାମ ଓ ପ୍ରାକୃତିକ ଦୃଶ୍ୟର ନିଜସ୍ବ ଇତିବୃତ୍ତ ରହିଛି। ସ୍ପୀତିର ମଧ୍ୟସ୍ଥଳରେ ଅବସ୍ଥିତ କ୍ଷୁଦ୍ର ସହର କାଜା ଖୁବ୍ ସୁନ୍ଦର। ଏଠାରୁ ସ୍ବର୍ଗୀୟ ସୁଷମା ବିମଣ୍ଡିତ ସ୍ଫଟିକ-ସ୍ବଚ୍ଛ ଜଳଭରା ଚନ୍ଦ୍ରତାଲ୍ ହ୍ରଦ ଦେଖିବାକୁ ଯାଇହେବ। ସେହିପରି ପର୍ବତ ଉପରେ ଅବସ୍ଥିତ ଚିତ୍ର ସଦୃଶ ଦିଶୁଥିବା ସ୍ପୀତିର ବୃହତ୍ତମ ବୌଦ୍ଧପୀଠ ଓ ପ୍ରାଚୀନ ‘କି ମନେଷ୍ଟ୍ରି’ ବୁଲି ପ୍ରାର୍ଥନାରତ ବୌଦ୍ଧଭିକ୍ଷୁମାନଙ୍କ ଦର୍ଶନ କରିହେବ। ‘ଧନକଡ଼ ମନେଷ୍ଟ୍ରି’ ନାମରେ ଆଉ ଗୋଟାଏ ବୌଦ୍ଧପୀଠକୁ ଯାଇ ଉପତ୍ୟକାର ସାମଗ୍ରିକ ଦୃଶ୍ୟ ଉପଭୋଗ କରିହେବ। ଏଠାରେ ଥିବା ସହସ୍ର ବର୍ଷ ପୁରାତନ ‘ତାବୋ ମନେଷ୍ଟ୍ରି’ ବି ଦେଖିଲା ଭଳି ସ୍ଥାନଟିଏ। କିନ୍ତୁ, ଏସବୁ କେବଳ ଧାର୍ମିକ ପୀଠ ନୁହେଁ; ଶାନ୍ତିପ୍ରଦ ସ୍ଥାନ ମଧ୍ୟ। ପ୍ରକୃତିପ୍ରେମୀଙ୍କ ଅମରାବତୀ କୁହାଯାଉଥିବା ‘ପିନ୍ ଜାତୀୟ ଉଦ୍ୟାନ’ ବି କମ୍ ଆକର୍ଷଣୀୟ ନୁହେଁ। ଏହା ତୁଷାର କଲରାପତ୍ରିଆ ଓ ଅନ୍ୟାନ୍ୟ ଦୁର୍ଲଭ ବନ୍ୟପ୍ରାଣୀଙ୍କ ବାସସ୍ଥଳୀ।
What's Your Reaction?






