ଶୌଚାଳୟ ଭିତରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

Aug 22, 2024 - 12:40
 0  4
ଶୌଚାଳୟ ଭିତରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ଶୌଚାଳୟ ଭିତରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବାସଭବନରେ ଚଢ଼ାଉ ବେଳେ ଏହି ତଥ୍ୟ ଆସିଛି ସାମ୍ନାକୁ। ଭିଜିଲାନ୍ସ ଟିମକୁ ଦେଖି ରେଞ୍ଜର ଶୌଚାଳୟ ଫ୍ଲସ୍‌ ଟାଙ୍କି ଭିତରେ ଲୁଚାଇ ଦେଇଥିଲେ ଟଙ୍କା । କେବଳ ଶୌଚାଳୟ ନୁହେଁ, ଘରର ବିଭିନ୍ନ ଗୋପନ ସ୍ଥାନରେ ଟଙ୍କା ଲୁଚାଇବାକୁ କରିଥିଲେ ଉଦ୍ୟମ । ଅଧିକାରୀମାନେ ଖୋଳତାଡ଼ କରିବା ପରେ ଫ୍ଲସ ଟାଙ୍କିରୁ ଜବତ କରିଛନ୍ତି ୨ ବିଡ଼ା ଟଙ୍କା। ଟଙ୍କା ପରିମାଣ ପ୍ରାୟ ୫ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହା ସହିତ ଆଠଗଡ଼ରେ ଥିବା ଏକ ଏସି ଫାର୍ମରେ ଚଢ଼ାଉ ସମୟରେ ସେଠାରେ ମୟୂର, ଠେକୁଆ ସମେତ ଅନ୍ୟ ବନ୍ୟ ଜୀବଜନ୍ତୁ ରଖାଯାଇଥିବା ସାମ୍ନାକୁ ଆସିଛି। ଏହା ସହିତ ଘରୁ ୫୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଠାବ ହୋଇଥିବା ଜଣାପଡ଼ିଛି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ୮ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି। କଟକ, ଭୁବନେଶ୍ଵର ଏବଂ ଢେଙ୍କାନାଳରେ ଥିବା ରେଞ୍ଜରଙ୍କ ବିଭିନ୍ନ ଜାଗାରେ ଏହି ଚଢ଼ାଉ କରାଯାଉଛି। ଢେଙ୍କାନାଳ ରତ୍ନ ବଜାରରେ ପ୍ଲଟ ନଂ. ୩୧୬/୬୦୩୪ରେ ଏକ ୩ ମହଲା କୋଠା, ପ୍ଲଟ ନଂ. ୩୧୬/୬୫୪୦/୧୦୬୩୮ରେ ୨ ମହଲା କୋଠା, କଟକ ଜିଲା ଆଠଗଡ଼ର ରାହାଙ୍ଗୋଲଠାରେ ଥିବା ବ୍ରଏଲର ଫାର୍ମ, ଭୁବନେଶ୍ଵର ରସୁଲଗଡ଼ର ଜିଜିପି କଲୋନୀରେ ବୃନ୍ଦା ବସେରା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌, ଆଠଗଡ଼ର ବୀରକିଶୋରପୁରସ୍ଥିତ ପୈତୃକ ବାସଭବନ, ଢେଙ୍କାନାଳରେ ଥିବା ସମ୍ପର୍କୀୟଙ୍କ ଘର, ଢେଙ୍କାନାଳରେ ଥିବା ମିଶ୍ରଙ୍କ କାର୍ଯ୍ୟାଳୟ ଏବଂ ସରକାର ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ାଉ ।

What's Your Reaction?

like

dislike

love

funny

angry

sad

wow